ନାଇଟ କର୍ଫ୍ୟୁର ସୁଯୋଗ ନେଇ ସୁନା ଦୋକାନରୁ ଚୋରି

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ ନାଇଟ କର୍ଫ୍ୟୁ ଚାଲିଥିବାବେଳେ ନବରଙ୍ଗପୁର ମୁଖ୍ୟ ସହରରେ ଥିବା ଏକ ସୁନା ଦୋକାନରେ ଶୁକ୍ରବାର ରାତିରେ କିଛି ଦୁର୍ବୁତ୍ତ ଦୋକାନ ଗ୍ରିଲ ଭାଙ୍ଗି ଲକ୍ଷାଧିକ ଟଙ୍କାର ରୁପା ଗହଣା ଚୋରି କରି ନେଇଯାଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବାପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି।
ନବରଙ୍ଗପୁର ସହରରେ କର୍ଫ୍ୟୁର ସୁଯୋଗ ନେଇ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ନବରଙ୍ଗପୁର ସହର ନୂଆବନ୍ଧ ସାହିରେ ଥିବା ଶ୍ରୀହରି ଜୁଏଲର୍ସ ନାମକ ଏକ ସୁନା ଦୋକାନରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରମାନେ ଦୋକାନର ଲୁହା ଗେଟକୁ ତାଡି ଦୋକାନରେ ପଶି ଥିଲେ। ସିସିଟିଭିରେ ଚୋରିର ଦୃଶ୍ୟ କଏଦ ହୋଇଯିବା ଆଶଙ୍କାରେ ନିଜ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ପ୍ରଥମେ ଦୋକାନରେ ଲାଗିଥିବା ସିସିଟିଭିକୁ ଅପରପାର୍ଶ୍ବକୁ ବୁଲାଇ ଦେଇଥିଲେ ଏବଂ ପରେ ଦୋକାନରୁ ଚୋରି କରିଥିଲେ। ତେବେ ଦୋକାନରେ ଥିବା ରୁପାରେ ପ୍ରସ୍ତୁତ ଗହଣା ସବୁ ଚୋରି କରିନେଇଥିବା ବେଳେ ଲକରରେ ସୁନା ଥିବାରୁ ତାହାକୁ ଚୋରି କରିପାରିନଥିଲେ। ଲକରରେ ଥିବା ସୁନାକୁ ଚୋରି କରିବା ସମୟରେ ସାଇରନ ବାଜିଥିଲା ଯାହାଫଳରେ ଚୋର ମାନେ ଦୋକାନରୁ ଚାଲିଯାଇଥିଲେ। ସାଇରନ ଶୁଣି ଦୋକାନ ମାଲିକ ଦୋକାନକୁ ଆସିବା ପୂର୍ବରୁ ଚୋରମାନେ ସେଠାରୁ ଚମ୍ପଟ ମାରିଥିଲେ । ଦୋକାନୀ ଏ ସମ୍ବନ୍ଧରେ ନବରଙ୍ଗପୁର ଥାନାରେ ଏତଲା ଦାୟର କରିଛନ୍ତି।

 

ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ଚୋରମାନେ ପ୍ରାୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ ରୁପା ଟଙ୍କା ମୂଲ୍ୟର ଗହଣା ଚୋରି କରିନେଇଥିବା ସୁନା ଦୋକାନୀ ପ୍ରକାଶ କରିଛନ୍ତି। ଦୋକାନଟି ଜିଲା ଦୌରା ଜର୍ଜଙ୍କ କ୍ୱାଟରର ଠିକ ସମ୍ମୁଖସ୍ଥ ପ୍ରାୟ ୧୫ ମିଟର ଦୂରତାରେ ରହିଛି। ସେହିପରି ରାତ୍ରିକାଳୀନ କର୍ଫ୍ୟୁ ଚାଲିଥିବା ସମୟରେ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିଛି। ଏଭଳି ପରିସ୍ଥିତିରେ ପୁଲିସକୁ ଚ୍ୟାଲେଞ୍ଜ କରି ଚୋରମାନେ ଏହି ଦୋକାନରୁ କିଭଳି ଚୋରି କରିଥିଲେ ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି।

Comments are closed.