ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ : ଶ୍ରୀକୃଷ୍ଣଙ୍କ ଐଶ୍ବର୍ଯ୍ୟ ଲୀଳାର ସ୍ମାରକୀ

ସେ ଳୀଳାମୟ​,କୋଟି ବ୍ରହ୍ମାଣ୍ଡର ମଉଡ଼ମଣୀ, ​‌ଜଗତରନାଥ ଶ୍ରୀଜଗନ୍ନାଥ, ମହାପ୍ରଭୁଙ୍କର ଲୀଳା ଓ ବେଶକୁ ନେଇ ଅନେକ କଥା, କାହାଣୀ, ଲୋକକଥା ଏବଂ ଉପାଖ୍ୟାନ ରହିଛି। ନାଗାର୍ଜୁନ ବେଶକୁ ନେଇ କିଛି ତଥ୍ୟ ଓ କଥା….

ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଶ୍ରୀକୃଷ୍ଣ ଐଶ୍ବର୍ଯ୍ୟ ଲୀଳାର ସ୍ମାରକୀ। ଦ୍ବାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କ ଶିକ୍ଷାଗୁରୁ ସନ୍ଦିପନୀଙ୍କ ପତ୍ନୀଙ୍କୁ ଗୁରୁ ଦକ୍ଷିଣା ସ୍ବରୂପ ତାଙ୍କର ମୃତ ପଞ୍ଚପୁତ୍ରଙ୍କୁ ଯମପୁରରୁ ଫେରାଇ ଆଣିବାପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ। ଏଥିପାଇଁ ଶ୍ରୀକୃଷ୍ଣ ଯମପୁରକୁ ଯାଇ ଯମରାଜାଙ୍କୁ ସନ୍ଦିପନୀଙ୍କ ପଞ୍ଚପୁତ୍ରଙ୍କର ପ୍ରାଣଭିକ୍ଷା କରିଥିଲେ। ଯମପୁର ପରିଦର୍ଶନ ସମୟରେ ନିଜର ପ୍ରିୟ ସଖା ପାଣ୍ଡବମାନଙ୍କର ମୃତ ପିତା ପଣ୍ଡୁଙ୍କୁ ଦେଖିବାର ସୁଯୋଗ ପାଇଥିଲେ । ଦୀର୍ଘ ଏକସ୍ତରୀ ବର୍ଷ ହେଲା ପଣ୍ଡୁ ଶରୀର ତ୍ୟାଗ କରିଥିଲେ ମଧ୍ୟ ସେ ବ୍ରହ୍ମ ଲୋକରେ ପହଞ୍ଚି ପାରି ନାହାଁନ୍ତି ବରଂ ଯମରାଜାଙ୍କ ରାଜସିଂହାସନ ତଳେ ଦଣ୍ଡାୟମାନ ହୋଇ ରହିଛନ୍ତି । ଏହି ଦୃଶ୍ୟ ଦେଖି ଶ୍ରୀକୃଷ୍ଣ ପଣ୍ଡୁଙ୍କ ସଂପର୍କରେ ଯମରାଜାଙ୍କୁ ପଚାରିଥିଲେ । ଯମରାଜା ନିଜ ଉତ୍ତରରେ ପଣ୍ଡୁ ଜୀବିତାବସ୍ଥାରେ ମୃଗୟା ସମୟରେ ଆଗ୍ନିକ ଋଷିଙ୍କୁ (ମୃଗ ରୂପରେ ରତିକ୍ରୀଡ଼ା କରୁଥିବା ସମୟରେ) ଜଙ୍ଗଲରେ ଶର ନିକ୍ଷେପ କରି ବଧ କରିଥିବାରୁ ବ୍ରହ୍ମହତ୍ୟା ଦୋଷରେ ଦୋଷୀ ବୋଲି ଶ୍ରୀକୃଷ୍ଣଙ୍କୁ କହିଥିଲେ। ବ୍ରହ୍ମହତ୍ୟା ଦୋଷରେ ଦୋଷୀ ହୋଇଥିବାରୁ ଏବଂ ତା’ର ପ୍ରାୟଶ୍ଚିତ ପ୍ରତିକାର କରା ନହୋଇଥିବାରୁ ପଣ୍ଡୁ ବ୍ରହ୍ମଲୋକ ପ୍ରାପ୍ତିରୁ ବଞ୍ଚିତ ହୋଇ ଅଛନ୍ତି । ଶ୍ରୀକୃଷ୍ଣ ସନ୍ଦିପନୀଙ୍କର ପାଞ୍ଚପୁତତ୍ରଙ୍କର ଜୀବନ ପ୍ରଦାନ ସହ ଦ୍ବାରକାକୁ ଫେରି ଜ୍ୟେଷ୍ଠ ଭ୍ରାତା ବଳରାମଙ୍କୁ ଯମପୁରରେ ଦେଖିଥିବା ସମସ୍ତ ଦୃଶ୍ୟ ଓ ପଣ୍ଡୁ ରାଜାଙ୍କ ଦୁର୍ଦ୍ଦଶା କଥା କହିଲେ। ଭାଇ ବଳରାମ ନାରଦଙ୍କୁ ଡକାଇ ଇନ୍ଦ୍ରପ୍ରସ୍ଥର ରାଜା ଯୁଧିଷ୍ଠିରଙ୍କୁ ପଣ୍ଡୁଙ୍କ ସନ୍ଦେଶ ଦେବାକୁ ଏବଂ ଏହାର ପ୍ରାୟଶ୍ଚିତ୍ତ କରିବାକୁ ନିର୍ଦ୍ଦେଶ ଦେଲେ। କୃଷ୍ଣ-ବଳରାମଙ୍କ ନିର୍ଦ୍ଦେଶରେ ନାରଦ ଇନ୍ଦ୍ରପ୍ରସ୍ଥ ଯାଇ ତାଙ୍କ ପିତାଙ୍କ କଥା ଜଣାଇଲେ। ପିତାଙ୍କ ଏତାଦୃଶ ଅବସ୍ଥା କଥା ଶୁଣି ରାଜା ଯୁଧିଷ୍ଠିର ଦୁଃଖ ପ୍ରକାଶ କରିବା ସଂଗେ ସଂଗେ ନିଜକୁ ଧିକ୍କାର କଲେ।

