କେନ୍ଦ୍ରର ଆଜ୍ଞାବହ ସାଜିଛି ରାଜ୍ୟ : ନରସିଂହ

ଭୁବନେଶ୍ବର : କେନ୍ଦ୍ରର ନିର୍ଦେଶକୁ ରାଜ୍ୟ ସରକାର ଆଜ୍ଞବହ ଭାବେ ପାଳନ କରୁଛନ୍ତି। ବିଜେଡ଼ି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ। ଏହା ବିଧାନସଭାରେ ପ୍ରମାଣିତ ହୋଇଛି ବୋଲି କଂଗ୍ରେସ୍‌ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ଇନ୍‌ଫ୍ରାଷ୍ଟକଚର ଡେଭଲପ୍‌ମେଣ୍ଟ କରର୍ପୋରେସନ୍‌ ସଂଶୋଧନ ବିଲ୍‌, ଦ କଣ୍ଟ୍ରାକ୍ଟ ଲେବର ସଂଶୋଧନ ବିଲ୍‌-୨୦୨୦ ଓ ଦ ଫ୍ୟାକ୍ଟ୍ରିଜ୍‌ ସଂଶୋଧନ ବିଲ୍‌କୁ ଦୃଢ ବିରୋଧ କରିଛନ୍ତି ବିଧାୟକ ଶ୍ରୀ ମିଶ୍ର। ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି କେନ୍ଦ୍ର ସରକାର ଯାହା କହୁଛନ୍ତି ତାହା ଓଡ଼ିଶା ସରକାର ପାଳନ କରୁଥିବା ଏହି ତିନି ବିଲ୍‌ରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ଇନ୍‌ଫ୍ରାରଷ୍ଟରକଚର ଆମେଣ୍ଡମେଣ୍ଟ ବିଲ୍‌-୨୦୨୦ ରାଜ୍ୟ ସ୍ବାର୍ଥ ବିରୋଧୀ। ମେକ୍‌ ଇନ୍‌ ଓଡ଼ିଶା କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଶିଳ୍ପ ହେଲେ ସେ ଅଞ୍ଚଳରେ ବିକାଶ ହୋଇଥାଏ। କିନ୍ତୁ ଏହି ବିଲ୍‌ ଜରିଆରେ କେନ୍ଦ୍ର ସରକାରଙ୍କର ଏଜେଣ୍ଡାକୁ ବିଧାନସଭାରେ କାହିଁକି ପାସ୍‌ କରାଯାଇଛି। ଏହି ବିଲ୍‌ ଶିଳ୍ପପତିଙ୍କ ପାଇଁ ଉଦିଷ୍ଟ। ଏହା କାହା ସ୍ବାର୍ଥରେ ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟରେ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟର ବିକାଶ ହେଉ ନାହିଁ। ଓଡ଼ିଶାକୁ କେବଳ ଖଣି ଲୁଣ୍ଠନ କରିବାକୁ ଶିଳ୍ପ ସଂସ୍ଥା ଆସୁଛନ୍ତି। ସେହିପରି ଶ୍ରମିକ ଆଇନ ୨୦୨୦ ଗୃହରେ ଆଜି ପାରିତ ହୋଇଛି। କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ଏହି ବିଲ୍‌ ଅଣାଯାଇଥିବା ରାଜ୍ୟ ସରକାର ସଫେଇ ଦେଇଛନ୍ତି। ଏହା ନିହାତି ଭାବେ ନିନ୍ଦନୀୟ। ଏହି ବିଲ୍‌ରେ ରାତିରେ ମହିଳାଙ୍କୁ କାମ କରାଇବାକୁ ନିୟମ ରହିଛି। ନାରୀ ନିର୍ଯ୍ୟାତନା କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି। ଏଭଳି ସ୍ଥିତିରେ ଏହା ମହିଳା ବିରୋଧୀ । ଏହା ଶିଳ୍ପୀପତିଙ୍କୁ ସାହାର୍ଯ୍ୟ କରିବା ସହ ନାରୀ ନିର୍ଯ୍ୟାତନା ବଢାଇବ।
ନୟାଗଡ଼ ଦମ୍ପତି ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବା ଘଟଣାକୁ ନେଇ ଶ୍ରୀ ମିଶ୍ର କହିଛନ୍ତି, ଏହି ଘଟଣା ସତ ହୋଇଥିଲେ ଅତି ମାରାତ୍ମକ। ଏହାକୁ ତଦନ୍ତ କରାଯାଉ ଓ ବିଧାନସଭା ସରିବା ପରେ ସତ କ’ଣ ଜାଣିବାକୁ କଂଗ୍ରେସ୍‌ ଦଳ ଉଦ୍ୟମ କରିବ । ଏତେ ସୁରକ୍ଷା ସତ୍ତ୍ବେ ସେମାନେ କେମିତି ବିଧାନସଭା ଗେଟ୍ ପାଖକୁ ଆସି ଆତ୍ମାହୁତି ଉଦ୍ୟମ କଲେ ବୋଲି ସେ କହିଛନ୍ତି। ଗୁଇନ୍ଦା ପାଖରେ ଏନେଇ ଖବର ନଥିଲା। ଏହି ବିଧାନସଭା ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତାରାପ୍ରସାଦ ବାହିନୀପତି, ବିଧାୟକ ରମେଶ ଜେନା, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ମୁଖପାତ୍ର ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.