ପ୍ରଫେସର୍ ପ୍ରଫୁଲ୍ଲ କୁମାର ମିଶ୍ର ଓ ପ୍ରଫେସର୍ ରଘୁନାଥ ପଣ୍ଡାଙ୍କୁ ନାଲକୋ କାଳିଦାସ ସମ୍ମାନ

ନାଲକୋର ୪୦ତମ ପ୍ରତିଷ୍ଠା ଦିବସ ଅବସରରେ ସଫଳ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ନବରତ୍ନ ଲୋକଉଦ୍ୟମ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ) ପକ୍ଷରୁ ଏହାର ୪୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭୁବନେଶ୍ୱର ସ୍ଥିତ ନାଲକୋ ନଗରଠାରେ ଆୟୋଜିତ ଏକ ଉତ୍ସବରେ କଳାକାର, ଅନୁଷ୍ଠାନ ଏବଂ ପ୍ରସିଦ୍ଧ ବିଶାରଦଙ୍କୁ ଓଡ଼ିଶୀ ନୃତ୍ୟ, ଭିନ୍ନକ୍ଷମଙ୍କ ଥଇଥାନ ନିମନ୍ତେ କାର୍ଯ୍ୟ ଏବଂ ସଂସ୍କୃତ ଭାଷାର ପ୍ରଚାରପ୍ରସାର ଆଦି ପାଇଁ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ସଂସ୍କୃତ ଭାଷା ଓ ସାହିତ୍ୟର ପ୍ରଚାରପ୍ରସାର ପାଇଁ ପ୍ରଫେସର୍ ପ୍ରଫୁଲ୍ଲ କୁମାର ମିଶ୍ର ଏବଂ ପ୍ରଫେସର୍ ରଘୁନାଥ ପଣ୍ଡାଙ୍କୁ ନାଲକୋ କାଳିଦାସ ସମ୍ମାନ ପ୍ରଦାନ କରାଯାଇଛି।

ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ସଫଳତା ଓ ଅବଦାନ ପାଇଁ ନୃତ୍ୟଗୁରୁ ବର୍ଗରେ ଶ୍ରୀ ଭରତ ଚରଣ ଗିରି ଓ ରୂପଶ୍ରୀ ମହାପାତ୍ରଙ୍କୁ ନାଲକୋ ଖାରବେଳ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ନୃତ୍ୟଶିଳ୍ପୀ ବର୍ଗରେ ଶ୍ରୀ ଗୌରୀଶଙ୍କର ଦାଶ ଓ ମଞ୍ଜୁଶ୍ରୀ ପଣ୍ଡାଙ୍କୁ ନାଲକୋ ଖାରବେଳ ସମ୍ମାନ ପ୍ରଦାନ କରାଯାଇଛି। ଭିନ୍ନକ୍ଷମଙ୍କ ଥଇଥାନ ନିମନ୍ତେ କାର୍ୟ୍ୟ ପାଇଁ ଗଞ୍ଜାମ ଅର୍ଥୋପେଡିକାଲି ହାଣ୍ଡିକ୍ୟାପ୍ଡ ୱେଲ୍ଫେୟାର୍ ଆସୋସିଏସନ୍କୁ ନାଲକୋ ସ୍ମାଇଲ୍ସ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରତ୍ୟେକ ବିଜେତାଙ୍କୁ ପୁରସ୍କାର ରାଶି ଓ ମାନପତ୍ର ପ୍ରଦାନ କରାଯାଇଥିଲା।

ଏହି ଅବସରରେ, ଉଦ୍ବୋଧନ ଦେଇ ନାଲକୋର ଅଧ୍ୟକ୍ଷ ଶ୍ରୀଧର ପାତ୍ର ସମସ୍ତଙ୍କୁ ସେମାନଙ୍କ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଓ ଅବଦାନ ପାଇଁ ପ୍ରଶଂସା କରିବା ସହ ୪୦ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ନାଲକୋର ଭବିଷ୍ୟତ ପାଇଁ ଯୋଜନା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଶ୍ରୀ ପାତ୍ର କହିଲେ ଯେ ବିଗତ ୪ ଦଶନ୍ଧିରେ ନାଲକୋ ଅନେକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଅନୁଷ୍ଠାନ ସହିତ ଆମର ସମ୍ପର୍କ ଓ ସାନ୍ନିଧ୍ୟର ପ୍ରତିଫଳନ ତଥା କମ୍ପାନୀକୁ ସଫଳତାର ନୂତନ ପଥରେ ଆଗେଇନେବା ପାଇଁ ଆମର ପ୍ରତିବଦ୍ଧତାର ନିଦର୍ଶନା ଭାବେ ଆମେ ପ୍ରତିଷ୍ଠା ଦିବସ ପାଳନ କରିଥାଉ ବୋଲି ସେ କହିଥିଲେ। ଏହି ଅବସରରେ, ସେ ନାଲକୋର ପ୍ରତିଷ୍ଠାତାମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ନାଲକୋକୁ ଏକ ସଫଳ ଶିଳ୍ପାନୁଷ୍ଠାନ ଭାବେ ଗଢିତୋଳିବା ପାଇଁ ନିରନ୍ତର କାର୍ୟ୍ୟରତ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

Comments are closed.