କେଉଁ ପ୍ରାୟଶ୍ଚିତ ଦ୍ବାରା ପିତାଙ୍କର ବ୍ରହ୍ମଲୋକ ପ୍ରାପ୍ତି ହେବ ତାର ପ୍ରତିକାର ପାଇଁ ନାରଦଙ୍କୁ ଉପାୟ ଚିନ୍ତା କରିବାକୁ କହିଲେ । ବ୍ରହ୍ମହତ୍ୟା ଦୋଷରୁ ପିତୃମୋକ୍ଷ ପାଇଁ ଚାରୋଟି ଉପାୟ ରହିଥିବା କଥା ନାରଦ ଯୁଧିଷ୍ଠିରଙ୍କୁ ଅବଗତ କରାଇଲେ। ପୁତ୍ର ଅବିଛିନ୍ନ ଭାବରେ ଅନ୍ନଦାନ ଦେବ। ଦ୍ବିତୀୟଟି ହେଲା ପୁତ୍ର ଯଦି ବ୍ରହ୍ମଜ୍ଞାନ ସାଧନା କରିବ । ତୃତୀୟଟି ହେଲା ଧାରା ତୀର୍ଥ କରିବା ଅର୍ଥାତ୍ ଶେଷ ଜୀବନ ପର୍ଯ୍ୟନ୍ତ ତୀର୍ଥାଟନ କରିବା । ଚତୁର୍ଥଟି ପୁତ୍ର ଯଦି ରାଜସ୍ବୀୟ ଯଜ୍ଞ କରିପାରେ । ଏହି ଚାରୋଟି ମଧ୍ୟରୁ ଯୁଧିଷ୍ଠିରଙ୍କ ପକ୍ଷରେରାଜସ୍ବୀୟ ଯଜ୍ଞ ଅପେକ୍ଷାକୃତ ଗ୍ରହଣଯୋଗ୍ୟ ହେଲା । ରାଜସ୍ବୀୟ ଯଜ୍ଞ ପାଇଁ ଏକଲକ୍ଷ ରାଜାଙ୍କୁ ନିମନ୍ତ୍ରଣ କରାଯିବ । ଶତ୍ରୁ ମିତ୍ର ସମସ୍ତ ରାଜା ରାଜସ୍ବୀୟ ଯଜ୍ଞରେ ଉପସ୍ଥିତ ରହିବେ। ଏ ସମସ୍ତ ବିଚାର ବିମର୍ଶ ମଧ୍ୟରେ ପାଣ୍ଡବ ତଥା ଶ୍ରୀକୃଷ୍ଣଙ୍କର ପରମ ଶତୃ ଜରାସନ୍ଧ ହିଁ ଭୟର କାରଣ ହେଲା।  ରାଜା ଯୁଧିଷ୍ଠିର ଦ୍ବାରକାରୁ ଶ୍ରୀକୃଷ୍ଣଙ୍କୁ ଡକାଇ ସମସ୍ୟା ସଂପର୍କରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଜରାସନ୍ଧକୁ ବଧ କରିବା ପାଇଁ ଶ୍ରୀକୃଷ୍ଣ ଦ୍ବିତୀୟ ପାଣ୍ଡବ ଭୀମକୁ ନିୟୋଜିତ କଲେ। ଜରାସନ୍ଧ ବଧ ପରେ ରାଜସ୍ବୀୟ ଯଜ୍ଞର ପ୍ରସ୍ତୁତି ଆରମ୍ଭ ହେଲା। ରାଜା ଯୁଧିଷ୍ଠିରଙ୍କ ଆଦେଶରେ ପାଣ୍ଡବ ଚାରିଭାଇ ସ୍ବର୍ଗ, ମର୍ତ୍ତ୍ୟ ଓ ପାତାଳର ରାଜାମାନଙ୍କୁ ନିମନ୍ତ୍ରଣ କରିବାକୁ ଗଲେ। ରାଜସ୍ବୀୟ ଯଜ୍ଞ ଷୋହଳଦିନ ଅନୁଷ୍ଠିତ ହେବ। ଏହି ଷୋହଳଦିନ ଅବିଛିନ୍ନ ଭାବରେ ଅନ୍ନଦାନ, ବସ୍ତ୍ରଦାନ, ଧନରତ୍ନ ଦାନ ଓ ଯଜ୍ଞ କୁଣ୍ଡରେ ଘୃତଦାନ ଅନୁଷ୍ଠିତ ହେବ ।

ଅର୍ଜୁନ ପାତାଳପୁରରେ ପ୍ରବେଶ କରି ବାସୁକୀ ରାଜାଙ୍କୁ ରାଜସ୍ବୀୟ ଯଜ୍ଞର ନିମନ୍ତ୍ରଣ ଜଣାଇଲେ। ବାସୁକୀ ପୃଥିବୀକୁ ମସ୍ତକରେ ଧାରଣ କରିଥିବାରୁ ଯଜ୍ଞରେ ଯୋଗ ଦେବାକୁ ନିଜର ଅକ୍ଷମତା ପ୍ରକାଶ କଲେ। ଏକଥା ଶୁଣିଲା ପରେ ଅର୍ଜ୍ଜୁନ ନିଜର ଧନୁରେ ପୃଥିବୀକୁ ଧାରଣ କରିପାରିବେ ବୋଲି କହନ୍ତେ ବାସୁକୀ ପୃଥିବୀକୁ ଅର୍ଜ୍ଜୁନଙ୍କ ଧନୁହୁଳ ଉପରେ ରଖିଲେ । ବାସୁକୀଙ୍କ ଅନୁପସ୍ଥିତିରେ ଅର୍ଜ୍ଜୁନ ନିଜର