ସାଇକେଲରେ ଭାରତ ଭ୍ରମଣ, ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ଅଧୁରାଜ

ନବରଙ୍ଗପୁର: ସାଇକେଲରେ ବାହାରିଛନ୍ତି ଭାରତ ଭ୍ରମଣରେ। ସେ ସାଇକେଲରେ ବୁଲି ବୁଲି ରାଷ୍ଟ୍ରୀୟ ଏକତା, ବିଶ୍ବ ଶାନ୍ତି, ପ୍ରଦୂଷଣ ମୁକ୍ତ ଓ ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ବାର୍ତ୍ତା ପ୍ରଚାର କରୁଛନ୍ତି। ଝାଡ଼ଖଣ୍ଡ ଜାମସେଦପୁରର ଅଧୁରାଜ ବରୁଆ(୨୭) ଆଜି ନବରଙ୍ଗପୁରରେ ପହଞ୍ଚିଛନ୍ତି। ବାପାଙ୍କଠାରୁ ପ୍ରେରଣା ପାଇ ଏହି ଯାତ୍ରା ଆରମ୍ଭ କରିଥିବା ସେ କହିଛନ୍ତି। ୧୯୮୭ରେ ତାଙ୍କ ବାପା ଆଲୋକ ରଞ୍ଜନ ବରୁଆ ମଧ୍ୟ ଏହି ଭଳି ସାଇକେଲ ଯାତ୍ରା କରି ଲୋକଙ୍କୁ ସଚେତନ କରିଥିଲେ।

ଚଳିତ ମାସ ୧ ତାରିଖରୁ ଏହି ଯାତ୍ରା ଆରମ୍ଭ କରିଥିବା ଅଧୁରାଜ କହିଛନ୍ତି। ବର୍ତମାନ ସୁଦ୍ଧା ସେ ଦୁଇଟି ରାଜ୍ୟ ଅତିକ୍ରମ କରି ସାରିଲେଣି। ଜାମସେଦପୁର ଏଲ୍‌ଆଇସି, ଲାୟନ୍ସ କ୍ଲବ, ମୈତ୍ରୀ ପରିବାର, କଦମାର କେରଲା ପବ୍ଲିକ ସ୍କୁଲ ତାଙ୍କର ଏହି ଯାତ୍ରାର ସମସ୍ତ ଖର୍ଚ୍ଚ ବହନ କରୁଥିବା ସେ କହିଛନ୍ତି। କେତେଜଣ ସହୃଦୟ ବ୍ୟକ୍ତି ମଧ୍ୟ ସାହାଯ୍ୟ କରୁଥିବା ଅଧିରାଜ ପ୍ରକାଶ କରିଛନ୍ତି। ଦିନକୁ ସେ ୧୦୦ କିମି ରାସ୍ତା ଅତିକ୍ରମ କରୁଥିବା କହିଛନ୍ତି। ପୁରା ଦେଶ ବୁଲିବାକୁ ଦେଢ଼ ବର୍ଷ ଲାଗିବ ବୋଲି ସେ କହିଛନ୍ତି।

Comments are closed.