ଛତିଶଗଡର ଧାନ ଓଡ଼ିଶାରେ ପୁରାଇ ନ ଦେବା ଲାଗି ଜିଲାପ୍ରଶାସନର ପ୍ରସ୍ତୁତି

ନବରଙ୍ଗପୁର: ରାଜ୍ୟ ସରକାରଙ୍କ ନିର୍ଦେଶ ପରେ ଛତିଶଗଡ ରାଜ୍ୟର ଧାନ ଯେପରି ନବରଙ୍ଗପୁର ଜିଲ୍ଲାର ମଣ୍ଡିକୁ ଆସିପାରିବ ନାହିଁ ,ତାହାକୁ ରୋକିବାକୁ ଜିଲ୍ଲା ପ୍ରଶାସନର ଦୃଢ ପଦକ୍ଷେପ ନେଇଛି। ପୂର୍ବରୁ ନବରଙ୍ଗପୁର ଜିଲ୍ଲାର ସୀମାନ୍ତରେ ଥିବା ଛତିଶଗଡ ଚାଷୀ ଓଡିଶାର ମଣ୍ଡିରେ ନିଜ ଧାନ ଆଣି ବିକ୍ରି କରିଥିବା ନଜିର ଆସିଥିଲା। ଏହାପରେ ସରକାରଙ୍କ ନିର୍ଦେଶ ପରେ ତାହାକୁ ରୋକିବାକୁ ପଦକ୍ଷେପ ନିଆଯାଇଛି।

ଛତିଶଗଡ ସୀମାକୁ ଲାଗି ନବରଙ୍ଗପୁର ଜିଲ୍ଲାର ତିନିଟି ବ୍ଲକ ରାଇଘର, କୋଷାଗୁମୁଡା ଓ ଚନ୍ଦାହାଣ୍ଡି ରହିଥିବା ବେଳେ ପରିବହନ ପାଇଁ ମୁଖ୍ୟ ରାସ୍ତା ଗୁଡିକ ସହ କିଛି ପାଦ ଚଲା ରାସ୍ତା ମଧ୍ୟ ରହିଛି। ଯେଉଁ ରାସ୍ତା ଦେଇ ପୂର୍ବରୁ ଧାନ ଚାଲାଣ ସହ ନବରଙ୍ଗପୁର ଜିଲ୍ଲାକୁ ଛତିଶଗଡ ଧାନ ଆସୁଥିବା ନଜିର ରହିଛି। ତେଣୁ, ସରକାର ଏଥିପ୍ରତି ଧ୍ୟାନ ଦେଇ ଏହାକୁ ରୋକିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ଯାହାଫଳରେ ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଦୃଢ ପଦକ୍ଷେପ ନେଇଛନ୍ତି।

ନବରଙ୍ଗପୁର ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଉପ-ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ସ୍କ୍ୱାଡ଼ ଗଠନ କରାଯାଇଥିବା ବେଳେ ନବରଙ୍ଗପୁର ଏସ.ପିଙ୍କ ସହ ଯୋଗାଯୋଗ କରି ଏନଫୋର୍ସମେଣ୍ଟ ସ୍କ୍ୱାଡ଼ ଗଠନ କରି ସ୍ଥାନେସ୍ଥାନେ ଭ୍ରମଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ବିଶେଷକରି ନବରଙ୍ଗପୁର ଜିଲ୍ଲା ଭିତରକୁ ପ୍ରବେଶ କରୁଥିବା ୩ଟି ମୁଖ୍ୟ ରାସ୍ତାରେ ପୋଲିସ ୩ଟି ଚେକ ପୋଏଣ୍ଟ କରି ଚେକ କରାଯିବାର ବ୍ୟବସ୍ଥା କରାଯିବ। ସମସ୍ତ ମଣ୍ଡିରେ ସିସିଟିଭି ଲଗାଯାଇ ଦଲାଲ ମୁକ୍ତ ଓ ଛତିଶଗଡ ରାଜ୍ୟ ଧାନ ମୁକ୍ତ ମଣ୍ଡି କରାଯିବ। ଯଦି କୌଣସି ଦଲାଲ କିମ୍ବା ଛତିଶଗଡ ଚାଷୀ ନବରଙ୍ଗପୁର ଜିଲ୍ଲାର ମଣ୍ଡିରେ ଚିହ୍ନଟ ହେବେ ତାହେଲେ ତାଙ୍କ ବିରୁଦ୍ଦରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାରେ ଆସନ୍ତା ଡିସେମ୍ବର ମାସ ୧ତାରିଖରୁ ୫୪ଟି ମଣ୍ଡି ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାର ରେଜିଷ୍ଟ୍ରେସନ କରିଥିବା ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବାର ବ୍ୟବସ୍ଥା କରାଯିବାର ନିଷ୍ପତ୍ତି ନିଆଯାଇଛି। ଏବର୍ଷ ନବରଙ୍ଗପୁର ଜିଲ୍ଲାର ୨୮ହଜାର ରୁ ଉର୍ଦ୍ଧ ଚାଷୀ ଧାନ ମଣ୍ଡିରେ ଧାନ ବିକ୍ରି କରିବାକୁ ରେଜିଷ୍ଟ୍ରସନ କରିଛନ୍ତି ବୋଲି ସୂଚନା ଦେଇଛନ୍ତି।

Comments are closed.