ଅବହେଳିତ ଅବସ୍ଥାରେ ପାପଡାହାଣ୍ଡି ଶିଶୁ ଉଦ୍ୟାନ, ଖତ ଖାଇବାକୁ ବସିଲାଣି ଲକ୍ଷାଧିକ ଟଙ୍କାର ଉପକରଣ

ନବରଙ୍ଗପୁର: ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସଦର ମହକୁମା ଠାରେ ଥିବା ଶିଶୁ ଉଦ୍ୟାନଟି ବର୍ତ୍ତମାନ ଅବହେଳିତ ଅବସ୍ଥାରେ ପଡି ରହିଥିବା ବେଳେ ଲକ୍ଷାଧିକ ଟଙ୍କାର ଉପକରଣ ଆଦି ଖତ ଖାଇବାକୁ ବସି ଲାଣି, ହେଲେ ପ୍ରଶାସନର ନିଘା ନଥିବା ବେଳେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ତତ୍କାଳିନ ଜିଲାପାଳ ଅରବିନ୍ଦ ପାଢ଼ୀଙ୍କ ସମୟରେ ଜିଲାକୁ ସୌନ୍ଦର୍ୟ୍ୟ କରଣ କରିବା ଏବଂ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ପ୍ରତ୍ୟେକ ବ୍ଲକରେ ଶିଶୁ ଉଦ୍ୟାନ ନିର୍ମାଣ କରି ଉଦ୍ୟାନ ଭିତରେ ନାମୀ ଦାମୀ ଗଛ ଲଗାଇବା ସହ ଛୋଟ ଛୋଟ ଶିଶୁମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ଉପକରଣ ଲଗାଇ ଥିଲେ। ଉଦ୍ୟାନ ହେବା ପରେ ସନ୍ଧ୍ୟାରେ ସେଠାରେ ଲୋକଙ୍କ ଭିଡ଼ ରହିବା ସହ ମନରଞ୍ଜନ କରୁଥିଲେ, କିନ୍ତୁ ଏହାର ତଦାରଖ ଏବଂ ରକ୍ଷଣା ବେକ୍ଷଣା ଦାୟିତ୍ୱ ସ୍ଥାନୀୟ ବ୍ଲକ ପ୍ରଶାସନକୁ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ତତ୍କାଳୀନ ଜିଲ୍ଲାପାଳଙ୍କ ବଦଳି ପରେ ଆଉ ଏହାର ରକ୍ଷଣା ବେକ୍ଷଣା ଦାୟିତ୍ୱ ବ୍ଲକ ପ୍ରଶାସନ ନ ବୁଝିବାରୁ ସେଠାରେ ତାଲା ପକାଇ ଦିଆଯାଇଥିଲା ।
ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ବ ହେବ ତାଲା ପଡି ଥିବା ବେଳେ ଉଦ୍ୟାନ ଭିତରେ ଏକ ପ୍ରକାର ଜଙ୍ଗଲରେ ପରିଣତ ହୋଇଛି। ଏହାର ସୁଯୋଗ ନେଇ ତାହା କିଛି ଅସାମାଜିକ ବ୍ୟକ୍ତିଙ୍କ ଆଡାସ୍ଥଳୀ ପାଲଟିଛି ଏବଂ ସେଠାରେ ସେମାନେ ଅସାମାଜିକ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ତାଲାଭାଙ୍ଗି ଫାଟକ ଖୋଲା ପଡ଼ିଥିବା ବେଳେ ଦୁର୍ବୃତ୍ତମାନେ ଉଦ୍ୟାନର ଉପକରଣଗୁଡିକ ଚୋରି କରି ନେଇଯାଇ ଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଉଦ୍ୟାନ ଭିତରେ ଗଛପତ୍ର ଭରି ରହିଥିବାରୁ ସେଠାକୁ ଶୌଚ କରିବାକୁ ଯାଉଛନ୍ତି। ଏହାଦ୍ୱାରା େସଠାକାର ପରିବେଶ ସମ୍ପୂର୍ଣ ଅପରିଷ୍କାର ହୋଇ ପଡିଛି। ସରକାରଙ୍କ ଲକ୍ଷାଧିକ ଟଙ୍କାରେ ନିର୍ମିତ ଏହି ଉଦ୍ୟାନ ପ୍ରତି ପ୍ରଶାସନର ଦରଦ ନଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଲୋକଙ୍କ ମନୋରଞ୍ଜନ ପାଇଁ ନିର୍ମାଣ ହୋଇଥିବା ଏହି ଶିଶୁ ଉଦ୍ୟାନର ପୁନଃ ଉଦ୍ଧାର କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।