ମହିଳାଙ୍କୁ ସରପଞ୍ଚଙ୍କ ଦୁର୍ବ୍ୟବହାର ଓ ଲୁଟ ଅଭିଯୋଗ; ଅଭିେଯାଗ ରଖିଲାନି ପୁଲିସ

ମହିଳାଙ୍କ ନନ୍ଦନକାନନ ଥାନା ଘେରାଉ

ନନ୍ଦନକାନନ : ନନ୍ଦନକାନନ ଆଦର୍ଶ ଥାନା ଅଞ୍ଚଳରେ ଗତ ୩ ମାସ ହେବ ଜମିବାଡି ସଂକ୍ରାନ୍ତ ମାମଲା ବୃଦ୍ଧି ପାଇବାରେ ଲାଗିଛି। ପୁଲିସ ସହାୟତାରେ ସ୍ଥାନୀୟ କିଛି ପ୍ରଭାବଶାଳୀ ଲୋକ ଜମି ଜବରଦଖଲ କରିବା ସହ ଜବରଦସ୍ତ ବିକ୍ରି କରିବାକୁ ଧମକ ଦେଉଛନ୍ତି। ପୁଲିସରେ ଅଭିଯୋଗ କଲେ ଓଲଟି ଅଭିଯୋଗକାରୀଙ୍କ ବିରୋଧରେ ମାମଲା ହେଉଛି। ଏପରିକି କମିଶନରେଟ ପୁଲିସର ଦାଦା ବଟିକୁ ନା ଅଭିଯାନର ଦୂରୁପଯୋଗ ହେଉଥିବା ନେଇ ଅଭିଯୋଗ ହେଉଛି। ଶନିବାରର ଘଟଣା ଅଭିଯୋଗର ସତ୍ୟତାକୁ ପ୍ରମାଣିତ କରୁଛି। ଶୁକ୍ରବାର ରଘୁନାଥପୁର ମୌଜାରେ ଏକ ଜମି ବିବାଦକୁ କେନ୍ଦ୍ରକରି ସ୍ଥାନୀୟ ସରପଞ୍ଚ ଜଣେ ବିଧବା ମହିଳାଙ୍କୁ ଅଶାଳୀନ ବ୍ୟବହାର କରିବା ସହ ସୁନା ଚେନ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କୁ ଜୀବନରୁ ମାରିଦେବାର ଭୟ ଦେଖାଯାଇଛି ବୋଲି ମିଲି ରାଉତ ନନ୍ଦନକାନନ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ଥାନା ଅଧିକାରୀ ଅଭିଯୋଗକାରୀଙ୍କ ଏତଲା କପି ନ ଦେବାରୁ ଅଭିଯୋଗକାରୀ ଓ ଶତାଧିକ ମହିଳା ଶନିବାର ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ପ୍ରାୟ ଦୁଇଘଣ୍ଟା ପରେ ଏତଲା କପି ଦେବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୁଲିସ ପ୍ରତିଶ୍ରୁତି ଦେବାରୁ ମହିଳାମାନେ ଧାରଣାରୁ ଉଠିଥିଲେ।
ଅଭିଯୋଗରୁ ଜଣାଯାଇଛି ଯେ, ରଘୁନାଥପୁର ମୌଜାରେ ସ୍ୱର୍ଗତ ଚରଣ ରାଉତଙ୍କର ୪୦ ଡେସିମିଲି ଜମି ବିକ୍ରି ହୋଇଥିଲା। ସ୍ୱର୍ଗତ ରାଉତଙ୍କ ଦୁଇଝିଅ ସସ୍ମିତା ଦାସ ଓ ମିଲି ରାଉତଙ୍କର ଉତ୍ତରାଧିକାରୀ ହିସାବରେ ନାମ ଥିଲେ ମଧ୍ୟ ସେମାନଙ୍କୁ ଉପେକ୍ଷା କରି ଦୁଇ ଭାଇ ଜମି ବିକ୍ରି କରିଦେଇଥିଲେ। ଦୁଇ ଭଉଣୀ ଜମିର ନିଜର ଭାଗ ନେବାପାଇଁ ଜମି ନିକଟକୁ ଯିବା ବେଳକୁ ସେଠାରେ ସୁଶାନ୍ତ ପାତ୍ର ଅନ୍ୟମାନେ କାମ କରୁଥିଲେ। ଏହି ବିଷୟରେ ଦୁଇ ଭଉଣୀ ନନ୍ଦନକାନନ ଥାନାକୁ ଅବଗତ କରାଇଥିଲେ। ହେଲେ କାମ ବନ୍ଦ ହେବା ପରିବର୍ତ୍ତେ କାମ ଚାଲିଥିଲା। ପରେ ଦୁଇ ଭଉଣୀ ଜମି ନିକଟକୁ ଯାଇଥିବା ସମୟରେ ସରପଞ୍ଚ ପବିତ୍ର ପାତ୍ର ଓ ତାଙ୍କର ୪ ସହଯୋଗୀ ସେମାନଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ। ମିଲି ଏହାର ପ୍ରତିବାଦ କରିବାକୁ ତାଙ୍କ ବେକରୁ ସୁନାଚେନ ଛଡାଇ ନେଇଥିଲା ବେଳେ ସରପଞ୍ଚ ତାଙ୍କ ହାତକୁ ମୋଡି ଓ ଲୁଗା କାନି ଘୋଷାଡି ନେଇଥିଲେ। ଯେଉଁଥିରେ କି ସେ ଅର୍ଦ୍ଧଉଲଗ୍ନ ହୋଇପଡିଥିଲେ। ଏଭଳି ମାନସିକ ଓ ଶାରିରୀକ ଯନ୍ତ୍ରଣାର ଶିକାର ହୋଇ ନନ୍ଦନକାନନ ଆଦର୍ଶ ଥାନାରେ ସରପଞ୍ଚଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳିନଥିଲା। ଏମିତିକି ଏତଲା କପି ଦେବାକୁ ଥାନାଧିକାରୀ ମନା କରି ଦେଇଥିଲେ। ଏହି ଖବର ଶୁଣି ସାମାଜିକ କର୍ମୀ ଚିତ୍ରଲେଖା ଆଚାର୍ଯ୍ୟଙ୍କ ନେତୃତ୍ୱରେ ଶତାଧିକ ମହିିଳା ଥାନା ସମ୍ମୁଖରେ ମିଲିଙ୍କୁ ନ୍ୟାୟ ପ୍ରଦାନ ଓ ଅଭିଯୁକ୍ତ ସରପଞ୍ଚଙ୍କୁ ଗିରଫ ଦାବିକରି ଶୃଙ୍ଖଳା ସହ ଧାରଣାରେ ବସିଥିଲେ। ପ୍ରାୟ ଦୁଇଘଣ୍ଟା ପରେ ଥାନା ଅଧିକାରୀ ବିଶ୍ୱରଞ୍ଜନ ସେନାପତି ମହିଳାମାନଙ୍କୁ ଭେଟି ଏତଲା କପି ପ୍ରଦାନ ସହ ଦୋଷୀଙ୍କୁ ଗିରଫ କରାଯିବା ପାଇଁ ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଅଭିେଯାଗ ସମ୍ପର୍କରେ ସରପଞ୍ଚ ଶ୍ରୀ ପାତ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।

Comments are closed.