ଧନୁରେ ପୃଥିବୀକୁ ଧାରଣ କରି ପାତାଳପୁରରେ ରହିଲେ। ବାସୁକୀ ନିଜର ଅନିନ୍ଦ୍ୟ ସୁନ୍ଦରୀ ଅଲିଅଳି କନ୍ୟା ସନ୍ଧ୍ୟାବାଳୀକୁ ଅର୍ଜ୍ଜୁନଙ୍କ ସେବାରେ ନିୟୋଜିତ କରି ଯୁଧିଷ୍ଠିରଙ୍କ ରାଜସ୍ବୀୟ ଯଜ୍ଞରେ ଯୋଗ ଦେବାକୁ ଆସିଲେ। ଇତ୍ୟବସରରେ ଅର୍ଜ୍ଜୁନ ଓ ସନ୍ଧ୍ୟାବାଳୀର ପ୍ରେମ ସଂଗଠିତ ହୋଇ ସନ୍ଧ୍ୟାବାଳୀ ଗର୍ଭବତୀ ହେଲା। ବାସୁକୀ ରାଜସ୍ବୀୟ ଯଜ୍ଞ ସାରି ମର୍ତ୍ତ୍ୟରୁ ଫେରିଲେ। ସନ୍ଧ୍ୟାବାଳୀ ଓ ଅର୍ଜ୍ଜୁନଙ୍କ ପ୍ରେମ ସଂପର୍କ ଜାଣି କନ୍ୟାକୁ ଅର୍ଜ୍ଜୁନଙ୍କୁ ପ୍ରଦାନ କଲେ । ପାତାଳପୁରରେ କିଛି ଦିନ ଅବସ୍ଥାନ କରିବା ପରେ ଅର୍ଜ୍ଜୁନ ଇନ୍ଦ୍ରପ୍ରସ୍ଥ ଆସିବାକୁ ମନସ୍ଥ କଲେ। ଅର୍ଜ୍ଜୁନଙ୍କ ଅନୁପସ୍ଥିତି ଗର୍ଭବତୀ ସନ୍ଧ୍ୟାବାଳୀ ପାଇଁ ଦୁର୍ବିସହ ବୋଲି ଜାଣି ରାଜପ୍ରାସାଦର ଏକ ବୃକ୍ଷକୁ ନିଜର ଉପସ୍ଥିତି ବୋଲି ମନେ କରିବାକୁ ଅର୍ଜ୍ଜୁନ ପତ୍ନୀକୁ ପ୍ରବୋଧନା ଦେଲେ । ସେହି ବୃକ୍ଷ ଅର୍ଜ୍ଜୁନ ବୃକ୍ଷ ନାମରେ ପରିଚିତ। ପରିଶେଷରେ ସନ୍ଧ୍ୟାବାଳୀଠାରୁ ବିଦାୟ ନେଇ ଅର୍ଜ୍ଜୁନ ମର୍ତ୍ତ୍ୟପୁରରେ ପହଞ୍ଚିଲେ।

ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ସନ୍ଧ୍ୟାବାଳୀର ଗର୍ଭସଂଚାର ହୋଇଥିଲା । କୁମ୍ଭସଂକ୍ରାନ୍ତି ପାଂଚଦିନ ଫାଲଗୁନ ମାସ
କୃଷ୍ଣପକ୍ଷ ଚତୁର୍ଥୀ ତିଥି ରବିବାର ଦିନ ଦଶ ଦଣ୍ଡ ହସ୍ତା ନକ୍ଷତ୍ରରେ ପୁତ୍ର ଜନ୍ମ ହେଲା । ମାତା ସନ୍ଧ୍ୟାବାଳୀ ନାଗକୁଳର ଏବଂ ପିତା ତୃତୀୟ ପାଣ୍ଡବ ଅର୍ଜ୍ଜୁନ। ଉଭୟଙ୍କ ନାମ ସମିଶ୍ରଣରେ ପୁତ୍ରର ନାମ ନାଗାର୍ଜୁନ ରଖାଗଲା। ଦିନକୁ ଦିନ ପୁତ୍ରର ତେଜ ବୃଦ୍ଧି ପାଇ ମହାକ୍ରମଶାଳୀ କିଶୋର ପୁତ୍ର ଅସୀମ ଶକ୍ତିର ଅଧିକାରୀ ହୋଇ ନାଗକୂଳରେ ଆତଙ୍କ ସୃଷ୍ଟି କଲା। ଏକଦା ତକ୍ଷକ ନାଗର ପୁତ୍ର ବାତାବଳୀ ନାଗାର୍ଜୁନଙ୍କୁ ପିତାଙ୍କ ସଂପର୍କରେ ପ୍ରଶ୍ନ କଲେ । ଏହି ପ୍ରଶ୍ନରେ ଅପମାନିତ ହୋଇ ନାଗାର୍ଜ୍ଜୁନ ମା’ଙ୍କ ନିକଟକୁ ଆସି ପିତାଙ୍କ ପରିଚୟ, ବାସସ୍ଥାନ ଇତ୍ୟାଦି ବିଷୟରେ ଜାଣିବାକୁ ଚାହିଁଲା। ମା’ଙ୍କଠାରୁ ସମସ୍ତ ବିଷୟ ଅବଗତ ହୋଇ ପିତାଙ୍କୁ ସାକ୍ଷାତ କରିବା ପାଇଁ ଜିଦ୍ ଧରିଲା। ମାତାଙ୍କଠାରୁ ଆଶୀର୍ବାଦ ଓ ବିଦାୟ ନେଇ ମର୍ତ୍ତ୍ୟ ଲୋକକୁ ଅଗ୍ରସର ହେଲା ।

