ଅଜଣା ଗାଡି ଧକ୍କାରେ ୨ଭାଲୁ ମୃତ୍ୟୁ

ନବରଙ୍ଗପୁର: ପାପଡାହାଣ୍ଡି ଠାରେ ଅଜଣା ଗାଡି ଧକ୍କାରେ ୩ ଟି ଜଙ୍ଗଲୀ ବାରହା ମୃତ୍ୟୁ ହେବା ଘଟଣାର ସପ୍ତାହ ନପୂରୁଣୁ ପୁଣି ନବରଙ୍ଗପୁର ଜିଲାର ପାପଡାହାଣ୍ଡି ବ୍ଲକ ସେମଳା ସଦର ମହକୁମାର ୨୬ନଂ ଜାତୀୟ ରାଜପଥରେ ଅଜଣା ଗାଡି ଧକ୍କାରେ ୨ଟି ଭାଲୁର ମୃତ୍ୟୁ ଘଟିଛି। ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଏଥିପାଇଁ ବନବିଭାଗ ଦାୟୀ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପାପଡାହାଣ୍ଡି, ମୈଦଲପୁର ଓ ଏହାର ଆଖ ପାଖ ଅଞ୍ଚଳରେ କିଛି ଦିନ ହେଲା ୩ଟି ଭାଲୁ ବୁଲୁଥିଲେ। କିନ୍ତୁ ସେମାନେ କାହାର କିଛି କ୍ଷତି କରୁ ନ ଥିଲେ। ଗତକାଲି ରାତିରେ ସେମାନଙ୍କୁ ଅଜଣା ଗାଡି ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ରେ ଘଟଣା ସ୍ଥଳରେ ଦୁଇଟି ମାଇ ଭାଲୁର ମୃତ୍ୟୁ ଘଟିଥିବା ବେଳେ ଆଉ ଗୋଟିଏ ଭାଲୁ ସେଠାରୁ ସେମାନଙ୍କୁ ଛାଡି ନ ଥିଲା। ଖବର ପାଇ ମୈଦଲପୁର ବନ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେଠାରୁ ମୃତ ୨ଟି ଭାଲୁର ମୃତଦେହକୁ ବନ ବିଭାଗ କାର୍ୟ୍ୟାଳୟକୁ ଆଣିଥିଲେ। ସେହି ୨ଟି ଭାଲୁର ମୃତଦେହ ବ୍ୟବଚ୍ଛେଦ ପରେ ବନ ବିଭାଗ ପକ୍ଷରୁ ପୋତି ଦିଆଯାଇଥିଲା।

ଦିନ କୁ ଦିନ ଜଙ୍ଗଲ ରେ ବେଆଇନ ଗଛ କଟାଯାଉଥିବା ଫଳରେ ଜଙ୍ଗଲୀ ଜୀବ ଜନ୍ତୁ ଗାଁ ମୁହାଁ ହେଉଛନ୍ତି ଏବଂ ଗାଡି ଧକ୍କାରେ ସେମାନଙ୍କ ଜୀବନ ଯାଉଛି। କିଛିଦିନ ପୂର୍ବେ ପାପଡାହାଣ୍ଡି ଠାରେ ଅଜଣା ଗାଡି ଧକ୍କା ରେ ୩ଟି ଜଙ୍ଗଲି ବାରହାର ମୃତ୍ୟୁ ହୋଇଥିଲା। ଜଙ୍ଗଲ କ୍ଷୟ ଯୋଗୁଁ ଜଙ୍ଗଲି ଜନ୍ତୁ ଖାଦ୍ୟ ଅନ୍ୱେଷଣରେ ଗାଁ ଓ ମୁଖ୍ୟ ରାସ୍ତାକୁ ଚାଲି ଆସୁଛନ୍ତି। ଏଥିପ୍ରତି ବନବିଭାଗ ଦୃଷ୍ଟି ଦେବାସହ ଜଙ୍ଗଲି ଜନ୍ତୁ ଚଳପ୍ରଚଳ ହେବା ରାସ୍ତାରେ ସାଇନବୋର୍ଡ ଲଗାଇ ଲୋକଙ୍କୁ ସଚେତନ କରାଇବାର ଆବଶ୍ୟକ ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Comments are closed.