ସରକାରୀ ଯୋଜନାର ବିକଳ ଚିତ୍ର, ୧୦ ବର୍ଷ ହେଲାଣି ପଲିଥିନ ତଳେ ବିତୁଛି ଜୀବନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ କଣ୍ଟାଗାଁ ପଂଚାୟତ ମେରେଇ ଗ୍ରାମରେ ଦେଖିବାକୁ ମିଳିଛି ଏକ ବିକଳ ଚିତ୍ର। ଆଜିର ଦିନରେ ବି ଲୋକେ ଓଳିଏ ଖାଇବାକୁ ନ ପାଇ ସରକାରୀ ସମସ୍ତ ସହାୟତାରୁ ବଞ୍ଚିତ ହୋଇ ଭିକ ମାଗି ପେଟ ଚଳାଉଥିବା ବେଳେ ଏକ ଭଙ୍ଗା ଛୋଟ ଝୁମ୍ପୁଡ଼ିରେ ବିତୁଛି ଜୀବନ। ବର୍ତମାନ ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କରିଥିବା ବେଳେ ଏବେବି ପ୍ରକୃତରେ ଲୋକଙ୍କ ପାଖରେ ପହଂଚି ପାରୁନାହିଁ ଯୋଜନା। ଏମିତି ଏକ ବିକଳ ଚିତ୍ର ଦେଖିବାକୁ ମିଳିଅଛି ତେନ୍ତୁଳୀଖୁଣ୍ଟି ବ୍ଲକ କଣ୍ଟାଗାଁ ପଂଚାୟତର ମେରେଇ ଗ୍ରାମରେ।

ମେରେଇ ଗ୍ରାମର ଭଗତ ହରିଜନ ବୟସ ଆସି ୭୦ ପାଖାପାଖି। ନିଜର ବୋଇଲେ ସ୍ତ୍ରୀ ଆଜକୁ ୧୦ ବର୍ଷରୁ ଉର୍ଦ୍ଧ ହେବ ଘର ଛାଡି ଚାଲିଯାଇଥିବା ବେଳେ ଝିଅ ଅନ୍ୟତ୍ର ବିବାହ ହୋଇ ଚାଲିଗଲା ପରେ ଭଗତ ଏକୁଟିଆ ନିଜର ଏକ ଚାଳ କୁଡ଼ିଆରେ ରହି ନିଜର ପୁରୁଣା ରାସନ କାର୍ଡରେ ୧୦କେଜି ଚାଉଳ ପାଉଥିଲା ଏବଂ ବାହାରେ କୁଳିକାମ କରି ଚାଲିଯାଉଥିଲା। ଆଜକୁ ୧୦ ବର୍ଷ ପୂର୍ବେ ଭଗତର ନିଜର ଭାଇ ବନ୍ଧୁ ଜାଗାରୁ ତଡ଼ିଦେବାରୁ ଅସହାୟ ହୋଇ ଭଗତ ଗାଁ ମୁଣ୍ଡରେ ଜଣକ ବିଲ ନିକଟରେ ଏକ ଛୋଟ ଝୁମ୍ପୁଡି ବନେଇ ସେହି ଭିତରେ ଜୀବନ ବିତାଉଥିଲା। ବାର୍ଦ୍ଧକ୍ୟ ଯୋଗୁଁ ଆଉ ବାହାରେ କୁଳିକାମ କରିବାକୁ ଅସମର୍ଥ ହୋଇ ପଡ଼ିଥିବା ବେଳେ ପଂଚାୟତରୁ ମିଳୁଥିବା ଚାଉଳରେ ଯେମିତି ସେମିତି ଗୋଟିଏ ଓଳି ଖାଇ ଗୋଟିଏ ଓଳି ଉପାସରେ ଖରା ବର୍ଷା ସେହି ଝୁମ୍ପୁଡ଼ି ଭିତରେ ଜୀବନ ବିତାଉଥିଲା। ସେ ଯେଉଁ ଝୁମ୍ପୁଡିରେ ରହୁଛି ତାର ଉଚତା ୩/୪ ଫୁଟ ହିଁ ହେବ, ଝୁମ୍ପୁଡ଼ି ଭିତରକୁ ଯିବାକୁ ହେଲେ ଗୁରୁଣ୍ଡି ଗୁରୁଣ୍ଡି ଯିବାକୁ ହେବ।

ଜୀବନକୁ ବାଜି ଲଗାଇ ସେ ଭିତରେ ରହି ଆସୁଛି ଭଗତ! ବୋଝ ଉପରେ ନଳିତା ବିଡା ସଦୃଶ ଆଜକୁ ଏକ ବର୍ଷ ହେବ କୌଣସି କାରଣ ଯୋଗୁଁ ବିଚରା ଭଗତର ଆଉ ଚାଉଳ ମିଳିବା ମଧ୍ୟ ବନ୍ଦ ହୋଇଯାଇଛି। ଭଗତଙ୍କ କହିବା ଅନୁଯାଇ ସେ ଚାଉଳ ପାଇଁ ବାରମ୍ବାର ପଂଚାୟତରେ ଅଭିଯୋଗ କରିଥିଲେ ହେ କେହି ଶୁଣି ନଥିଲେ। ବାର୍ଦ୍ଧକ୍ୟ ଭତ୍ତା ପାଇଁ ବି ସେ ବହୁ ଲୋକଙ୍କ ନିକଟରେ ଗୁହାରି କରିଥିଲେ ହେଁ ଭତ୍ତା ପାଇବାରୁ ବଞ୍ଚିତ ଵୃଦ୍ଧା ଭଗତ ଶେଷରେ ଭିକମାଗୀ ପେଟ ଚଳାଉଥିବା କହିଛନ୍ତି। ଏପଟେ ଚାଉଳ ମିଳୁନଥିବା ନେଇ ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କରିବା ପରେ ସେ ତଦନ୍ତ କରି କହିଥିଲେ ଯେ ଚାଉଳ କାର୍ଡ ତାଙ୍କ ଝିଅ ନାମରେ ଅଛି ଓ ସେ ୩୦ କିଲୋ ଚାଉଳ ଉଠାଉଛି। ଶୀଘ୍ର ଭଗତ ନାମରେ ଅଲଗା ଏକ କାର୍ଡ କରି ଚାଉଳ ଦେବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ଏପଟେ ବର୍ଷା ଋତୁରେ ସେହି ଝୁମ୍ପୁଡ଼ିରେ କୌଣସି ଅଘଟଣ ଘଟିବା ପୂର୍ବରୁ ଭଗତକୁ ପ୍ରଶାସନ ପକ୍ଷରୁ ଥଇଥାନ ବ୍ୟବସ୍ଥା କରାଯିବା ସହ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ପାଇଁ ସ୍ଥାନୀୟ ଅଂଚଳରେ ଦାବି ହେଉଛି।

Comments are closed.