ଅନ୍ବେଷଣରେ ମର୍ତ୍ତ୍ୟଲୋକରେ ବୁଲୁ ବୁଲୁ କାଶୀନଦୀ ତୀରରେ ପହଞ୍ଚିଲା । ନଦୀପାର ହେବାକଥା ଚିନ୍ତାକରି ନଦୀର କୂଳେ କୂଳେ ଯାଉ ଯାଉ ଏକ ଅନୁପମ ଉଦ୍ୟାନ ଦେଖିଲା । ସେ ଉଦ୍ୟାନର ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ। ମଳୟର ପବନ ଅନବରତ ପ୍ରବାହିତ। ନାନାଜାତିର ସୁଗନ୍ଧ ପୁଷ୍ପ, ଝରଣା, ବନ୍ୟ ଜୀବଜନ୍ତୁ ରହିଛନ୍ତି । ଇନ୍ଦ୍ରଙ୍କର ପ୍ରମୋଦ ଉଦ୍ୟାନ ନନ୍ଦନକାନନ ଅପେକ୍ଷା ଏହା ଅତ୍ୟନ୍ତ ଆକର୍ଷଣୀୟ। ଏହି ଉଦ୍ୟାନ  ‘ହର ଉଦ୍ୟାନ’ ନାମରେ ପରିଚିତ । ଏହି ଉଦ୍ୟାନର ପୂର୍ବ ଦ୍ବାରରେ ଦ୍ବାରପାଳ ଆଦିତ୍ୟ, ଦକ୍ଷିଣ ଦ୍ବାରର ଦ୍ବାରପାଳ ଗଣେଶ, ଉତ୍ତର ଦ୍ବାରର ଦ୍ବାରପାଳ ଚଣ୍ଡପ୍ରଚଣ୍ଡ ଓ ପଶ୍ଚିମ ଦ୍ବାରର ଦ୍ବାରପାଳ ଜୟନ୍ତିକ ଅଜୟନ୍ତିକ । ଉଦ୍ୟାନ ମଧ୍ୟରେ ବହୁ ମୁନିଋଷି  ଧ୍ୟାନମଗ୍ନ।
ନାଗାର୍ଜ୍ଜୁନ ଉଦ୍ୟାନର ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇ ସେଠାରେ ରହିବାକୁ ଇଚ୍ଛା ପ୍ରକାଶ କଲା । ଦକ୍ଷିଣ ଦ୍ବାରର ଦ୍ବାରପାଳ ଗଣେଶଙ୍କୁ ନିଜର ମନର ଅଭିଳାଷ ଜଣାଇବାରୁ ଗଣେଶ ମନା କରିବା ସଂଗେ ସଂଗେ କେବଳ ଦେବ ଦେବ ମହାଦେବ ସନ୍ତୁଷ୍ଟ ହୋଇ ଅନୁମତି ପ୍ରଦାନ କଲେ ଓ ଏହି ଉଦ୍ୟାନରେ ବାସ କରିହୁଏ ବୋଲି କହିଲେ।
ମହାଦେବଙ୍କୁ ସନ୍ତୁଷ୍ଟ କରିବାକୁ ନାଗାର୍ଜୁନ କଠୋର ତପସ୍ୟାରେ ବସିଲା । ନଦୀର ବାଲିରେ ଏକ ବାଲୁକା ଲିଙ୍ଗ ସ୍ଥାପନ ପୂର୍ବକ ଅଜପା ରୁଦ୍ରବ୍ରହ୍ମ ମନ୍ତ୍ର ଜପକଲା । କେବଳ ତୁଳସୀପତ୍ର ରକ୍ଷଣ କରି ତପସ୍ୟାରତ ହେଲା । ଏହି ତପସ୍ୟାରେ ରୁଦ୍ର ସନ୍ତୁଷ୍ଟ ହୋଇ ନାଗାର୍ଜୁନ ସମ୍ମୁଖରେ ଆବିର୍ଭାବ ହେଲେ ଏବଂ ବର ଯାଚିଲେ। ନାଗାର୍ଜୁନ ତ୍ରିପୁର ବିଜୟୀ ବର ସହିତ ପାଶୁପାତ ଶର, ତ୍ରିଶୂଳ ଖଟ୍ବାଂଗ, ଅମୋହ ମୁଦି, ନାଗଫାଶ ଇତ୍ୟାଦି ଅସ୍ତ୍ର ଲାଭ କଲା। ରୁଦ୍ର ନାଗାର୍ଜୁନଙ୍କୁ ପୁତ୍ର ବୋଲି ସମ୍ବୋଧନ କରି ମହାକାଳ ନାରାଚ ମଧ୍ୟ ପ୍ରଦାନ କଲେ । ନାଗାର୍ଜୁନ ରୁଦ୍ରଙ୍କ ସହ ମା’ ପାର୍ବତୀଙ୍କୁ ସାକ୍ଷାତ କଲା। ପାର୍ବତୀ ପୁତ୍ର ବୋଲି ସମ୍ବୋଧନ କରି ତ୍ରିଜୀବୀବର ଓ ଅମୋହ ଶକ୍ତି ପ୍ରଦାନ କଲେ। ହର ଉଦ୍ୟାନରେ ରହିବାକୁ ଅନୁମତି ଦେବାକୁ ସ୍ବାମୀଙ୍କୁ ଅନୁରୋଧ କଲେ। ଶିବ ପାର୍ବତୀଙ୍କ ପ୍ରିୟ ପୁତ୍ର ହେବାରୁ ଗଣେଶ ପରଶୁ ଓ ଅମ୍ରୁତାକ୍ଷଶର, କାର୍ତ୍ତିକେୟ, ସୂର୍ଯ୍ୟ ବ୍ରତ ଶର ଓ ହେମଗଦା ବାରାହୀ ଦେବୀ ଅଗ୍ନି ନାରାଚ ଓ ମହାକାଳ ବାଣ ପ୍ରଦାନ କଲେ । ଏହି ସମସ୍ତ ଅସ୍ତ୍ର ଲାଭ କରି ନାଗାର୍ଜୁନ ମା’ ପାର୍ବତୀଙ୍କ ନିର୍ଦ୍ଦେଶରେ ହର ଉଦ୍ୟାନରେ ଥିବା ଶିବଙ୍କର ଅତିପ୍ରିୟ ଗଣ୍ଡାର ରକ୍ଷଣାବେକ୍ଷଣ ଦାଯିତ୍ବ ଗ୍ରହଣ କଲା ।

