୩ ଶିକାରୀ ସହ ୨ ଜନ୍ତୁମାଂସ ବ୍ୟବସାୟୀ ଗିରଫ

ଦେଶୀ ବନ୍ଧୁକ ସହ ୩ ଅଫୁଟା ଗୁଳି ଏବଂ ୧୪ ଶୁଆପକ୍ଷୀ ଶାବକ ଜବତ

ନାକଟିଦେଉଳ: ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳରେ ବ୍ୟାପକ ପରିମାଣରେ ବନ୍ୟଜନ୍ତୁ ଓ ପକ୍ଷୀ ଶିକାର ହେଉଥିବା ଜଣାପଡ଼ିଛି। ବୁଧବାର ଗିରିଶ୍ଚନ୍ଦ୍ରପୁର ବନବିଭାଗ ପକ୍ଷରୁ ଏହି ଅଞ୍ଚଳରେ ଚଢ଼ଉ କରି ୩ ଜଣ ଶିକାରୀ ସହ ୨ ଜଣ ବନ୍ୟଜନ୍ତୁ ମାଂସ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ ସହ ୩ଟି ଜୀବନ୍ତ ଗୁଳି ଏବଂ ୧୪ଟି ଶୁଆ ପକ୍ଷୀ ଶାବକ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ବୁଧବାର ଅଞ୍ଚଳର କିଛି ଶିକାରୀ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳ ଅନ୍ତର୍ଗତ ଲଣ୍ଡାକୋଟ ସଂରକ୍ଷିତ ଜଙ୍ଗଲରୁ ଅବାଧରେ ବନ୍ୟଜନ୍ତୁ ଶିକାର କରି ଫେରୁଥିବାବେଳେ ପାଣିମୁରା ପଞ୍ଚାୟତର ବଡ଼ବାହାଳ ପୂର୍ତ୍ତବିଭାଗ ରାସ୍ତା ଉପରେ ଗିରିଶ୍ଚନ୍ଦ୍ରପୁର ବନବିଭାଗ ପକ୍ଷରୁ ଚଢ଼ଉ କରିଥିଲେ। ଚଢ଼ଉରେ ବଡ଼ବାହାଲ ଗ୍ରାମର ୩ ଜଣ ଶିକାରୀ ଧର୍ମୁ ଶବର, କାର୍ତ୍ତିକ ଶବର ଓ ରମାକାନ୍ତ ଶବରଙ୍କୁ ଗିରଫ କରିବାସହ ଜନ୍ତୁମାଂସ ବ୍ୟବସାୟରେ ସମ୍ପୃକ୍ତ କିସିଣ୍ଡା ଥାନା ଅନ୍ତର୍ଗତ ପରଧିଆମୁଣ୍ଡା ଗ୍ରାମର ଇନ୍ଦ୍ର ବେହେରା ଓ ସନ୍ତୋଷ ବେହେରାଙ୍କୁ ଗିରଫ କରିଥିିବା ଜଣାପଡ଼ିଛି। ଏଥିସହିତ ସେମାନଙ୍କଠାରୁ ୫ କେଜି କୁଟୁରା ମାଂସ, ଗୋଟିଏ ଦେଶୀ ବନ୍ଧୁକ ସହ ୩ଟି ଅଫୁଟା ଗୁଳି ଏବଂ ୧୪ଟି ଶୁଆ ପକ୍ଷୀ ଶାବକ ଜବତ କରିଛନ୍ତି। ଉଦ୍ଧାର ହୋଇଥିବା ଶୁଆ ପକ୍ଷୀ ଶାବକ ଗୁଡ଼ିକୁ ବନବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଲଣ୍ଡାକୋଟ ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଅପରପକ୍ଷରେ ସମ୍ପୃକ୍ତ ଶିକାରୀମାନଙ୍କଠାରୁ ୨ଟି ଧନୁତୀର, ଗୋଟିଏ ଫାର୍ସା, ଗୋଟିଏ ବାଇକ୍‌ ଏବଂ ସମ୍ବର ମୁଣ୍ଡ ସହିତ ଗୋଟିଏ ସିଙ୍ଘ ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି। ଗିରଫ ସମସ୍ତ ଶିକାରୀ ଏବଂ ଜନ୍ତୁମାଂସ ବ୍ୟବସାୟୀଙ୍କୁ ଗୁରୁବାର ବନବିଭାଗ ପକ୍ଷରୁ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ବଳରେ ରେଢାଖୋଲରେ ଅଦାଲତ ଚାଲାଣ କରାଯାଇଛି।

ବଡ଼ବାହାଳ ଗ୍ରାମ ନିକଟସ୍ଥ ଲଣ୍ଡାକୋଟ ସଂରକ୍ଷିତ ଜଙ୍ଗଲରୁ ଜନ୍ତୁ ଶିକାର କରି ସମ୍ପୃକ୍ତ ଅପରାଧୀମାନେ ଫେରୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳାଧିକାରୀ ସୁଶାନ୍ତ କୁମାର ବନ୍ଧଙ୍କ ନିର୍ଦେଶକ୍ରମେ ବନପାଳ ସୁଜିତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଫରେଷ୍ଟ ଗାର୍ଡ଼ ମୀନା ମୁଣ୍ଡା, ବିନୋଦ ବିହାରୀ ମେହେର, ଅନୀଲ କୁମାର ନାଏକ ଏବଂ ଅନନ୍ତ ମିର୍ଦ୍ଧା ପ୍ରମୁଖ ସଦଳବଳେ ଚଢ଼ଉ କରିଥିଲେ। ପ୍ରକାଶ ଥାଉକି, ଗିରିିଶ୍ଚନ୍ଦ୍ରପୁର ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ସଂରକ୍ଷିତ ଜଙ୍ଗଲରୁ ଅବାଧ ଜନ୍ତୁ ଶିକାର କରାଯାଇ ବିଭିନ୍ନ ସମୟରେ ବାହାରକୁ ଚୋରାଚାଲାଣ କରାଯାଉଥିବାବେଳେ ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବ୍ୟାପକ ପରିମାଣର ଜନ୍ତୁମାଂସ ଜବତ କରାଯିବା ସହ ଶିକାରୀମାନଙ୍କୁ ଗିରଫ କରାଯାଇଛି।

Comments are closed.