ସାହୁକାରଠୁ ଜଳ କିଣୁଛନ୍ତି ଲୋ​କେ

ଦୁର୍ଗମ ଅଞ୍ଚଳରେ ନଳକୂପ ଅଚଳ

ଝରିଗାଁ : ଦୁର୍ଗମ ଇଲାକୁ ଯାତାୟାତ ସୁବିଧା ନ ଥିବାରୁ ବର୍ଷ ତମାମ ଲୋକେ ନାନା ହଇରାଣ ହେଉଛନ୍ତି। ଖରା ଦିନରେ ଲୋକେ ନାଳ ପାଣିକୁ ପାନୀୟ ଜଳ ଭାବେ ଗ୍ରହଣ କରୁଛନ୍ତି। ଏପରି ଅବସ୍ଥା ନବରଙ୍ଗପୁର ଜିଲା ଅଧୀନ ଝରିଗାଁ ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଜଳକଷ୍ଟ ଉତ୍କଟ ହୋଇଛି। ବୟୁମଣ୍ଡଳର ତାପମାତ୍ରା ଦିନକୁ ଦିନ ବଢି ଚାଲିଛି। ନଳକୂପର ଜଳସ୍ତର କମିଛି। କୂପ, ପୋଖରୀଗୁଡିକ ଶୁଖିଗଲାଣି। ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ପ୍ରଶାସନ ତରଫରୁ କୌଣସି ବ୍ୟବସ୍ଥା କରାଯାଇ ନ ଥିବା ଅଭିଯୋଗ ହେଉଛି। ସ୍ମରଣଯୋଗ୍ୟ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ଟେମରା, ଚଚ୍ଚା, ଚକଲାପଦର, ଇଚ୍ଛାପୁର, ତେଲନଦୀ, କୁଟ୍ରିଛାପର, ଏକାମ୍ବା, ପାଲିଆ, ଗୁରୁସିଙ୍ଗା, ଫୁପୁଗାଁ, ଭାଲୁକନାଡି, ଥୋଡ୍ରା, ଝରିଗାଁ, ଚାଟିଗୁଡା ଆଦି ଦୁର୍ଗମ ପଞ୍ଚାୟତରେ ଯାତାୟାତ ସମସ୍ୟା ରହିଛି। ନଳକୂପ ମରାମତି ହୋଇପାରୁନି। କିଛି ପଞ୍ଚାୟତରେ ନାମକୁ ମାତ୍ର ଗୋଟିଏ ନଳକୂପ ରହିଛି। ଯାହା ଦୀର୍ଘ ୧୫ ବର୍ଷ ପୂର୍ବେ ଖନନ ହୋଇଥିଲା। ଜଳସ୍ତର ହ୍ରାସରୁ ପାନୀୟ ଜଳ ବାହାରିନି। ବର୍ଷ ତମାମ ସ୍ଥାନୀୟ ଗ୍ରାମବାସୀ ନାଳ ପାଣିରେ ଜୀବନ ବଞ୍ଚାଇ ରଖିଛନ୍ତି। ଅନ୍ୟପଟେ ଝରିଗାଁ ବ୍ଲକର ଫୁଲଝରି ଗ୍ରାମବାସୀ ସ୍ଥାନୀୟ ଜଣେ ସାହୁକାରଠାରୁ ଦିନକୁ ୨ ଟଙ୍କା ହିସାବରେ ମାସକୁ ୬୦ ଟଙ୍କା ଦେଇ ପିଇବା ପାଣି କିଣିବାକୁ ବାଧ୍ୟ ହେଉଛନ୍ତି। ସମସ୍ୟା ନେଇ ପଞ୍ଚାୟତଗୁଡିକ ସହ ଯୋଗାଯୋଗ କରିବାରୁ ଜଣାଯାଇଥିଲା ଯେ ପଞ୍ଚାୟତର ନଳକକୂପ ଖନନ ବାବଦର ଅର୍ଥ ଜିଲା ପାନୀୟ ଜଳ ଯୋଗାଣ ବିଭାଗରେ ବନ୍ଧାଯିବା ପାଇଁ ନିର୍ଦେଶ ରହିଛି। ସମସ୍ତ ଅର୍ଥ ଜିଲା ଅଧିକାରୀଙ୍କ ନିକଟରେ ବନ୍ଧା ଯାଇଛି। ବିଭାଗ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଶେଷ ହେଲେ ନଳକୂପ ଖନନ ଆରମ୍ଭ ହେବ ବୋଲି କୁହାଯାଉଛି। ଏ ନେଇ ବିଡିଓ ଦେବେନ୍ଦ୍ର ବାହାଦୁର ସିଂଙ୍କୁ ପଚାରିବାରୁ ପଞ୍ଚାୟତରେ କେତେ ଅର୍ଥ ବନ୍ଧା ଯାଇଛି ତଥ୍ୟ ସଂଗ୍ରହ କରି ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ସ୍ଥାନୀୟ ବିଧାୟକ ଇଂ ପ୍ରକାଶଚନ୍ଦ୍ର ମାଝିଙ୍କୁ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିବାରୁ ବିଭିନ୍ନ ଅଞ୍ଚଳରେ ଗସ୍ତ ସମୟରେ ପାନୀୟ ଜଳ ସମସ୍ୟାକୁ ଗୁରୁତର ସହ ନିଆଯାଉଛି। ଯଥା ଶୀଘ୍ର ନଳକୂପ ଖନନ ବ୍ୟବସ୍ଥାକୁ ପ୍ରାଥମିକତା ଦେଇ ଆସିଥିବା କହିଛନ୍ତି। ଯଦି ଟେଣ୍ଡର ପ୍ରକ୍ରିୟାରେ ବିଳମ୍ବ ହେଉଛି ତାହେଲେ ପଞ୍ଚାୟତଗୁଡିକୁ ନଳକୂପ ଖନନ ପାଇଁ ସୁଯୋଗ ଦେବା ପାଇଁ ଜିଲାପାଳଙ୍କ ସହ ଆଲୋଚନା କରିବେ ବୋଲି ସେ କହିଛନ୍ତି। ସମୟ ଥାଉଣୁ ବ୍ଲକର ବିଭିନ୍ନ ଗ୍ରାମକୁ ନୂତନ ନଳକୂପ ଖନନ ପାଇଁ ଜିଲାପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟିପଡୁ ବୋଲି ସାଧାରଣରେ ଦାବି ହେଉଛି।

Comments are closed.