୭୨ତମ ବନ ମହୋତ୍ସବ ସପ୍ତାହରେ ବୃକ୍ଷ ରୋପଣ

ନବରଙ୍ଗପୁର,ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ ଆଜି ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଡାବୁଗାଁ ବନ ବିଭାଗ ତରଫରୁ ବନପାଳ ଲକ୍ଷ୍ମୀକାନ୍ତ ସାହୁ ଏଥିରେ ଯୋଗ ଦେଇ ବୃକ୍ଷ ରୋପଣର ଉପକାରିତା ନେଇ ମତବ୍ୟକ୍ତ କରିଥିଲେ। ଜନସଂଖ୍ୟା ବୃଦ୍ଧି ଯୋଗୁଁ ଧୀରେ ଧୀରେ ଜଙ୍ଗଲ ଅବକ୍ଷୟ ହେଉଥିବାରୁ ପ୍ରକୃତିର ସନ୍ତୁଳନ ବିଗିଡିବା ସହ ଜଙ୍ଗଲର ଜୀବଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି ହେଉଛି। ମାନବ ସମାଜ ପାଇଁ ଅମ୍ଳଜାନର ବର୍ତ୍ତମାନ ଆବଶ୍ୟକ ବୃଦ୍ଧି ଘଟୁଥିବାରୁ ବୃକ୍ଷ ରୋପଣ ଅବଶ୍ୟମ୍ଭାବୀ ହୋଇପଡିଛି। ତେଣୁ ସମସ୍ତେ ନିଜ ଜୀବନକାଳ ମଧ୍ୟରେ ଅନ୍ତତଃ ଗୋଟିଏ ବୃକ୍ଷ ରୋପଣ କରିବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ବିଭିନ୍ନ ପ୍ରଜାତିର ୧୦୦ ଖଣ୍ଡ ଚାରା ବନ ବିଭାଗ ତରଫରୁ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସରରେ ରୋପଣ କରାଯାଇଥିଲା। ଅଗ୍ନିଶମ ବିଭାଗ (ଓ ଆଇ ସି) ଉପେନ୍ଦ୍ର କୁମାର ମହାରଣା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣର ଗୁରୁତ୍ୱାରୋପ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ବନରକ୍ଷୀ ମନୋରଞ୍ଜନ ନାୟକ, ପ୍ରକାଶ ସରକାର, କୁନ୍ତଳା କୁମାରୀ ଖୋରା, ରିତାରାଣୀ ବିଶ୍ୱାସରାୟ, ଆମ ଜଙ୍ଗଲ ଯୋଜନା କର୍ମଚାରୀ କୃପାଦାସ ମହୁରିଆ, ହରିହର ନାୟକ ଓ କର୍ମଚାରୀ ଅମିତ୍ ରାୟ ରହିଥିବା ବେଳେ ଅଗ୍ନିଶମ ବିଭାଗର କର୍ମଚାରୀ ମଙ୍ଗଳଦାନ ହିକ୍କା, ଫିରୋଜ କୁମାର ବେହେରା, ଭକ୍ତଚରଣ ମାଝୀ, ହେମନ୍ତ ନାୟକ, ସୁମନ୍ତ କୁମାର ସାହୁ ଓ ତୁଳସୀରାମ ରଣା ପ୍ରମୁଖ ଚାରା ରୋପଣରେ ସହଯୋଗ କରିଥିଲେ।

Comments are closed.