ବାପା ଯାଇଛି ଦାଦନ ଖଟି ; ଜୀବନ ମରଣ ସହ ସଂଗ୍ରାମ କରୁଛି ପୁଅ, ଚିକିତ୍ସା ପାଇଁ ଅର୍ଥ ଓ ବିଦ୍ୟୁତ୍ ବାଧକ

କଲମପୁର : ଘରେ ପୁଅଟିଏ ଜନ୍ମ ହେଲେ ପରିବାର ମଧ୍ୟରେ ଖେଳିଯାଏ ଆନନ୍ଦ। ଖୁସି ବ୍ୟକ୍ତ କରନ୍ତି ବାପା ମାଆ। ସତେଯେମିତି ସେମାନଙ୍କ କୋଳରେ ଆକାଶରୁ ଆନନ୍ଦ ଖସି ପଡିଛି। ଆଶା କରନ୍ତି ପୁଅଟି ବାପା ମାଆଙ୍କ ବୃଦ୍ଧ କାଳରେ ସାହା ହେବ। ପୁଅଟିର ସେବା ଯତ୍ନରେ ସମସ୍ତେ ଲାଗିଥାନ୍ତି। ଯଦି ଦୈବାତ ପୁଅଟିର ଦେହ ଖରାପ ହେଲେ ରାତି ଦିନ ଏକ କରି ତାର ସେବା କରନ୍ତି। ତାର ଆରୋଗ୍ୟ କାମନା କରନ୍ତି। ଜଣେ ଗରିବ ବାପା ମାଆ ସନ୍ତାନ ବାହାରେ ପଡାର ଅନ୍ୟ ପିଲାଙ୍କ ସହ ମିଶି ଖେଳୁ ଖେଳୁ ପଡିଯିବା ପରେ ଆହତ ହେଇଥିଲା। କଷ୍ଟ ପାଇଥିଲେ ମଧ୍ୟ ବାପା ମାଆଙ୍କ ତାଗିଦ ଡରରେ କିଛି କହିନଥିଲା। କିନ୍ତୁ ଘଟଣା ର ତିନି ଦିନ ପରେ ହଠାତ୍ ପେଟ ଓ ଜଙ୍ଘ ଫୁଲିଯାଇଥିଲା। ବାପା ଜଗନ୍ନାଥ ପରାଭୋଇ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଇଥିବା ବେଳେ ମାଆ ରାଏମତି ନିଜ ୯ ବର୍ଷିୟ ପୁଅକୁ ନେଇ ସ୍ଥାନୀୟ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ। କିନ୍ତୁ ଆଘାତ ଗୁରୁତର ହେଇଥିବାରୁ ଅଧିକ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ରାଏମତିକୁ ନିରାଶ ହେବାକୁ ପଡିଲା। ଜିଲା ସ୍ୱାସ୍ଥ୍ୟ କେନ୍ଦ୍ରରୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଗଲା। ସେଠାରେ ବିଭିନ୍ନ ପରୀକ୍ଷା ପରେ ଜଣାପଡିଲା ଯେ, ମାଡର ଆଘାତରେ କିଛି ସ୍ଥାନରେ ପଚିଯାଇଥିବା ବେଳେ ଜଙ୍ଘ ହାଡ ପ୍ରଭାବିତ ହେଇଥିବା ସୂଚନା ମିଳିଥିଲା। ଏହାପରେ ମେଡିକାଲ ତରଫରୁ ପେଟ ଓ ଜଙ୍ଘର ୪ଟି ସ୍ଥାନରେ ଅସ୍ତ୍ରୋପଚାର କରାଯାଇଥିବା ରାଏମତି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଦୀର୍ଘ ଏକମାସ ଧରି ବୁର୍ଲାରେ ଚିକିତ୍ସା କରାଇବା ପରେ ଏବେ କଲମପୁର ବ୍ଲକ ଅଧିନସ୍ଥ ପଣ୍ଡିଗାଁରେ ଥିବା ନିଜ ଘରକୁ ଫେରିଛି ନବୀନ। କିନ୍ତୁ ସମ୍ପୂର୍ଣ୍ଣ ରୋଗମୁକ୍ତ ହେଇ ପାରିନାହିଁ। ଏବେ ବି ଶଯ୍ୟାଶାୟୀ। ବୁର୍ଲା ମେଡିକାଲ କଲେଜରୁ ଘରକୁ ଫେରିବା ବେଳେ ନବୀନର ବ୍ୟବହାର ପାଇଁ ଏକ ଏକୁସିଓର ନାମକ ଯନ୍ତ୍ର ମାଗଣାରେ ଦିଆଯାଇଛି। ଯାହା ସାହାଯ୍ୟରେ ତାର ଗୋଡ ଓ ହାତ ଚାଳନା କରି ପାରିବ। କିନ୍ତୁ ଦୁର୍ଭାଗ୍ୟ ନବୀନର ଘରକୁ ବିଦ୍ୟୁତ୍ ପ୍ରବାହ ଗତ ନଭେମ୍ବର ମାସ ଠାରୁ ବିଚ୍ଛିନ୍ନ ହେଇଛି। ପଡାର ଗରୀବ ପରିବାର ପାଇଁ ବିଦ୍ୟୁତ୍ ସଂଯୋଗ କରାଯାଇଥିଲେ ମଧ୍ୟ ଏକ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯିବା ପରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ଯେଉଁଥିପାଇଁ ନବୀନକୁ ସରକାରଙ୍କ ତରଫରୁ ମିଳିଥିବା ବୈଦ୍ୟୁତିକ ଯନ୍ତ୍ରଟି ଅଚଳ ରହିଛି। ଯାହାକି ନବୀନର ଚିକିତ୍ସାରେ ବାଧକ ଦେଖା ଦେଇଛି।

ପରିବାରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଶୋଚନୀୟ। ଦରିଦ୍ର ସୀମାରେଖା ତଳେ ବାସ କରୁଛନ୍ତି ଏହି ପରିବାର। ୫ ପ୍ରାଣୀ କୁଟୁମ୍ବର ଦାୟିତ୍ୱ ବାପା ଜଗନ୍ନାଥ ଉପରେ। ସେ କିନ୍ତୁ ଏବେ ରାଜ୍ୟ ବାହାରେ ଦାଦନ ଖଟୁଛି। ଅନ୍ୟପଟେ ପୁଅର ଏଭଳି ଅବସ୍ଥାରେ ମାଆ ରାଏମତି ଅତ୍ୟନ୍ତ ଦୁଃଖରେ। ପର ଘରେ ମୂଲ ଲାଗିଲେ ଘର ଚୁଲି ଜଳୁଛି। ପୁଅକୁ ଛାଡି ମୂଲ ଲାଗିଯିବା ମଧ୍ୟ ସମ୍ଭବ ହେଉ ନାହିଁ। ତେଣୁ ଏଭଳି ଏକ ଅସହାୟ ପରିବାରକୁ ପ୍ରଶାସନ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦେଲେ ପରିବାର ଉପକୃତ ହେଇ ପାରନ୍ତେ ନିବେଦନ କରାଯାଇଛି।

ପୀଡିତ ପରିବାରକୁ ଭେଟିଲେ ସରପଂଚ

ସାଙ୍ଗ ସାଥି ଙ୍କ ସହ ଖେଳିବା ବେଳେ ପଡିଯାଇ ଗୁରୁତର ହେଇଥିବା ପଣ୍ଡିଗାଁର ଜଗନ୍ନାଥ ପରାଭୋଇଙ୍କ ପୁଅ ନବୀନ ଓ ତାର ପରିବାରକୁ ସାକ୍ଷାତ କଲେ ପଣ୍ଡିଗାଁ ସରପଂଚ ବନଜା ବାସିନୀ ମହାପାତ୍ର। ଘରର ଅବସ୍ଥା ଦେଖିବା ସହ କିଭଳି ତାକୁ ସହାୟତା ଯୋଗାଇ ଦେବେ ସେ ନେଇ ବି.ଡି.ଓ ପ୍ରଶନ୍ନ କୁମାର ପଟେଲ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁଙ୍କ ସହ ଆଲୋଚନା କରିଥିଲେ। ଏହାସହ ବ୍ୟକ୍ତିଗତ ଭାବେ କିଛି ଆର୍ଥିକ ସହାୟତା ଯୋଗାଇଥିବା ବେଳେ  ପଞ୍ଚାୟତ ତରଫରୁ ଉକ୍ତ ପରିବାରକୁ କିଛି ଚାଉଳ ଯୋଗାଇ ଦେବାର ପ୍ରତିଶୃତି ଦେଇଛନ୍ତି ସରପଂଚ ଶ୍ରୀମତି ମହାପାତ୍ର। ଅନ୍ୟପଟେ ବ୍ଲକ ପ୍ରଶାସନ ସହ ଯୋଗାଯୋଗ କରାଯିବା ପରେ ବ୍ଲକ ସାମାଜିକ ସୁରକ୍ଷା ଶାଖା ତରଫରୁ ସହାୟତା ପାଇଁ ପ୍ରୟାସ କରାଯାଉଛି।

Comments are closed.