ନବରଙ୍ଗପୁରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା କୋର୍ଟ ପରିସରରେ ସଂଜୀବ ଦୁବେଙ୍କ ଅଧ୍ୟକ୍ଷତାରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୧ ଅନୁଷ୍ଠିତ ହୋଇଯାଇଛି। ବିଚାରପତି ସଂଜୀବ ଦୁବେ ତିନୋଟି (୩) ଏମ.ଏ.ସି.ଟି. କେସ ଫଇସଲା କରି ଟ.୩୦,୦୦,୦୦୦/- ଟଙ୍କା କ୍ଷତିପୂରଣ ରାଶି ଧାର୍ୟ୍ୟ କରିଛନ୍ତି ଓ ଗୋଟିଏ ଏକଜିକୁସନ ପିଟିସନ ମଧ୍ୟ ଫଇସଲା କରିଛନ୍ତି। ପରିବାର ବିଚାର ବିଭାଗୀୟ ବିଚାରପତି ସଞ୍ଜୟ କୁମାର ସାହୁ ୪ ଗୋଟି ପାରିବାରିକ ବିବାଦ କେସରେ ଆପୋଷ ମିଳାମିଶା କରାଇଛନ୍ତି। ଏହି ୪ ଗୋଟି କେସ ମଧ୍ୟରୁ ଗୋଟିଏ କେସରେ ପରିବାର ବିଚାର ବିଭାଗୀୟ ବିଚାରପତି ସଞ୍ଜୟ କୁମାର ସାହୁଙ୍କ ପ୍ରୟାସ କ୍ରମେ ଦୀର୍ଘ ୭ ବର୍ଷ ପରେ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଆପୋଷ ମିଳାମିଶା ହୋଇପାରିଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅନ୍ନପୂର୍ଣ୍ଣା ନାୟକ ୭ଟି ପ୍ରାକ ମକଦ୍ଦମା ଆପୋଷ ମିଳାମିଶା କରିଛନ୍ତି।

ସେହିଭଳି ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ପ୍ରିୟ ରଞ୍ଜନ ଓଝା ୧୦୭ଟି ଫୌଜଦାରୀ ମକଦ୍ଦମାର ଫଇସଲା କରିଛନ୍ତି। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ସୁମନ୍ତ କୁମାର ପଟ୍ଟନାୟକ ଗୋଟିଏ ପାରିବାରିକ ବିବାଦ କେସରେ ଆପୋଷ ମିଳାମିଶା କରାଇଛନ୍ତି ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ରାଜଶ୍ରୀ ଅରୟବାଲା ତ୍ରିପାଠୀ ଗୋଟିଏ ଫୌଜଦାରୀ ମକଦ୍ଦମାର ଫଇସଲା କରିଛନ୍ତି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସର୍ବମୋଟ ୨୧୨ ଗୋଟି କୋର୍ଟ କେସର ଫଏସଲା କରାଯାଇଛି ଓ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବ୍ୟାଙ୍କର ୪୧ଟି ପ୍ରାକ ମକଦ୍ଦମା ମଧ୍ୟ ଫଏସଲା କରାଯାଇ ୨୧ ଲକ୍ଷ ୧୧ ହଜାର ୮୦୦ ଟଙ୍କା ରୁଣ ଆଦାୟ କରାଯାଇଛି।

Comments are closed.