ନବରଙ୍ଗପୁର କୋର୍ଟରେ ବିଚାର ପାଇଁ ପଡିରହିଛି୧୨୨୦ଟି ଦେୱାନି ମାମଲା ଓ ୨୭୧୬୯ଟି ଫୌଜଦାରୀ ମାମଲା

ନବରଙ୍ଗପୁର: ସାରା ଓଡ଼ିଶାର ୩୦ଟି ଜିଲ୍ଲା ସ୍ତରୀୟ ଆଇନଜୀବୀ ସଂଘର ସଭାପତି ଓ ସମ୍ପାଦକଙ୍କ ସହ ଆଭାସୀ କାର୍ୟ୍ୟକ୍ରମ ଜରିଆରେ ଓଡିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଡଃ ଏସ୍. ମୁରଲୀଧର କଥାହୋଇ ସମସ୍ତ ସମସ୍ୟା ଶୁଣିଥିଲେ। ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ପକ୍ଷରୁ ସଭାପତି ଆଶିଷ ରଂଜନ ପଟ୍ଟନାୟକ ଓ ସମ୍ପାଦକ ରାମ ପ୍ରସାଦ ପାତ୍ର ଆଇନଜୀବୀ ସଂଘ ର ଅନେକ ସମସ୍ୟା ଓ ପ୍ରସ୍ତାବ ଗୁଡିକ ସମ୍ବନ୍ଧରେ ମୁଖ୍ୟ ବିଚାରପତିଙ୍କୁ ଅବଗତ କରିଥିଲେ। ଜିଲ୍ଲା ଅଦାଲତର ସମ୍ମେଳନ କକ୍ଷରେ ଜିଲ୍ଲା ଓ ଦୌରାଜଜ ଅଶୋକ କୁମାର ପଣ୍ଡାଙ୍କ ସହ ରେଜିଷ୍ଟ୍ରାର ଶ୍ରୀମତୀ ଅପର୍ଣ୍ଣା ମହାପାତ୍ର ଉପସ୍ଥିତ ଥିଲେ। ନବରଙ୍ଗପୁର କୋର୍ଟ ରେ ଅଗଷ୍ଟ ମାସ ସୁଦ୍ଧା ବିଚାର ପାଇଁ ପଡିରହିଥିବା ୧୨୨୦ଟି ଦେୱାନି ଓ ୨୭୧୬୯ଟି ଫୌଜଦାରୀ ମାମଲା , ବିଶେଷକରି ପଡିରହିଥିବା ପୁରୁଣା ମାମଲା ଗୁଡିକୁ ଯଥାଶୀଘ୍ର ବିଚାରଣା କରିବାପାଇଁ ବୈଠକରେ ଗୁରୁତ୍ବ ଆରୋପ କରାଯାଇଥିଲା ।

 

ନୂତନ କୋର୍ଟ ଗୃହରେ ତୃତୀୟ ମହଲା ନିର୍ମାଣ କରିବା, ଆଇନଜୀବୀ ସଂଘର ପ୍ରସ୍ତାବିତ ନୂତନ କୋଠା ନିର୍ମାଣ କରିବା, କ୍ୟାଣ୍ଟିନ୍ ଗୃହ ନିର୍ମାଣ କରିବା, ନିୟମିତ ଭିଜିଲାନ୍ସ କୋର୍ଟ ସ୍ଥାପନ, ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ସ୍ଥାପନ, ଜିଲ୍ଲାର ଡାବୁଗାଁ ରେ ଓ ଅନ୍ୟ ଅଞ୍ଚଳ ରେ ପ୍ରଥମ ଶ୍ରେଣୀ ବିଚାରପତି କୋର୍ଟ ସ୍ଥାପନ ପାଇଁ ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ମୁଖ୍ୟ ବିଚାରପତି ଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା । କୋଭିଡ କଟକଣା ଯୋଗୁଁ ଦୀର୍ଘ ଏକ ବର୍ଷରୁ ଅଧିକ ଦିନ କୋର୍ଟ କାର୍ୟ୍ୟ ବନ୍ଦ ଥିବା ଯୋଗୁଁ ବିଚାରାଧୀନ ମାମଲା ସଂଖ୍ୟା ବୃଦ୍ଧି ହୋଇଥିବା ସଂଘ ପକ୍ଷରୁ ଅବଗତ କରାଯାଇଥିଲା।

Comments are closed.