ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ତାଲିମ ଶିବିର ଅନୁଷ୍ଠିତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଶିଶୁସୁରକ୍ଷା ୟୁନିଟି ଆନୁକୁଲ୍ଯରେ ଆଜି ଶିଶୁ ଯତ୍ନ କେନ୍ଦ୍ରରେ ରହୁଥିବା ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଓ ବାଲ୍ୟ ବିବାହରୁ ରୋକାଯାଇଥିବା କିଶୋର କିଶୋରୀମାନଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ତାଲିମି ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଟିତ ହୋଇଯାଇଛି। ଶିଶୁସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଏହି ତାଲିମ ଶିବିରେ ଉମରକୋଟ, ନବରଙ୍ଗପୁର, ଚନ୍ଦାହାଣ୍ଡି ଓ ରାୟଘର ପଲିଟେନିକ ମହାବିଦ୍ୟାଳୟର ଅଧକ୍ଷମାନେ ଉପସ୍ଥିତ ରହି କିଶୋରକିଶୋରୀମାନଙ୍କୁ ପଲିଟେନିକ ଶିକ୍ଷାର ଉପକାରିତା, ମାନଦଣ୍ଡ ଓ ଶିକ୍ଷା ସମାପ୍ତି ପରେ ନିଯୁକ୍ତି ଦେବାର ସୁବିଧା ସୁଯୋଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ବିଶେଷକରି ଛାତ୍ରଛାତ୍ରୀମାନେ ତଥାକଥିତ ଶିକ୍ଷା ଗ୍ରହଣ ନକରି ଦକ୍ଷତା ଭିତ୍ତିରେ ବୈଷୟିକ ଶିକ୍ଷାରେ ମନ ନିବେଶ କଲେ ଭବିଷ୍ୟତରେ ବେକାରି ସମସ୍ୟା ଦୂରୀଭୂତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।

ସେହିପରି ଭୁବନେଶ୍ବରସ୍ଥିତ ସିଭି ରମଣ ଯାନ୍ତ୍ରିକ ମହାବିଦ୍ୟାଳର ଅଧକ୍ଷ ନିଜ ଅନୁଷ୍ଠାନରେ ଆଦିବାସୀ ଛାତ୍ରଛାତ୍ରୀମାନେ ମାଗଣାରେ ଶିକ୍ଷା ପ୍ରଦାନର ସୁବିଧା ବିଷୟରେ କିଶୋରକିଶୋରୀମାନଙ୍କୁ ବୁଝାଇ ଥିଲେ। ପରେ ଓରମାସ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଉମା ମହେଶ ରାଓ ଜିଲ୍ଲା ସ୍ତରରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ଆଗାମୀ ୭ ଦିନ ମଧ୍ୟରେ ୪୦ ଜଣ କିଶୋରକିଶୋରୀମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ଆହ୍ଵାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆକ୍ସନଏଡ ସଂସ୍ଥାର ଜିଲ୍ଲା ପରାମର୍ଶଦାତା ଫକିର ଚରଣ ରାଉତ, ଦେବାଶିଷ ମହାପାତ୍ର। ମିହିର ପଣ୍ଡା, ଅବିନ୍ୟାସ ଜେନା ପ୍ରମୁଖ ଏହି ପ୍ରଶିକ୍ଷଣରେ ଭାଗ ନେଇ ଛାତ୍ରଛାତ୍ରୀମାନେ ପଚାରିଥିବା ପ୍ରଶ୍ନ ଗୁଡିକର ଉତ୍ତର ରଖି ଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାରେ ଥିବା ୧୧ଟି ଶିଶୁ ଯତ୍ନ କେନ୍ଦ୍ରରେ ରହୁଥିବା ଛାତ୍ରଛାତ୍ରୀ ଓ ଅଦ୍ଵିବିକା କାର୍ଯ୍ୟକ୍ରମରେ ଭାଗ ନେଉଥବା ଶତାଧିକ କିଶୋର କିଶୋରୀ ଓ ଅଙ୍ଗନୱାଡି କର୍ମୀମାନେ ଭାଗ ନେଇ ଥିଲେ।

Comments are closed.