MEllora 950×100

ନବରଙ୍ଗପୁରରେ ବହୁ ପଦବୀ ଖାଲି; ୭ଟି ବିଭାଗ ମୁରବୀ ଶୂନ୍ୟ

ବିଭାଗୀୟ କାର୍ଯ୍ୟ ବାଧାପ୍ରାପ୍ତ

ନବରଙ୍ଗପୁର: ଆଦିବାସୀ ଅଧ୍ୟୁସିତ ପଛୁଆ ନବରଙ୍ଗପୁର ଜିଲାରେ ବହୁ ପଦବୀ ଖାଲି ପଡ଼ିଛି। ଜିଲାର ଗୁରୁତ୍ୱପୂର୍ଣ୍ଣ ୭ଟି ବିଭାଗ କୃଷି, ଜଳବିଭାଜିକା, କ୍ଷୁଦ୍ର ଜଳସେଚନ ପର୍ଯ୍ୟଟନ, ପରିବହନ, ମଙ୍ଗଳ ଓ କେନ୍ଦୁପତ୍ର ବିଭାଗର ମୁଖ୍ୟ ନାହାନ୍ତି। ଫଳରେ ବିଭାଗୀୟ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବାବେଳେ ବହୁ ଉନ୍ନୟନ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। କୃଷି ପ୍ରଧାନ ଏହି ଜିଲାର ୮୫ଭାଗ ଲୋକ ଚାଷ ଉପରେ ନିର୍ଭର କରୁଥିବାବେଳେ କୃଷି ଓ କୃଷକର ଆବଶ୍ୟକ ବିକାଶ ହୋଇପାରିନି। ଏହି ଜିଲାରେ ଦୀର୍ଘଦିନ ହେଲା ଜିଲା ମୁଖ୍ୟ କୃଷି ଅଧିକାରୀ ନାହାନ୍ତି। ଏହି ପଦବୀର ଭାରପ୍ରାପ୍ତ ଦାୟିତ୍ୱରେ ତିନି ଜଣ ରହିଲେଣି। ତେବେ କନିଷ୍ଠ ଅଧିକାରୀଙ୍କୁ ଜିଲାର ମୁଖ୍ୟ ଦାୟିତ୍ୱ ଦିଆଯାଉଥିବା ବେଳେ ଏହି ବିଭାଗର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସୂଚାରୂରୂପେ ହୋଇ ପାରୁନଥିବା ଅଭିଯୋଗ ହେଉଛି। ସେହିପରି ବହୁ ବର୍ଷ ହେଲା ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରି କରୋପରେର୍ସନ(ଓଏଆଇସି)ରେ ସ୍ଥାୟୀ ଅଧିକାରୀ ନଥିବାବେଳେ ଏହି ବିଭାଗର କାର୍ଯ୍ୟନେଇ ଚାଷୀମାନେ ସନ୍ଦିହାନରେ ଅଛନ୍ତି। ଏହି ବିଭାଗରେ କଣ କାମ ହେଉଛି ତାହା ସାଧାରଣ ଲୋକେ ଜାଣିପାରୁନଥିବା ଅଭିଯୋଗ ହୋଇଛି।