ଦିନେ ରାଜା ଯୁଧିଷ୍ଠିର ବରୁଣାବନ୍ତରେ ଥିବାବେଳେ ନାରଦ ଉପସ୍ଥିତ ହେଲେ। ନାରଦଙ୍କୁ ଦେଖି ଯୁଧିଷ୍ଠିର ପିତା ପଣ୍ଡୁଙ୍କ ସଂପର୍କରେ ପଚାରିଲେ। ନାରଦ ଅତ୍ୟନ୍ତ ବିଷର୍ଣ୍ଣ ବଦନରେ କହିଲେ ଯେ ଅଦ୍ୟାବଧି ପଣ୍ଡୁଙ୍କୁ ବ୍ରହ୍ମଲୋକ ପ୍ରାପ୍ତି ହୋଇନାହିଁ । ଯମରାଜା ସିଂହାସନର ତୃତୀୟ ପାହାଚ ତଳେ ଛିଡା ହୋଇଥିବା ପଣ୍ଡୁ ରାଜସ୍ବୀୟ ଯଜ୍ଞ ପରେ ୨ୟ ପାହାଚକୁ ଉଠିଛନ୍ତି । ବ୍ରହ୍ମଲୋକକୁ ଯିବାକୁ ଆହୁରି ଗୋଟିଏ ପାହାଚ ବାକି ଅଛି। ଯୁଧିଷ୍ଠିର ଏକଥା ଶୁଣି ମର୍ମାହତ ହେଲେ। ନାରଦ ସାନ୍ତ୍ବନା ପ୍ରଦାନ କରି କହିଲେ ଯେ ତୁମେ ରାଜସ୍ବୟ ଯଜ୍ଞ କରିଛ ସତ କିନ୍ତୁ ପିତୃଶ୍ରାଦ୍ଧ କରି ନାହଁ । ଏଣୁ ତୁମର ପିତା ବ୍ରହ୍ମଲୋକର ଏକ ପାହାଚ ତଳେ ଦଣ୍ଡାୟମାନ। ଯୁଧିଷ୍ଠିର ଏକଥା ଶୁଣି ନିଜର ଭାଇମାନଙ୍କୁ ଡାକିଲେ ଏବଂ ଶ୍ରାଦ୍ଧ ନିମିତ୍ତ ଶୀଘ୍ର ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେଲେ। ଏହି ଶ୍ରାଦ୍ଧ ନିମିତ୍ତ ଗଣ୍ଡା ମାଂସର ଆବଶ୍ୟକତା ସଂପର୍କରେ ଜଣାଇବାରୁ ଅର୍ଜୁନ ଗଣ୍ଡା ମାଂସ ଅନ୍ବେଷଣରେ ବାହାରିଲେ ଏବଂ ଅନ୍ୟ ଭାଇମାନେ ଶ୍ରାଦ୍ଧ ଉପକରଣ ପ୍ରସ୍ତୁତିରେ ଲାଗିପଡିଲେ । ଅର୍ଜୁନ ବହୁ ଜଙ୍ଗଲ ବୁଲି ମଧ୍ୟ ଗଣ୍ଡାର ସନ୍ଧାନ ପାଇଲେ ନାହିଁ । ନବଦିନ ନବରାତ୍ର ଅତିକ୍ରାନ୍ତ ହୋଇଯିବା ସତ୍ବେ ଗଣ୍ଡାର ପତ୍ତା ମିଳୁନାହିଁ ।
ବିଷର୍ଣ୍ଣମତି ଅର୍ଜ୍ଜୁନ ଅସ୍କନ୍ଦ ପର୍ବତରେ ଗଣ୍ଡା ଅନ୍ବେଷଣରେ ବୁଲୁ ବୁଲୁ ନାରଦଙ୍କ ସାକ୍ଷାତ ପାଇଲେ ଏବଂ ନିଜର ଅସହାୟତା ପ୍ରକାଶ କଲେ। ନାରଦ ଅର୍ଜ୍ଜୁନଙ୍କ କଥାଶୁଣି ରୁଦ୍ର ପର୍ବତ ତଳେ ହର ଉଦ୍ୟାନରେ ଗୋଟିଏ ଗଣ୍ଡା ଥିବାର ସନ୍ଧାନ ଦେଲେ । ଅର୍ଜ୍ଜୁନ ନାରଦଙ୍କ କଥାନୁସାରେ ହର ଉଦ୍ୟାନରେ ପହଞ୍ଚି ଗଣ୍ଡାର ଅନୁସନ୍ଧାନ କଲେ ।

କିଛି ସମୟ ପରେ ନାନା ରତ୍ନଭରଣ ଯୁକ୍ତ ହୋଇ ଗଣ୍ଡା ଜଳପାନ କରିବାକୁ ଝରଣା ନିକଟକୁ ଆସିଲା। ଜଳପାନ ଶେଷକରି ଫେରିଲା ବେଳକୁ ଲତା ଗହଳରେ ଲୁଚି ରହିଥିବା କିରାତ ବେଶି ଅର୍ଜ୍ଜୁନ ଶର ନିକ୍ଷେପ କଲେ। ଶରଘାତରେ ପ୍ରଚଣ୍ଡ ଶବ୍ଦ କରି ଗଣ୍ଡା ମୃତ୍ୟୁ ବରଣ କଲା। ସେହିଦିନ ନାଗାର୍ଜୁନର ସ୍ବନକ୍ଷେତ୍ର ବନ୍ଦାପନା ଦିବସ ପଡିଥିବାରୁ ସେ ମା’ଙ୍କ ନିକଟକୁ ପାତାଳପୁର ଗମନ କରିଥିଲା। ବନ୍ଦାପନା ସମୟରେ ନାନା ଅଶୁଭ ଲକ୍ଷଣ ଦେଖି ଶୀଘ୍ର ନିଜ ଉଦ୍ୟାନକୁ ପ୍ରତ୍ୟାବର୍ତ୍ତନ କରିବାକୁ ବ୍ୟଗ୍ର ହେଲା। ଉଦ୍ୟାନରେ ଗଣ୍ଡା ବଧକରି