ଲୋକାଲ ଫୋର ଭୋକାଲ: ଅର୍ଥନୀତି ଅଧ୍ୟାପିକାଙ୍କ ଆତ୍ମନିର୍ଭରଶୀଳ ବାର୍ତ୍ତା, ଚର୍ଚ୍ଚାରେ ଗଲୁସ ଚକ୍କି ଚକୋଲେଟ

ନବରଙ୍ଗପୁର ; ଉପାନ୍ତ ଅଞ୍ଚଳରୁ ନାରୀ ସମାଜକୁ ଆତ୍ମନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ଜଣେ ଅର୍ଥନୀତି ଅଧ୍ୟାପିକା । ଅବସର ସମୟର ସଦୁପଯୋଗ କରି କିଭଳି ନିଜେ ଅର୍ଥ ଉପାର୍ଜନ କରିପାରିବେ ତାହା ସେ ପ୍ରମାଣିତ କରି ଦେଖାଇଛନ୍ତି। ନବରଙ୍ଗପୁର ଜିଲା ପାପଡାହାଣ୍ଡିର ଏକ ଘରୋଇ କଲେଜର ଅର୍ଥନୀତି ବିଭାଗର ଅଧ୍ୟାପିକା ସଙ୍ଗୀତା ସାହୁଙ୍କ ଦ୍ବାରା ଘରେ ପ୍ରସ୍ତୁତ ଗଲୁସ ଚକଲେଟକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଅନ୍ୟ ନାମୀଦାମୀ କମ୍ପାନୀର ଚକୋଲେଟକୁ ଟକ୍କର ଦେଇ ବର୍ତ୍ତମାନ ଅଧ୍ୟାପିକା ସଙ୍ଗୀତାଙ୍କ ଦ୍ବାରା ପ୍ରସ୍ତୁତ ଚକୋଲେଟ ଗଲୁସ ଚକ୍କି ପ୍ରଧାନମନ୍ତ୍ରୀଙ୍କ ଭୋକାଲ ଫର ଲୋକାଲର ବାର୍ତ୍ତାବହ ସାଜିଛି। ନିଜ ଉଦ୍ୟମରେ ଚକୋଲେଟ ପ୍ରସ୍ତୁତ କରି ନିଜେ ରୋଜଗାରକ୍ଷମ ହେବା ସହ ଅବସର ସମୟର ସଦ ବିନିଯୋଗ କରିବା ଦିଗରେ ଉଦାହରଣ ସୃଷ୍ଟି କରିଛନ୍ତି।

ସମ୍ପୂର୍ଣ୍ଣ ଭାବେ ଘରେ ପ୍ରସ୍ତୁତ ହେଉଥିବା ଏହି ଚକଲେଟର ଚାହିଦା ନବରଙ୍ଗପୁରରେ ବୃଦ୍ଧି ପାଇବାରେ ଲାଗିଛି। ନବରଙ୍ଗପୁର ଜିଲା ପାପଡାହାଣ୍ଡିରେ ନିଜ ସ୍ୱାମୀ,ଶାଶୁ ଓ ଶ୍ୱଶୁରଙ୍କ ସହ ରୁହନ୍ତି ୨୬ବର୍ଷୀୟ ସଂଗୀତା। ଉଚ୍ଚ ଶିକ୍ଷିତା ସଙ୍ଗୀତା ପେଷାରେ ଜଣେ ଅର୍ଥନୀତି ଅଧ୍ୟାପିକା, ନିଶା କିନ୍ତୁ ତାଙ୍କର ଚକଲେଟ ପ୍ରସ୍ତୁତ କରିବା। ନିଜ ଘରେ ଆରମ୍ଭ କରିଛନ୍ତି ଏକ ଅଣୁ ଉଦ୍ୟୋଗ। ନିଜ ଅଧ୍ୟାପନା ସମୟରୁ କିଛି ଅବସର ସମୟ ବାହାର କରି ନିଜେ ଘରେ ପ୍ରସ୍ତୁତ କରନ୍ତି ଭଳିକି ଭଳି ରକମର ଚକୋଲେଟ। ସଙ୍ଗୀତାଙ୍କୁ ନବରଙ୍ଗପୁର ଜିଲାରେ ରାଷ୍ଟ୍ରୀୟ କୃଷି ବିଜ୍ଞାନ ଯୋଜନାରେ ବୈଜ୍ଞାନିକ ଜ୍ଞାନ କୌଶଳର ଉପଯୋଗ ପ୍ରକଳ୍ପରେ ଖାଦ୍ୟ ପ୍ରକ୍ରିୟାକରଣ କାର୍ଯ୍ୟକ୍ରମ ଅଧୀନରେ ତାଲିମ ଗ୍ରହଣ କରିବାକୁ ସୁଯୋଗ ମିଳିଥିଲା।

