ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ, ଅଧିକାରୀ ନିଯୁକ୍ତି ନ ହେଲେ କାଉନସିଲରଙ୍କ ଧାରଣା ଚେତାବନୀ

ନବରଙ୍ଗପୁର: ନବରଙ୍ଗପୁର ସହର ତଥା ପୌରାଞ୍ଚଳର ବିକାଶ ଓ ଲୋକଙ୍କ ମୌଳିକ ସମସ୍ୟା ସମାଧାନ କରିବା ପାଇଁ ପୌରପାଳିକା ରହିଥିବା ବେଳେ ନବରଙ୍ଗପୁର ପୌରପାଳିକା ଏବେ ନିୟମିତ ପୌର ନିର୍ବାହୀ ଅଧିକାରୀ ବିହୀନ ହୋଇପଡିଛି। ନବରଙ୍ଗପୁର ପୌର ପାଳିକାରେ ବିଭିନ୍ନ କାର୍ୟ୍ୟଗୁଡ଼ିକ କାମଚଳା ଭାବେ ହେଉଥିବା ଦେଖିବାକୁ ମିଳିଛି। ନିୟମିତ ନିର୍ବାହୀ ଅଧିକାରୀ ନ ଥିବାରୁ ପୌରପାଳିକା କାଉନସିଲର ମାନେ ସେମାନଙ୍କର ୱାର୍ଡର ସମସ୍ୟା ଓ ଅଭିଯୋଗଗୁଡ଼ିକୁ ସମାଧାନ କରିବାରେ ବହୁ ଅସୁବିଧା ସମ୍ମୁଖୀନ ହେଉଥିବା କାଉନସିଲର ମାନେ ଅଭିଯୋଗ କରିଛନ୍ତି।

ବର୍ତ୍ତମାନ ଦାୟିତ୍ଵରେ ରହିଥିବା ଅଧିକାରୀ ପୌରପାଳିକା କାର୍ୟ୍ୟାଳୟରେ ପର୍ୟ୍ୟାପ୍ତ ସମୟ ଦେଇପାରୁ ନ ଥିବାରୁ ପୌରପାଳିକା ବିକାଶ କାର୍ୟ୍ୟ ଆଗେଇ ପାରୁନ ଥିବା କାଉନସିଲର ଅମିତ ପ୍ରଧାନ ପ୍ରକାଶ କରିଛନ୍ତି। ନବରଙ୍ଗପୁର ପୌରାଞ୍ଚଳର ବିକାଶ , ଲୋକଙ୍କ ସମସ୍ୟା ଓ ଅଭିଯୋଗ କୁ ଦୃଷ୍ଟିରେ ରଖି ନବରଙ୍ଗପୁର ପୌରପାଳିକାର ଏକ ନିୟମିତ ନିର୍ବାହୀ ଅଧିକାରୀ ନିଯୁକ୍ତି ପ୍ରଦାନ କରିବା ପାଇଁ ଜିଲାପାଳ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ କାଉନସିଲର ଏ . ସତିଶ, ଅମିତ ପ୍ରଧାନ, ଶର୍ମିଷ୍ଠା ଦେଓ, ମୁରୁଲି କ୍ରିଷ୍ଣା, ସମେଶ ଖୋରା, ମମତା ମହାରଣା, ପୁନମ ସାହୁ ପ୍ରମୁଖ ଅନୁରୋଧ କରିଛନ୍ତି। ଆଗାମୀ କିଛି ଦିନ ମଧ୍ୟରେ ନବରଙ୍ଗପୁର ପୌରପାଳିକାରେ ନିୟମିତ ନିର୍ବାହୀ ଅଧିକାରୀ ନିଯୁକ୍ତି ପ୍ରଦାନ କରା ନ ଗଲେ କାଉନସିଲରମାନଙ୍କ ପକ୍ଷରୁ ପୌର କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।

Comments are closed.