ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଜି କଥା ହେବେ ମୋଦୀ

ନୂଆଦିଲ୍ଲୀ : କରୋନା ମହାମାରୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବାକୁ ଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ଯଥା ଦିଲ୍ଲୀ, ମହାରାଷ୍ଟ୍ର, କେରଳ, ପଶ୍ଚିମବଙ୍ଗ ଓ ରାଜସ୍ଥାନର ସ୍ଥିତି ବାବଦରେ ସମୀକ୍ଷା କରିବେ। ଏହା ସହିତ ଯେଉଁସବୁ ରାଜ୍ୟଗୁଡିକରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଆରମ୍ଭ ହୋଇଛି ସେସବୁର ସ୍ଥିତି ସମୀକ୍ଷା କରାଯିବ। ଦେଶରେ ଏବେ ୪ଟି କରୋନା ଟିକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଚାଲୁ ରହିଛି। ତେଣୁ ଏହିସବୁ ଟିକାର ବଣ୍ଟନ ଓ ଜରୁରୀ ଅନୁମୋଦନ ପ୍ରସଙ୍ଗରେ ମଧ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ କଥାହେବେ। ନିକଟରେ ଶେଷ ହୋଇଥିବା ନିତି ଆୟୋଗ ବୈଠକରେ ଟିକାର ଜରୁରୀ ବ୍ୟବହାରକୁ ଅନୁମତି, ଆଗୁଆ ଅଧିଗ୍ରହଣ, ଟିକାର ମୂଲ୍ୟ ନିର୍ଦ୍ଧାରଣ ଆଦି ବିଷୟ ଆଲୋଚନା କରାଯାଇଥିଲା। ଫାଇଜର ଓ ମଡେର୍ଣ୍ଣା ଟିକାର ଜରୁରୀ ବ୍ୟବହାର ନିମନ୍ତେ ଆବେଦନ କରାଯାଇଛି। ଏହି ସବୁ ଟିକା ୯୫%ରୁ ଅଧିକ ପ୍ରଭାବଶାଳୀ ରହିଥିବା କୁହାଯାଇଛି। କରୋନା ମହାମାରୀ ଆରମ୍ଭ ପରଠାରୁ ଏହାର ମୁକାବିଲା ନିମନ୍ତେ ରଣନୀତି ପ୍ରସ୍ତୁତ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଅନେକ ଥର ଆଲୋଚନା କରିଛି। ଅନ୍ୟପଟେ ସୋମବାର ଦେଶରେ ୪୪,୦୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ମୋଟ କରୋନା ଆକ୍ରା‌ନ୍ତଙ୍କ ​ସଂଖ୍ୟା ୯୧ ଲକ୍ଷ ୩୯ ହଜାର ୮୬୫କୁ ବୃଦ୍ଧି ପାଇଛି। ଦେଶରେ ଚିକିତ୍ସାଧୀନ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୩ ହଜାର ୪୮୬ ଥିବା ବେଳେ ୮୫ ଲକ୍ଷ ୬୨ ହଜାର ୬୪୧ ଜଣ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ୫୧୧ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ସହ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୩ ହଜାର ୭୩୮କୁ ବୃଦ୍ଧି ପାଇଛି। କରୋନା ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ମହାରାଷ୍ଟ୍ର ସରକାର ନେଇଥିବା ନିଷ୍ପତ୍ତି ଅନୁଯାୟୀ ଦିଲ୍ଲୀ, ରାଜସ୍ଥାନ, ଗୋଆ ଓ ଗୁଜରାଟରୁ ବିମାନ, ଟ୍ରେନ ଓ ବସ୍‌ ଯୋଗେ ଆସୁଥିବା ସମସ୍ତ ଯାତ୍ରୀଙ୍କ ଆରଟି-ପିସିଆର୍‌ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ନଭେମ୍ବର ୨୫ରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି। ସେହିପରି ହିମାଚଳ ପ୍ରଦେଶ ସରକାର ମଣ୍ଡି, ସିମଲା, କୁଲୁ ଓ କଙ୍ଗ୍ରା ଜିଲାରେ ରାତ୍ରିକାଳୀନ କଫ୍ୟୁ ଲାଗୁ କରିଛନ୍ତି। ନଭେମ୍ବର ୨୪ରୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଲାଗୁ ହେବ। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶ ସରକାର ଡିସେମ୍ବର ୩୧ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି।

Comments are closed.