ପ୍ରଥମେ ନବରଙ୍ଗପୁର ଓ ପରେ ହାଇଦ୍ରାବାଦର କେନ୍ଦ୍ରୀୟ ଅନୁଷ୍ଠାନ ସିଏଫଟିଆରଇରେ ଖାଦ୍ୟ ପ୍ରକ୍ରିୟାକରଣ ସମ୍ପର୍କରେ ତାଲିମ ଗ୍ରହଣ କରନ୍ତି। ବଜାରରେ ଚକୋଲେଟ ଚାହିଦାକୁ ଦୃଷ୍ଟିରେ ରଖି ନିଜ ଅଧ୍ୟାପନା ସମୟରୁ କିଛି ସମୟ ବାହାର କରି ସେ ପ୍ରଶିକ୍ଷଣ ନେଇଥିବା ବିଷୟକୁ କାର୍ଯ୍ୟରେ ବିନିଯୋଗ କରି ଘରେ ନିଜେ ଚକୋଲେଟ ତିଆରି କରିବାକୁ ନିଷ୍ପତ୍ତି ଗ୍ରହଣ କରନ୍ତି। ହାଇଦ୍ରାବାଦ ଓ ଜୟପୁରରୁ ଚକୋଲେଟ ପ୍ରସ୍ତୁତ ପାଇଁ ଆବଶ୍ୟକ ସରଞ୍ଜାମ ଆଣି ସେ ଆରମ୍ଭ କରିଛନ୍ତି ଚକୋଲେଟ ପ୍ରସ୍ତୁତି। ଚକୋଲେଟର ନାମ ରଖିଛନ୍ତି ଗଲୁସ ଚକି। ଉନ୍ନତ ମାନର ଚୋକ ସହ ସେ ପିସ୍ତାବାଦାମ, କାଜୁ, କିସମିଶ, ଚିନିର ମିଶ୍ରଣରେ ସ୍ୱତନ୍ତ୍ର ଭାଗ ମାପରେ ବିନା କୌଣସି କେମିକାଲରେ ଚକୋଲେଟ ପ୍ରସ୍ତୁତ କରନ୍ତି। ଗୋଲ ଗୋଲ ଆକାରରେ ଏହି ଚକୋଲେଟ ଗୁଡିକୁ ସେ ଆକର୍ଷଣୀୟ ଭାବେ ସେ ପ୍ୟାକିଙ୍ଗ କରିଥାନ୍ତି। ଚକୋଲେଟ ପ୍ରସ୍ତୁତ ସମୟରେ ସୁରକ୍ଷା ଓ ସ୍ୱଚ୍ଛତାର ସମ୍ପୂର୍ଣ୍ଣ ଧ୍ୟାନ ରଖନ୍ତି ସଙ୍ଗୀତା। ଚକୋଲେଟ ବିକ୍ରୟ କରି ମାସକୁ ପ୍ରାୟ ୫ହଜାରରୁ ୬ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ରୋଜଗାର କରୁଥିବା ସଙ୍ଗୀତା ପ୍ରକାଶ କରିଛନ୍ତି।

ପୂର୍ବରୁ ଚକୋଲେଟ ଗୁଡିକୁ ସ୍ଥାନୀୟ ବଜାରରେ ଦେଉଥିବା ବେଳେ ଏବେ ଲକଡାଉନ ପରଠାରୁ ଚକଲେଟ ପାଇଁ ବରାଦ ମିଳିବା ପରେ ପ୍ରାୟତଃ ଚକୋଲେଟ ପ୍ରସ୍ତୁତିରେ ଅଧିକ ସମୟ ବିତାଉଛନ୍ତି । ଚକୋଲେଟକୁ ନେଇ ଏକ କ୍ଷୁଦ୍ର ଉଦ୍ୟୋଗ କରି ମହିଳାଙ୍କୁ ରୋଜଗାର ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସେ । ସଙ୍ଗୀତାଙ୍କୁ ଏହି ଚକୋଲେଟ ପ୍ରସ୍ତୁତି ସମୟରେ ତାଙ୍କ ଶାଶୁ, ସ୍ୱାମୀ ସହ ଯା’ ମଧ୍ୟ ଚକୋଲେଟ ପ୍ୟାକିଙ୍ଗରେ ସାହାଯ୍ୟ କରନ୍ତି। ପ୍ରଧାନମନ୍ତ୍ରୀଙ୍କ ଭୋକାଲ ଫର ଲୋକାଲ ନେଇ ବେଶ ଆଶାବାଦୀ ଅଛନ୍ତି ସଙ୍ଗୀତା ଏବଂ ତାଙ୍କ ପରିବାର ଲୋକେ। ଅଧ୍ୟାପିକା ସଙ୍ଗୀତାଙ୍କ ଚକୋଲେଟର ଚାହିଦାକୁ ଦେଖି ନବରଙ୍ଗପୁର ଜିଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଆଜି ସଂଗୀତାଙ୍କୁ ସରକାର ତରଫରୁ କ୍ଷୁଦ୍ର ଉଦ୍ୟୋଗ କରିବା ପାଇଁ ସମସ୍ତ ପ୍ରକାର ସହାୟତା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

Comments are closed.