ବ୍ୟାଡ୍‌ମିଣ୍ଟନ କିମ୍ବଦନ୍ତୀ ନନ୍ଦୁ ନାଟେକରଙ୍କ ଦେହାନ୍ତ

ମୁମ୍ବଇ: ଭାରତ​ରେ ଜନ୍ମଗ୍ରହଣ କରିଥିବା ଅନ୍ୟତମ ଶ୍ରେଷ୍ଠ ବ୍ୟାଡ୍‌ମିଣ୍ଟନ ଖେଳାଳି ନନ୍ଦୁ ନାଟେକରଙ୍କର ବୁଧବାର ଦେହାନ୍ତ ଘଟିଛି। ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ଭାରତ ବାହାରେ ଚମ୍ପିଆନ୍ ହେବାରେ ନାଟେକର ପ୍ରଥମ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଥିଲେ। ୧୯୫୬ରେ ମାଲେସିଆରେ ଏକ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ନାଟେକର ଚମ୍ପିଆନ୍ ହୋଇଥିଲେ। ପୁଣି ନାଟେକର ପ୍ରଥମ ବ୍ୟାଡ୍‌ମିଣ୍ଟନ ଖେଳାଳି ଭାବେ ୧୯୬୧ରେ ଅର୍ଜୁନ ପୁରସ୍କାର ପାଇଥିଲେ। ତାଙ୍କ ପୁଅ ଗୌରବ ନାଟେକର ୭ ଥର ଜାତୀୟ ଟେନିସ୍ ଚମ୍ପିଆନ୍।

ପ୍ରକାଶ ପାଦ୍ୟୁକୋନ୍‌ଙ୍କ ଆବିର୍ଭାବ ପୂର୍ବରୁ ନନ୍ଦୁ ନାଟେକର ଦେଶର ୧ନଂ ବ୍ୟାଡ୍‌ମିଣ୍ଟନ ଖେଳାଳି ଥିଲେ। ୧୯୬୧ରେ ନାଟେକର ଦେଶର ସବୁଠାରୁ ଲୋକପ୍ରିୟ କ୍ରୀଡ଼ାବିତ୍‌ ବିବେଚିତ ହୋଇଥିଲେ। ୧୨ ବର୍ଷ ଧରି ନନ୍ଦୁ ନାଟେକର ଭାରତୀୟ ବ୍ୟାଡ୍‌ମିଣ୍ଟନରେ ରାଜୁତି କରିଥିଲେ ଏବଂ ୧୦୦ରୁ ଅଧିକ ଅନ୍ତର୍ଜାତୀୟ ଓ ଜାତୀୟ ଟାଇଟଲ ଜିତିଥିଲେ। ଭାରତର ପ୍ରଥମ ବ୍ୟାଡ୍‌ମିଣ୍ଟନ ଖେଳାଳି ଭାବେ ବିଶ୍ବ ସିଙ୍ଗଲ୍‌ସ ମାନ୍ୟତାରେ ଶୀର୍ଷ ୫ରେ ନନ୍ଦୁ ପହଞ୍ଚି ପାରିଥିଲେ। ସେ ୬ ଥର ଲେଖାଏଁ ଜାତୀୟ ସିଙ୍ଗଲ୍‌ସ ଓ ଡବଲ୍‌ସ ଟାଇଟଲ ଜିତିଥିବା ବେଳେ ୫ ଥର ମିକ୍ସଡ ଡବଲ୍‌ସ ଟାଇଟଲ ଜିତିଥିଲେ।

୧୯୫୪ରେ ନନ୍ଦୁ ସମ୍ମାନଜନକ ଅଲ୍‌ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌ର କ୍ବାର୍ଟରଫାଇନାଲ ଖେଳିଥିଲେ। ୧୯୫୯, ୧୯୬୧ ଓ ୧୯୬୩ରେ ନାଟେକର ଥମାସ୍ କପ୍‌ରେ ଭାରତର ନେତୃତ୍ବ ନେଇଥିଲେ। ୧୯୩୩ରେ ମହାରାଷ୍ଟ୍ରର ସାଙ୍ଗ୍‌ଲିରେ ଜନ୍ମଗ୍ରହଣ କରିଥିବା ନାଟେକର ପିଲାଦିନେ ଟେନିସ୍ ଓ ବ୍ୟାଡ୍‌ମିଣ୍ଟନ ଖେଳୁଥିଲେ। ହେଲେ ଏକ ଟୁର୍ଣ୍ଣାମେଣ୍ଟରେ ଟେନିସ୍ କିମ୍ବଦନ୍ତୀ ରାମନାଥନ୍ କୃଷ୍ଣନ୍‌ଙ୍କଠାରୁ ହାରିବା ପରେ ନାଟେକର କେବଳ ବ୍ୟାଡ୍‌ମିଣ୍ଟନ ଖେଳିଥିଲେ। ୧୯୫୩ରେ ୨୦ ବର୍ଷ ବୟସରେ ନାଟେକର ଜଣେ ଜାତୀୟସ୍ତରର ବ୍ୟାଡ୍‌ମିଣ୍ଟନ ଖେଳାଳି ଭାବେ କ୍ରୀଡ଼ାଜୀବନ ଆରମ୍ଭ କରିଥିଲେ। ପିତାଙ୍କ ପରି ପୁତ୍ର ଗୌରବ ନାଟେକର ମଧ୍ୟ ୧୯୯୬ରେ ଅର୍ଜୁନ ପୁରସ୍କାର ପାଇଥିଲେ। ନନ୍ଦୁ ନାଟେକରଙ୍କ ମୃତ୍ୟୁରେ ଦେଶର କ୍ରୀଡ଼ା ବ୍ୟକ୍ତିତ୍ବ, ମାନ୍ୟଗଣ୍ୟ ବ୍ୟକ୍ତି ଓ କ୍ରୀଡ଼ାନୁରାଗୀ ଶୋକବାର୍ତ୍ତା ପ୍ରେରଣ କରି ଚାଲିଛନ୍ତି।

Comments
Loading...