ଗଣ୍ଡାର ରକ୍ଷକକୁ ଅପେକ୍ଷା କରି ରହିଥିଲେ। ଗଣ୍ଡା ଦେହରେ ଥିବା ସମସ୍ତ ରତ୍ନ ଅଳଙ୍କାରକୁ ରକ୍ଷକକୁ ପ୍ରଦାନ କରି ମୃତ ଗଣ୍ଡାକୁ ପିତୃଶ୍ରାଦ୍ଧାର୍ଥେ ଘେନି ଯିବା ପାଇଁ ଅପେକ୍ଷା କରିଥିଲେ। ନାଗାର୍ଜୁନ ଉଦ୍ୟାନରେ ପହଞ୍ଚି ଦେଖେ ତ ରୁଦ୍ରଙ୍କ ପ୍ରିୟ ଗଣ୍ଡା ଶରଘାତରେମୃତ୍ୟୁ ବରଣ କରିଅଛି। ଏହା ଦେଖି ନାଗାର୍ଜୁନଙ୍କ କ୍ରୋଧ ଚରମ ସୀମାରେ ପହଞ୍ଚିଲା। କ୍ରୋଧରେ ଜର୍ଜରିତ ହୋଇ ବ୍ରହ୍ମା ବିଷ୍ଣୁ, ଯକ୍ଷ, ରାକ୍ଷସ, କିନ୍ନର ଯେ କେହି ଗଣ୍ଡାକୁ ବଧ କରିଥାନ୍ତୁ ନା କାହିଁକି ସେ ତାଙ୍କୁ ଜୀବନରେ ଛାଡିବ ନାହିଁ ବୋଲି ପ୍ରତିଜ୍ଞା କଲା। ଏହି ସମୟରେ ଅର୍ଜ୍ଜୁନ ଲତା ଗହଳରୁ ବାହାରି ନିଜେ ଗଣ୍ଡା ବଧକାରୀ ବୋଲି ସ୍ବୀକାର କଲେ। ଅର୍ଜ୍ଜୁନଙ୍କୁ ଗଣ୍ଡାର ହତ୍ୟାକାରୀ ବୋଲି ଜାଣି ନାଗାର୍ଜୁନର କ୍ରୋଧ ଦ୍ବିଗୁଣିତ ହୋଇ ପଡିଲା। ଚକ୍ଷୁ ଆରକ୍ତ ବର୍ଣ୍ଣ, ମୁଖ ବିବର୍ଣ୍ଣ ଏବଂ କ୍ରୋଧ ଜର୍ଜରିତ ଶରୀରରେ ଅର୍ଜ୍ଜୁନଙ୍କୁ ମାରିବା ପାଇଁ ଶର ନିକ୍ଷେପ କଲା। ଅର୍ଜ୍ଜୁନ ପ୍ରତି ଅସ୍ତ୍ର ପ୍ରେରଣ କରି ଯୁଦ୍ଧ କଲେ । ତିନିଦିନ ପର୍ଯ୍ୟନ୍ତ ଏହି ଯୁଦ୍ଧ ଚାଲିଲା । ଯୁଦ୍ଧରେ କେହି କାହାକୁ ପରାସ୍ତ କରିପାରିଲେ ନାହିଁ । ନାଗାର୍ଜୁନ ଶେଷରେ ଶିବଙ୍କ ଠାରୁ ପ୍ରାପ୍ତ ମହାକାଳ ନାରାଚକୁ ଅର୍ଜ୍ଜୁନଙ୍କ ଉଦ୍ଦେଶ୍ୟରେ ପ୍ରେରଣ କଲା । ଅର୍ଜ୍ଜୁନ ମହାକାଳ ନାରାଚ ଅସ୍ତ୍ରରେ ପରାସ୍ତ ହେଲେ ଏବଂ ତାଙ୍କ ଶରୀର ଦୁଇଖଣ୍ଡ ହୋଇଗଲା। ନାଗାର୍ଜୁନ ଅର୍ଜ୍ଜୁନର ରକ୍ତକୁ ଚିତାରେ ଗ୍ରହଣ କରି ଅର୍ଜ୍ଜୁନର ଧନୁ ଓ କିରୀଟ ଧରି ମା’ ସନ୍ଧ୍ୟାବାଳୀଙ୍କ ନିକଟକୁ ଅଗ୍ରସର ହେଲେ । ମା’ଙ୍କ ନିକଟରେ ପହଞ୍ଚି ସମସ୍ତ ବିଷୟ ବର୍ଣ୍ଣନା କରିବା ସହିତ ଅର୍ଜ୍ଜୁନଙ୍କ ଧନୁ ଓ କିରୀଟିକୁ ଦେଖାଗଲା । ସନ୍ଧ୍ୟାବାଳୀ ଧନୁ କିରୀଟିକୁ ଦେଖି ଏହା ଅର୍ଜ୍ଜୁନଙ୍କ ବୋଲି ଜାଣିଲେ । ରାଜପ୍ରାସାଦରେ ଥିବା ଅର୍ଜୁନବୃକ୍ଷ ମଧ୍ୟ ଝାଉଁଳି ଯାଇଥିବା ଦୃଶ୍ୟ ସନ୍ଧ୍ୟାବାଳୀଙ୍କ କ୍ରନ୍ଦନକୁ ଦ୍ବିଗୁଣିତ କରିଦେଲା । ପୁତ୍ରକୁ ଧିକ୍କାର କରିବା ସଙ୍ଗେ ସଙ୍ଗେ ଶୋକାକୁଳ ମା’ ଓ ପୁଅ ସହ ଅର୍ଜ୍ଜୁନଙ୍କ ମୃତ ଦେହ ନିକଟକୁ ଆସିଲେ। ଅର୍ଜୁନଙ୍କ ମୃତ ପିଣ୍ଡକୁ ଧରି ପତ୍ନୀ ସନ୍ଧ୍ୟାବାଳୀ ପ୍ରାଣବଳୀ ଦେବାକୁ ସ୍ଥିର କଲେ ।

