ମଙ୍ଗଳରେ ନାସା ହେଲିକପ୍ଟରର ତୃତୀୟ ଉଡାଣ

ପୂର୍ବାପେକ୍ଷା ଦ୍ରୁତ ଗତିରେ ଉଡିଲା

ନ୍ୟୁୟର୍କ: ନାସା ପକ୍ଷରୁ ମଙ୍ଗଳ ଗ୍ରହକୁ ପଠାଯାଇଥିବା ହେଲିକପ୍ଟର ସେଠାରେ ତୃତୀୟ ଥର ପାଇଁ ଉଡାଣ କରିଛି। ଏଥର ହେଲିକପ୍ଟରଟି ପୂର୍ବାପେକ୍ଷା ଦ୍ରୁତ ଗତିରେ ଉଡାଣ କରିବା ସହିତ ଅଧିକ ଦୂରକୁ ଯାଇଥିଲା। ରବିବାର ଦିନ ଏହି କ୍ଷୁଦ୍ର ହେଲିକ୍ଟର ଇନଜେନ୍ୟୁଇଟି ସେକେଣ୍ଡ ପିଛା ୬.୬ ଫୁଟ ଦୂରତା ଅତିକ୍ରମ କରିଥିବା ଜଣାଯାଇଛି। ପ୍ରଥମ ଦୁଇଥର ଉଡାଣ ସମୟରେ ଏହା ଲୋହିତ ଗ୍ରହର ପୃଷ୍ଠଭାଗ ଉପରେ ଅଳ୍ପ ସମୟ ପାଇଁ ଉଡାଣ କରିଥିବାବେଳେ ଚଳିତ ଥର ଏହା ୫୦ ମିଟର ଦୂରତା ପର୍ଯ୍ୟନ୍ତ ଯାଇଥିଲା ଏବଂ ଏହାର ବେଗ ସେକେଣ୍ଡ ପ୍ରତି ୬.୬ ଫୁଟ ବା ଘଣ୍ଟାପ୍ରତି ୪ ମାଇଲ ରହିଥିଲା। ଏହାକୁ ନେଇ ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରିଛନ୍ତି ଇନଜେନ୍ୟୁଇଟି ପ୍ରକଳ୍ପର କାର୍ଯ୍ୟନିର୍ବାହୀ ଡାଭେ ଲାଭେରି। ଏହା ସେମାନଙ୍କୁ ଚମତ୍କୃତ କରିଦେଇଥିବା ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ମଙ୍ଗଳ ଗ୍ରହକୁ ପଠାଯାଇଥିବା ପ୍ରିଜରଭାନ୍ସ ରୋଭର ସହିତ ଏହି ୧.୮ କିଲୋଗ୍ରାମ ଓଜନ ବିଶିଷ୍ଟ ରୋଟରକ୍ରାଫ୍ଟକୁ ପଠାଯାଇଥିଲା। ନାସା ପକ୍ଷରୁ କୁହାଯାଇଛି ଯେ ଏହା ଉତ୍ତୋଳନ କରିଥିବା ଭିଡିଓ ଅଂଶଗୁଡିକୁ ଆଗାମୀ ଦିନରେ ଭୂପୃଷ୍ଠକୁ ପଠାଯିବ। କ୍ଷୁଦ୍ର ହେଲିକପ୍ଟର ଉଡାଣ କରିବା ପରେ ସୁରୁଖୁରୁରେ ମଙ୍ଗଳ ପୃଷ୍ଠରେ ମଧ୍ୟ ଅବତରଣ କରିଥିବା ନାସା କହିଛି। ଏହାର ପରୀକ୍ଷା ନିରୀକ୍ଷା ଏକମାସ ମଧ୍ୟରେ ସଂପୂର୍ଣ୍ଣ ହେବ ଏବଂ ତାହାପରେ ମଙ୍ଗଳ ପୃଷ୍ଠରେ ପ୍ରିଜରଭାନ୍ସ ତାହାର ମୁଖ୍ୟ ଦାୟିତ୍ୱ ଅଣୁଜୀବର ସନ୍ଧାନ ଆରମ୍ଭ କରିବ।

Comments are closed.