ସେହିପରି ଜିଲାରେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଜଳବିଭାଜିକା ପ୍ରକଳ୍ପ ତଥା ମୃତ୍ତିକା ସଂରକ୍ଷଣ ବିଭାଗରେ ପ୍ରକଳ୍ପ ନିର୍ଦ୍ଦେଶକ ନାହାନ୍ତି। ଏଠାରେ କାର୍ଯ୍ୟରତ ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷୀଧର ଜେନାଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ଏହି ପଦବୀ ଦୀର୍ଘମାସ ହେଲା ପୂରଣ ହୋଇପାରୁନି। କୋରାପୁଟର ପ୍ରକଳ୍ପ ନିର୍ଦ୍ଦେଶକ ଭାରପ୍ରାପ୍ତ ଦାୟିତ୍ୱରେ ରହିଥିବାବେଳେ ସେ ଏଠାକୁ ନିୟମିତ ଭାବେ ଆସି କାର୍ଯ୍ୟ କରି ପାରୁନାହାନ୍ତି। ଫଳରେ ଏହି ବିଭାଗର ଉନ୍ନୟନ କାର୍ଯ୍ୟ ତଦାରଖ କରିବା ଓ ସଫଳ ରୂପାୟନ କରିବାରେ ବାଧା ସୃଷ୍ଟି ହେଉଥିବା କୁହାଯାଉଛି। ଏହି ବିଭାଗର ଦୁଇଟି ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପଦବୀ ମଧ୍ୟ ଖାଲି ରହିଛି। କେବଳ ଜଣେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରହିଥିବାବେଳେ ସେ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଏହାବ୍ୟତୀତ ବିଭାଗରେ ବହୁ ପଦବୀ ଖାଲି ରହିଥିବାରୁ ଏହା ମଧ୍ୟ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ସୃଷ୍ଟି କରୁଛି। ଜିଲାରେ ସଡ଼କ ପରିବହନ ପ୍ରାଧିକରଣ(ଆରଟିଏ) ବିଭାଗରେ ମଧ୍ୟ ବହୁ ପଦବୀ ଖାଲି ପଡ଼ିଛି। ଏଠାରେ ଦୀର୍ଘ ବର୍ଷ ହେଲା ସଡକ ପରିବହନ ଅଧିକାରୀ ନଥିବାବେଳେ ଅତିରିକ୍ତ ପରିବହନ ଅଧିକାରୀ ନାହାନ୍ତି। ଜଣେ କନିିଷ୍ଠ ଏମ୍‌‌ଭିଆଇ ଭାରପ୍ରାପ୍ତ ଆରଟିଓ ଦାୟିତ୍ୱରେ ଅଛନ୍ତି। ଏହାବ୍ୟତୀତ ଗୁରୁତ୍ୱପୂର୍ଣ୍ଣ ଏନ୍‌‌ଫୋର୍ସମେଣ୍ଟ ପାଇଁ ଟ୍ରାଫିକ୍‌‌ ଇନ୍ସପେକ୍ଟର, ଟ୍ରାଫିକ୍‌‌ ସବ୍‌ଇନ୍ସପେକ୍ଟର ପଦବୀ ଖାଲି ରହିଛି। ଯଦ୍ବାରା ଯାନବାହନ ଯାଞ୍ଚ ହୋଇ ପାରୁନଥିବାବେଳେ ସରକାରୀ ରାଜସ୍ୱ ହାନୀ ହେଉଛି। ଫଳରେ ଏହି ବିଭାଗ ସ୍ଥାଣୁ ପାଲଟି ଯାଇଛି। ସେହିପରି ପର୍ଯ୍ୟଟନ ବିଭାଗରେ ମଧ୍ୟ କେହି ନାହାନ୍ତି। ଜିଲା ପର୍ଯ୍ୟଟନ ଅଧିକାରୀଙ୍କର ସମେତ ଜଣେ ମଧ୍ୟ କୌଣସି କର୍ମଚାରୀ ନାହାନ୍ତି। କେନ୍ଦୁପତ୍ର ବିଭାଗର ଡିଏଫଓ ସମେତ ଅନ୍ୟାନ୍ୟ ପଦବୀ ଖାଲିପଡ଼ିଛି। କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଅବସରନେବାର ଏକ ବର୍ଷ ପରେ ମଧ୍ୟ ଏହା ପୂରଣ ହୋଇ ପାରିନି। ନିକଟରେ ଜିଲା ମଙ୍ଗଳ ଅଧିକାରୀ ଅବସରନେବା ପରେ ଏହି ପଦବୀ ମଧ୍ୟ ଖାଲି ରହିଛିା ଜିଲାର ଉନ୍ନତି ପାଇଁ ବିଭିନ୍ନ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର କୋଟିକୋଟି ଟଙ୍କା ଅନୁଦାନ ଦେଉଥିବାବେଳେ ବିଭାଗୀୟ ମୁଖ୍ୟ ଅଧିକାରୀ ପଦବୀ ଖାଲି ପଡ଼ିଥିବାରୁ ଏହି ଯୋଜନାଗୁଡିକର ସଫଳ ରୂପାୟନ ହୋଇ ପାରୁନି। ଜିଲାର ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗର ମୁଖ୍ୟ ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ିଥିବାବେଳେ ଏଥିପ୍ରତି ରାଜ୍ୟସରକାର ଦୃଷ୍ଟି ଦେଇ ପୂରଣ ନକରିବା ପରିତାପର ବିଷୟ ହୋଇଛି। ସବୁକ୍ଷେତ୍ରରେ ଅବହେଳାର ଶୀକାର ହେଉଥିବା ଏହି ଜିଲା ପ୍ରତି ସରକାରଙ୍କର ଉଦାସୀନତାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Comments are closed.