ନାରଦ, ଶ୍ରୀକୃଷ୍ଣ-ବଳରାମଙ୍କୁ ନାଗାର୍ଜୁନ ଦ୍ବାରା ଅର୍ଜୁନଙ୍କ ମୃତ୍ୟୁ ଘଟିଥିବା କଥା ଜଣାଇଦେଲେ । ଏହି ଖବର ଶୁଣି କ୍ରୋଧାନ୍ବିତ ବଳରାମ ଓ ଶ୍ରୀକୃଷ୍ଣ ଯାଦବ ଦଳ ସୈନ୍ୟ ସାମନ୍ତ ଓ ଯୁଧିଷ୍ଠିର ଆଦି ପାଣ୍ଡବମାନଙ୍କୁ ଧରି ହର ଉଦ୍ୟାନରେ ପହଞ୍ଚିଲେ । ସଙ୍ଗେ ସଙ୍ଗେ ନାଗାର୍ଜୁନଙ୍କ ସହିତ ଯୁଦ୍ଧ ଆରମ୍ଭ ହୋଇଗଲା। ଯୁଦ୍ଧ ଭୀଷଣରୁ ଭୀଷଣତର ହୁଅନ୍ତେ ନାରଦ କପିଳାସକୁ ଯାଇ ଶିବଙ୍କୁ ମଧ୍ୟ ଏହି ଯୁଦ୍ଧ ସମ୍ବାଦ ଜଣାଇଦେଲେ। ପ୍ରିୟ ପୁତ୍ର ନାଗାର୍ଜୁନ ସହ କୃଷ୍ଣ ବଳରାମଙ୍କ ଯୁଦ୍ଧ କରିବା କଥା ଶୁଣି ଅନୁଚର ବର୍ଗଙ୍କ ସହ ଶିବ ଯୁଦ୍ଧ କ୍ଷେତ୍ରରେ ପହଞ୍ଚିଲେ। ଯୁଦ୍ଧ ପ୍ରଚଣ୍ଡରୁ ପ୍ରଚଣ୍ଡତର ହେବାକୁ ଲାଗିଲା। ସ୍ବର୍ଗ ମର୍ତ୍ତ୍ୟ, ପାତାଳ ପ୍ରକମ୍ପିତ ହେଲା । ଏ ସମସ୍ତ ଦ୍ବନ୍ଦର ସୂତ୍ରଧର ନାରଦ ପ୍ରମାଦ ଗଣିଲେ। ସଙ୍ଗେ ସଙ୍ଗେ ବ୍ରହ୍ମଲୋକ ଯାଇ ପିତାମହ ବ୍ରହ୍ମାଙ୍କୁ ପରିସ୍ଥିତି ସଂପର୍କରେ ଅବଗତ କରାଇଲେ। ବ୍ରହ୍ମା ତତ୍ କ୍ଷଣାତ୍ ଯୁଦ୍ଧ କ୍ଷେତ୍ରରେ ପହଞ୍ଚିଲେ। ଯୁଦ୍ଧରୁ କ୍ଷାନ୍ତ ହେବାକୁ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଅନୁରୋଧ କଲେ। ଅର୍ଜୁନଙ୍କ ଜୀବନ ହିଁ ତାଙ୍କର ଏକମାତ୍ର କାମ୍ୟ ବୋଲି ଶ୍ରୀକୃଷ୍ଣ ବ୍ରହ୍ମାଙ୍କୁ କହିଲେ। ଶିବଙ୍କୁ କ୍ରୋଧ ଶାନ୍ତ କରିବାକୁ ବ୍ରହ୍ମା ମଧ୍ୟ ଅନୁରୋଧ କଲେ। ବ୍ରହ୍ମାଙ୍କ ଅନୁରୋଧରେ ସମସ୍ତେ କ୍ରୋଧ ଶାନ୍ତ କରନ୍ତେ ସେ ଯମରାଜାଙ୍କୁ ସ୍ମରଣ କଲେ । ଯମରାଜା ମାତୃ ଅଭିଶାପ ଗ୍ରସ୍ତ ଗଳିତ କୁଷ୍ଠ ବାଧିତ କ୍ଳାନ୍ତ  ଶରୀରରେ ଉପସ୍ଥିତ ହେଲେ ।

ମା’ ଛାୟାଙ୍କ ଦ୍ବାରା ଅଭିଶାପ ପାଇ ରୋଗଗ୍ରସ୍ତ ହୋଇଥିଲେ ମଧ୍ୟ ଏହି ଅଭିଶାପରୁ ମୁକ୍ତ ହେବାର ଉପାୟ କହିଥିଲେ । କୌଣସି ଏକ ସମୟରେ ବ୍ରହ୍ମା ବିଷ୍ଣୁ ଏବଂ ଶିବଙ୍କ ଏକତ୍ର ଦର୍ଶନ କଲେ ଏବଂ ଶିବ ପ୍ରୀତ ହୋଇ ବର ଦେଲେ ବ୍ୟାଧିମୁକ୍ତ ହୋଇପାରିବେ ବୋଲି ଛାୟା କହିଥିଲେ। ବ୍ରହ୍ମାଙ୍କ ଅନୁରୋଧରେ ଯମରାଜା ଅର୍ଜୁନଙ୍କୁ ସଂଜୀବନୀ ମନ୍ତ୍ର ପ୍ରଦାନ କରିବାରୁ ଶିବ ପ୍ରୀତ ହୋଇ ଯମରାଜାଙ୍କୁ କୁଷ୍ଠ ବ୍ୟାଧିରୁ ମୁକ୍ତ କଲେ। ପଣ୍ଡୁ ରାଜାଙ୍କ ପାଇଁ ଯମ ଏହିଭଳି ଏକ ଦୁର୍ଲ୍ଲଭ ଦର୍ଶନ କରିବାର ସୁଯୋଗ ପାଇଥିବାରୁ ପଣ୍ଡୁଙ୍କୁ ବ୍ରହ୍ମଲୋକକୁ ଯିବାକୁ ଅନୁମତି ପ୍ରଦାନ କଲେ । ପଣ୍ଡୁଙ୍କର ବ୍ରହ୍ମଲୋକ ପ୍ରାପ୍ତି ହେଲା । ଯାଦବ ଆଉ ପାଣ୍ଡବ କୂଳ ଆନନ୍ଦିତ ହେଲେ । ପିତୃଶ୍ରାଦ୍ଧର ମଧ୍ୟ ଆବଶ୍ୟକତା ରହିଲା ନାହିଁ। ଏଣୁ ଯମ ମୃତ ସଂଜୀବନୀ ମନ୍ତ୍ର ଦ୍ବାରା ମୃତ ଗଣ୍ଡାକୁ ମଧ୍ୟ ଜୀବନ ପ୍ରଦାନ କଲେ ।

