MEllora 950×100

ନବରଙ୍ଗପୁର ଜିଲାପାଳଙ୍କୁ ରାଜ୍ୟସ୍ତରୀୟ ସମ୍ମାନ

ନବରଙ୍ଗପୁର: ଜାତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପ୍ରକାରେ ଭୋଟର କାର୍ଡ ସହିତ ଆଧାର ସଂଯୋଗରେ ରାଜ୍ୟସ୍ତରରେ ନବରଙ୍ଗପୁର ଜିଲା ପ୍ରଥମ ହେବା ସହିତ ଅନ୍ୟାନ୍ୟ କାର୍ଯ୍ୟରେ ଉତ୍ତମ ପାରଦର୍ଶିତା ଲାଭ କରିଛି। ଏହି ସଫଳତା ପାଇଁ ରାଜ୍ୟ ନିର୍ବାଚନ ଅୟୋଗ ପକ୍ଷରୁ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ଡଃ.କମଳ ଲୋଚନ ମିଶ୍ରଙ୍କୁ ସମ୍ମାନୀତ କରାଯାଇଛି। ବୁଧବାର ଭୁବନେଶ୍ୱର ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ତ୍ରୟୋଦଶ ଜାତୀୟ ମତଦାତା ଦିବସ ଉତ୍ସବ ପାଳନ ଅବସରରେ ମୁଖ୍ୟ ଅତିଥି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଉପସ୍ଥିତ ରହି ଜିଲାପାଳ ଡଃ.ମିଶ୍ରଙ୍କୁ ମାନପତ୍ର ଦେଇ ସମ୍ମାନୀତ କରିଛନ୍ତି। ଏହି ଉତ୍ସବରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲାପାଳ ଡଃ.ମିଶ୍ର ଏହି ସଫଳତାର ଶ୍ରେୟ ଏଥିରେ ସଂପୃକ୍ତ ଜିଲାର ସମସ୍ତ ଅଧିକାରୀ, କର୍ମଚାରୀ, ରାଜନୈତକି ଦଳ ଓ ଗଣମାଧ୍ୟମର ପ୍ରତିନିଧିଙ୍କୁ ଦେଇଛନ୍ତି।

ପ୍ରକାଶଯୋଗ୍ୟ ଯେ, ଭୋଟର କାର୍ଡ ସହିତ ଆଧାର ସଂଯୋଗରେ ନବରଙ୍ଗପୁର ଜିଲାର ୯୩.୩୪ ପ୍ରତିଶତ ସଫଳତା ସହ ରାଜ୍ୟସ୍ତରରେ ପ୍ରଥମ ରହିଛି। ତେବେ ଏହି ସଫଳତା ପାଇଁ ଜିଲାରେ ଖୁସି ପ୍ରକାଶ ପାଇଛି।

Comments are closed.