ଅର୍ଥ ଆତ୍ମସାତ ମାମଲା, ଫେରାର ଡାବୁଗାଁ ତହସିଲର ନାଜିରଙ୍କୁ ଛତିଶଗଡରୁ ଗିରଫ କଲା ପୁଲିସ

ନବରଙ୍ଗପୁର: ବହୁ ଚର୍ଚ୍ଚିତ ଡାବୁଗାଁ ତହସିଲ କାର୍ଯ୍ୟାଳୟର ମହିଳା କର୍ମଚାରୀ (ନାଜିର) ଚନ୍ଦନା ମଣ୍ଡଳଙ୍କୁ ଗିରଫ କରିଛି ନବରଙ୍ଗପୁର ଜିଲା ପୁଲିସ। ଅଭିଯୁକ୍ତ ଚନ୍ଦନା ତହସିଲ କାର୍ଯ୍ୟାଳୟର ଏକ କୋଟି ୫୪ଲକ୍ଷ ଟଙ୍କା ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ଜିଲା ପୁଲିସ କାର୍ଯ୍ୟାଳୟରେ ଅପରାହ୍ନ ୨ଟାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ଆରକ୍ଷୀ ଅଧିକ୍ଷିକ ସ୍ମିଥ୍‍.ପୁରୁଷୋତ୍ତମ ଦାସ ଯୋଗଦେଇ ଏହି ଗିରଫ ସଂପର୍କରେ ସୂଚନା ଦେଇଥିଲେ। ଏଥିପାଇଁ ୩ଟି ପୁଲିସ ଟିମ୍‍ ଗଠନ କରାଯାଇଥିଲା। ତାଙ୍କୁ ଛତିଶଗଡ ରାଜ୍ୟର ସୁକୁମା ଜିଲାରୁ ଗିରଫ କରାଯାଇଛି। ବୋର୍ଡ ଅଫ ରେଭନ୍ୟୁର ଅଡିଟ ପ୍ରକାରେ ଚନ୍ଦନା ଏକ କୋଟି ୪୫ ଲକ୍ଷ ଆତ୍ମସାତ୍‍ କରିଥିବା ଜଣାପଡିଥିବା କହିଥିଲେ।

ସେ ସରକାରୀ ବ୍ୟାଙ୍କଠାରୁ ଚେକ୍‍ ମାଧ୍ୟମରେ ଟଙ୍କା ଆତ୍ମସାତ କରିଛନ୍ତି। ସେ ବିଭିନ୍ନ ବ୍ୟାଙ୍କରେ ଜମା ରଖିଥିବା ୨୭ ଲକ୍ଷ ୮୭ ହଜାର ୦୨୬ ଟଙ୍କାକୁ ଜବତ କରାଯାଇଛିା ଗତ ୧୮ ତାରିଖରେ ସେ ରହୁଥିବା ସ୍ଥାନକୁ ଚିହ୍ନଟ କରାଯାଇଥିଲା। ଜିଲା ପୁଲିସ ପକ୍ଷରୁ ଛତିଶଗଡ ରାଜ୍ୟର ସୁକୁମା ଜିଲା ଅନ୍ତର୍ଗତ ବରସର ଥାନାର ଇଟାଭଟ୍ଟା ଗାଁରୁ ଗିରଫ କରାଯାଇଛି। ତେବେ ଏହିିଘଟଣାରେ ଆଉ ଅନ୍ୟ କେଉଁ ମାନେ ସଂପୃକ୍ତ ଅଛନ୍ତି ତାହା ତଦନ୍ତ ଚାଲିଛି। ତାଙ୍କର ଅଧିକ ସମ୍ପତ୍ତି ଓ ଯାନ ବାହନ ସଂପର୍କରେ ତଦନ୍ତ ଚାଲୁଥିବାବେଳେ ଏଥିପାଇଁ ରାଜସ୍ୱବିଭାଗ ଓ ପରିବହନ ବିଭାଗକୁ ଚିଠିଲେଖାଯାଇଛି। ଅଭିଯୁକ୍ତ ଚନ୍ଦନାଙ୍କୁ ଆଜି ଉମରକୋଟ ଅଦାଲତକୁ ଚାଲାଣ କରାଯାଇଥିବା ସେ କହିଥିଲେ। ସୂଚନାଯୋଗ୍ୟଯେ, ଗତ ତା ୧.୯.୨୧ ଡାବୁଗାଁ ତହସିଲଦାର ସନ୍ଧ୍ୟା ସମରଥ ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ (ନାଜିର) ଚନ୍ଦନା ମଣ୍ଡଳ ସରକାରୀ ଅର୍ଥର ଅନୀୟମିତତା ନେଇ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ବୋର୍ଡ ଅଫ ରେଭେନ୍ୟୁର ଅଡିଟ ଅଧିକ୍ଷକଙ୍କର ରିପୋର୍ଟ ପ୍ରକାରେ ଗତ ତା ୦୮.୦୯.୨୦ ଠାରୁ ତା୨୪.୦୫.୨୧ ମଧ୍ୟରେ ମୋଟ ୧ କୋଟି ୪୪ ଲକ୍ଷ ୪୮ ହଜାର ୯୪୬ ଟଙ୍କାର ଅନୀୟମିତତା ହୋଇଥିବା ଜଣାପଡିଥିଲା। ଏହା ଜଣାପଡିବା ପରେ ତାଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି। ଏହାପରେ ଚନ୍ଦନା ଗିରଫ ଭୟରେ ଓଡିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇ ଅଗ୍ରୀମ ଜାମିନ ପାଇଁ ଆବେଦନ କରିଥିଲେ ହେଁ ଗତ ଜୁଲାଇ ୩୦ରେ ହାଇକୋର୍ଟ ଜାମିନ ନାକଚ କରିଥିଲେ। ଏହାପରେ ସେ ଫେରାର ହୋଇଥିଲେ। ତେବେ ଦୀର୍ଘଦିନ ଧରି ଫେରାର ରହିଥିବା ନାଜିର ଚନ୍ଦନାଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିବା ବେଳେ କୋର୍ଟ ଚାଲାଣ କରିଛି। ତେବେ ଜଣେ ମହିଳା କର୍ମଚାରୀଙ୍କର ଏହି କାରନାମା ନେଇ ସମଗ୍ର ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।

Comments are closed.