ଏ ସମସ୍ତ ଆନନ୍ଦ ମଧ୍ୟରେ ପୁଣି ଏକ ବିଷାଦର ଛାୟା ଘୋଟିଗଲା, ଅର୍ଜୁନ ଏକ କିଶୋର ବାଳକ ଦ୍ବାରା ପରାସ୍ତ ହୋଇ ମୃତ୍ୟୁବରଣ କରିଥିବା କଥା ଜାଣିବାପରେ ନିଜକୁ ଧିକ୍କାର କରିବା ସହିତ ଆତ୍ମହତ୍ୟା କରିବା ପାଇଁ ପ୍ରତିଜ୍ଞା କଲେ। ପୃଥିବୀରେ ଶ୍ରୀକୃଷ୍ଣଙ୍କ ବ୍ୟତୀତ ଅନ୍ୟ କାହାଦ୍ବାରା ସେ ପରାସ୍ତ ହେବେ ନାହିଁ ବୋଲି ତାଙ୍କର ଦ୍ରୁଢ ଧାରଣା ଥିଲା । ଏହି ଅଂହକାର ଦୂରୀଭୂତ କରିବା ପାଇଁ ଶ୍ରୀକୃଷ୍ଣ ନାଗାର୍ଜୁନ ରୂପରେ ଅର୍ଜ୍ଜୁନଙ୍କୁ ପରାସ୍ତ କରିଥିଲେ ବୋଲି ପ୍ରବୋଧନା ଦେଲେ। କିନ୍ତୁ ଅର୍ଜୁନ ଏହି ପ୍ରବୋଧନାରେ ଶାନ୍ତ ନ ହେବାରୁ ଶ୍ରୀକୃଷ୍ଣ ନାଗାର୍ଜୁନ ରୂପରେ ସମସ୍ତଙ୍କ ସମ୍ମୁଖରେ ଆବିର୍ଭାବ ହୋଇଥିଲେ। ଅର୍ଜୁନ ନିଜ ପୁତ୍ରଠାରେ ସଖା ଶ୍ରୀକୃଷ୍ଣଙ୍କୁ ଏବଂ ସଖା ଶ୍ରୀକୃଷ୍ଣଠାରେ ପୁତ୍ର ନାଗାର୍ଜୁନକୁ ଦେଖି ଆଶ୍ଚର୍ଯ୍ୟ ହେବା ସଂଗେ ସଂଗେ ନିଜକୁ ଧନ୍ୟ ମଣିଲେ। ପିତା ପୁତ୍ର ଆନନ୍ଦରେ ପରସ୍ପରକୁ କୋଳାଗ୍ରତ କଲେ। ସ୍ବର୍ଗରୁ ଦେବତାମାନେ ନାଗାର୍ଜୁନ ଉପରେ ପୁଷ୍ପ ବୃଷ୍ଟି କଲେ । ଏହି ଐଶ୍ବର୍ଯ୍ୟ ଲୀଳାର ସ୍ମାରକୀ ହେଉଛି ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ।

ନାଗାର୍ଜୁନ ଓ ଅର୍ଜୁନଙ୍କ ଯୁଦ୍ଧ ଶେଷରେ ଅର୍ଜୁନଙ୍କ ମୃତ ପିଣ୍ଡ ଗୋଟିଏ ଦିନ ପଡି ରହିଥିଲା । ଏହା ମଧ୍ୟରେ ଶ୍ରୀକୃଷ୍ଣ ବଳରାମ ଓ ଶିବଙ୍କର ଯୁଦ୍ଧ, ବ୍ରହ୍ମା ଏବଂ ଯମରାଜାଙ୍କ ଆଗମନ ହୋଇଛି। ଗୋଟିଏ ଦିନର ଗୋଟିଏ ତିଥି ଅତିକ୍ରାନ୍ତ ହୋଇଗଲେ ମୃତ ସଂଜୀବନୀ ମନ୍ତ୍ର କାର୍ଯ୍ୟ କରିନଥାଏ । ଏଣୁ ଶ୍ରୀକୃଷ୍ଣ ସୂର୍ଯ୍ୟଦେବଙ୍କୁ ଅନ୍ୟ ଏକ ତିଥିକୁ ସଂକ୍ରମଣ ନ କରିବା ପାଇଁ ଅନୁରୋଧ କରିଥିଲେ ଅର୍ଥାତ୍ ଗୋଟିଏ ତିଥି ସୂର୍ଯ୍ୟ ଦେବ ଦୁଇଦିନ ଭୋଗ କଲେ। ନିଜର ପୁତ୍ର ଯମର ଅଭିଶାପ ମୋଚନ ସମୟ ଉପସ୍ଥିତ ଜାଣି ସୂର୍ଯ୍ୟଦେବ ଶ୍ରୀକୃଷ୍ଣଙ୍କ ଅନୁରୋଧ ରକ୍ଷା କରିଥିଲେ। କାର୍ତ୍ତିକମାସ ଶୁକ୍ଳପକ୍ଷ ଏକାଦଶୀ ତିଥିଠାରୁ ନାଗାର୍ଜୁନ ଏବଂ ଅର୍ଜୁନଙ୍କ ମଧ୍ୟରେ ଯୁଦ୍ଧ ଅନୁଷ୍ଠିତ ହୋଇଥିଲା । ଅର୍ଜୁନଙ୍କ ପୁନର୍ଜନ୍ମ ମଳ ତିଥିରେ ହେଲା ଏଣୁ ଏହାର ସ୍ମାରକୀ ସ୍ବରୂପ ଯେଉଁ ବର୍ଷ କାର୍ତ୍ତିକ ମାସ ଏକାଦଶୀଠାରୁ ପୂର୍ଣ୍ଣମୀ ମଧ୍ୟରେ ମଳ ତିଥି ଭୋଗ ହୁଏ ସେହିବର୍ଷ ଶ୍ରୀଜଗନ୍ନାଥଙ୍କୁ ନାଗାର୍ଜୁନ ବେଶରେ ଭୂଷିତ କରାଯାଇଥାଏ ।

ତଥ୍ୟ : ଶ୍ରୀଧର ସାହୁ, ଉପସ୍ଥାପନା- ଅମୂଲ୍ୟ କୁମାର ହୋତା

Comments
Loading...