ସୁକତେଲରେ ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପକୁ ସବୁଜ ସଙ୍କେତ

-୧୫୪ କୋଟି ଟଙ୍କା ଅନୁମୋଦନ
-ନିନ୍ଦୁକ ଓ ବିରୋଧୀଙ୍କ ସମାଲୋଚନା
ବଲାଙ୍ଗିର : ପୁଇଁନ୍ତଳା ବ୍ଲକ ଓ ଲୋଇସିଂହା ନିର୍ବାଚନ ମଣ୍ଡଳୀର ଛତାମଖନା। ଗାଁ ନିକଟ କିରାବାହାଲ ଲୋୟର୍‍ ସୁକତେଲ ନଦୀରେ ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ପାଇଁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର ।ଏହି ପ୍ରକଳ୍ପ ପାଇଁ ବିଧାୟକ ଶ୍ରୀ ମିଶ୍ରଙ୍କ ଉଦ୍ୟମ ରହିଥିବା ପ୍ରଚାର ହେଉଛି ।ତେବେ ଛତାମଖନା ହିଁ କାହିଁକି ପ୍ରଶ୍ନ ହେବା ସ୍ୱାଭାବିକ? ବଲାଙ୍ଗିର ସଦର ଆସନର ବିଧାୟକ ଶ୍ରୀ ମିଶ୍ରଙ୍କ ଜନ୍ମମାଟି ଛତାମଖନା। ନିଜ ନିର୍ବାଚନ ମଣ୍ଡଳୀ ହୋଇ ନଥିଲେ ବି ଜନ୍ମ ମାଟି ପ୍ରତି ଥିବା ପ୍ରେମର ପ୍ରତିଫଳନ ବୋଲି ସାଧାରଣରେ ଆଲୋଚନା, ସମାଲୋଚନା ଆରମ୍ଭ ହୋଇଛି।
ବଲାଙ୍ଗିର ଜିଲାରେ ନିଶ୍ଚିତ ଜଳସେଚନ ମାତ୍ର ୩ ପ୍ରତିଶତ ।ଚାଷୀ ମୌସୁମୀ ବର୍ଷା ଉପରେ ନିର୍ଭର କରନ୍ତି। ତେଣୁ ବର୍ଷା ଜଳ ତଥା ଭୂତଳ ଜଳ ସଂରକ୍ଷଣ ହେଇପାରିଲେ ଚାଷୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଲାଭବାନ ହେବେ ।ତେଣୁ ଛତାମଖନା କିରାବାହାଲ ଦେଇ ବୋହି ଯାଇଥିବା ଲୋୟର ସୁକତେଲ ନଦୀରେ ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ପରିକଳ୍ପନା କରାଯାଇଥିଲା ବୋଲି ବିଧାୟକ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।୧୫୪ କୋଟି ୭୭ ଲକ୍ଷ ଟଙ୍କାର ଏହି ପ୍ରକଳ୍ପ ପାଇଁ ଦୁଇ ଦିନ ପୂର୍ବେ ଟେଣ୍ଡର ଆହ୍ୱାନ ପାଇଁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି। ରାଜ୍ୟ ସାରା ଏଭଳି ୮ଟି ପ୍ରକଳ୍ପ ମଞ୍ଜୁର ହୋଇଥିବାବେଳେ ବଲାଙ୍ଗିର ଛତାମଖନା ପ୍ରକଳ୍ପ ମଧ୍ୟ ରହିଛି। ଭୂତଳ ଜଳ ଠିକ୍ ଭାବେ ସଂରକ୍ଷଣ ସହ ସୁକତେଲ ନଦୀ ଉପରେ ଇନ୍‍ଟେକ୍‍ ୱେଲ ନିର୍ମାଣ କରି ନଦୀର ଉଭୟ ପାର୍ଶ୍ବରେ ଥିବା ଚାଷୀମାନେ ତାଙ୍କର ଜମିକୁ ପାଣି ନେଇପାରିବେ ।ଜଳ ସଂରକ୍ଷଣ ଯୋଗୁଁ ସୁକତେଲର ଉଭୟ ପାର୍ଶ୍ବରେ ଥିବା ଜମିର ଆଦ୍ରତା ତଥା ଜଳ ଧାରଣ କ୍ଷମତା ବଢିଯିବ ବୋଲି ପୂର୍ବାନୁମାନ କରାଯାଉଛି ।ଜଳ ସଂପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଡିସେମ୍ବର ୧୨ ତାରିଖରେ ଚିଠି ସଂଖ୍ୟା ୨୬୩୧୫ରେ ସମସ୍ତ ବିଭାଗୀୟ ଯନ୍ତ୍ରୀଙ୍କୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। କରୋନା ସଂକ୍ରମଣ ସମୟରେ ଅନେକ ପ୍ରକଳ୍ପ କାର୍ଯ୍ୟ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ବାଧାପ୍ରାପ୍ତ ହେଉଛି ।କିନ୍ତୁ ବଲାଙ୍ଗିରକୁ ୧୫୪ କୋଟି ଟଙ୍କାର ଜଳ ସଂରକ୍ଷଣ ପ୍ରକଳ୍ପ ମଞ୍ଜୁର ଏକ ଖୁସି ଖବର ବୋଲି ବିଧାୟକ ଶ୍ରୀ ମିଶ୍ର ମତ ଦେଉଛନ୍ତି ।
ବଲାଙ୍ଗିର ସଦର ବ୍ଲକ ମାଗୁରବେଡ଼ା ଲୋୟର୍‍ ସୁକତେଲ ଜଳସେଚନ ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବା ପାଇଁ ବିଧାୟକ ପ୍ରକଳ୍ପ କ୍ଷତିଗ୍ରସ୍ତଙ୍କୁ ଶ୍ରୀ ମିଶ୍ର ଆହ୍ୱାନ ଦେଇଥିଲେ। ନଭେମ୍ବର ମାସ ମଧ୍ୟରେ କାମ ଆରମ୍ଭ ନହେଲେ ସମସ୍ୟା ହେବ ବୋଲି ମତ ରଖିଥିଲେ। ବିସ୍ଥାପନ, କ୍ଷତିପୂରଣ ଓ ଥଇଥାନ କରିବା ପାଇଁ ସମାନ୍ତରାଳ ଭାବେ ଗୁରୁତ୍ୱ ଦେବାକୁ ସରକାରଙ୍କୁ କଥା ଛଳରେ ଚେତେଇ ଦେଇଥିଲେ। କିନ୍ତୁ ଜନ୍ମ ମାଟି ପାଇଁ ବିଧାୟକଙ୍କ ଦରଦକୁ ସହଜରେ ବରଦାସ୍ତ କରି ପାରୁ ନାହାନ୍ତି ନିନ୍ଦୁକ ତଥା ବିରୋଧୀ ।ନିଜ ନିର୍ବାଚନ ମଣ୍ଡଳୀରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ବଦଳରେ ବିଧାୟକଙ୍କ ଛତାମଖନା ପ୍ରେମକୁ ସାଧାରଣରେ ସମାଲୋଚନା କରାଯାଉଛି ।

Comments are closed.