ଆମ୍ବେଦକରଙ୍କର ଦୂରଦୃଷ୍ଟି ଓ ଜ୍ଞାନରୁ ଲୋକମାନେ ଅନୁପ୍ରାଣିତ ହେବା ଉଚିତ – ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତ ରତ୍ନ ଡକ୍ଟର ବାବାସାହେବ ଆମ୍ବେଦକରଙ୍କର ୬୪ତମ ମହାପରିନିର୍ବାଣ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଦେଶବାସୀଙ୍କ ପକ୍ଷରୁ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପାର୍ଲାମେଣ୍ଟ ସଦନ ପରିସରସ୍ଥିତ ତାଙ୍କର ପ୍ରତିମୂର୍ତ୍ତିରେ ସେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍‍ ବିର୍ଲା, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ, ସାମାଜିକ ନ୍ୟାୟ ମନ୍ତ୍ରୀ ଥାବଡ଼ଚାନ୍ଦ୍‍ ଗେହଲତ୍‍, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ପାର୍ଲାମେଣ୍ଟ ସଦସ୍ୟମାନେ ଡକ୍ଟର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ବିଭିନ୍ନ ଶ୍ରେଣୀର ଶହଶହ ଲୋକ ଡକ୍ଟର ଆମ୍ବେଦକରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏକ ଟ୍ୱିଟ୍‍ ବାର୍ତ୍ତାରେ ଉପରାଷ୍ଟ୍ରପତି କହିଛନ୍ତି, ଡକ୍ଟର ଆମ୍ବେଦକରଙ୍କର ଦୂରଦୃଷ୍ଟି ଓ ଜ୍ଞାନରୁ ଲୋକମାନେ ଅନୁପ୍ରାଣିତ ହେବା ଉଚିତ। ସେ କହିଛନ୍ତି, ଯଦି ଲୋକମାନେ ଆମ୍ବେଦକରଙ୍କ ଆଦର୍ଶ ଓ ମୂଲ୍ୟବୋଧକୁ ଅନୁସରଣ କରିବେ, ତେବେ ଏହା ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ୍‍ ବାର୍ତ୍ତାରେ କହିଛନ୍ତି, ବାବା ସାହେବ ଆମ୍ବେଦକର ତାଙ୍କର ସମଗ୍ର ଜୀବନ ସାମାଜିକ ନ୍ୟାୟ ପାଇଁ ଉତ୍ସର୍ଗ କରିଥିଲେ ଓ ଦେଶକୁ ସମ୍ବିଧାନ ଭଳି ଅମୂଲ୍ୟ ଉପହାର ଦେଇଯାଇଛନ୍ତି। ଯାହା ଆଜି ଭାରତୀୟ ଗଣତନ୍ତ୍ରର ମୂଳଦୁଆ ଭାବେ ସ୍ଥାପିତ ହୋଇଛି। ସେ କହିଛନ୍ତି, ଏଥିପାଇଁ ଦେଶବାସୀ ତାଙ୍କ ପ୍ରତି ଚିରକୃତଜ୍ଞ ରହିବେ।

Comments are closed.