୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ ଅଭିଯୋଗ, ବରିଷ୍ଠ ମହିଳା କିରାଣୀଙ୍କ ନାମରେ ଥାନାରେ ଏତଲା ଦେଲେ ତହସିଲଦାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ତହସିଲ କାର୍ଯ୍ୟାଳୟର ସରକାରୀ ଟଙ୍କାରୁ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣୀ (ନlଜିର) ଙ୍କ ନାମରେ ଡାବୁଗାଁ ଥାନାରେ ଏତଲା ଦେଲେ ତହସିଲଦାର। ପୋଲିସ କିରାଣୀ ଜଣକୁ ଥାନାରେ ଅଟକ ରଖିଥିବା ବେଳେ ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଚଞ୍ଚଲ୍ୟ ଖେଳିଯାଇଛି।

ସୂଚନା ମୁତାବକ ଡାବୁଗାଁ ତହସିଲ କାର୍ଯ୍ୟାଳୟରେ ନାଜିର (ବରିଷ୍ଠ କିରାଣୀ) ଚନ୍ଦନା ମଣ୍ଡଳ ତହସିଲ କାର୍ଯ୍ୟାଳୟର ସରକାରୀ ଟଙ୍କାକୁ ହେରଫେର କରିଥିବା ଜଣାପଡିଥିଲା। ଏକଥା ଜାଣିବା ପରେ ତହସିଲଦାର ସନ୍ଧ୍ୟା ସମରଥ ଏନେଇ ଖୋଳତାଡ଼ କରିବାରୁ ସରକାରୀ ଟଙ୍କା ହେରଫେର ହୋଇଛି ବୋଲି ନିଶ୍ଚିତ ହେବା ପରେ ସେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ଓ ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରୋଇତ ଏହାର ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ। ଟଙ୍କା ଆତ୍ମସାତ ହୋଇଥିବା ନିଶ୍ଚିତ ହେବାପରେ ଶ୍ରୀ ରୋଇତ ଥାନାରେ ସମ୍ପୃକ୍ତ କିରାଣୀଙ୍କ ନାମରେ ଥାନାରେ ଏତଲା ଦେବାକୁ ନିର୍ଦେଶ ଦେବାପରେ ଡାବୁଗାଁ ତହସିଲଦାର ଡାବୁଗାଁ ଥାନାରେ ସମ୍ପୃକ୍ତ ମହିଳା (କିରାଣୀ)ଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି।

ଆଜି ଡାବୁଗାଁ ପୋଲିସ ସମ୍ପୃକ୍ତ କିରାଣୀକୁ ଥାନାରେ ଅଟକ ରଖି ପଚରାଉଚରା କରିଥିବା ବେଳେ ସମ୍ପୃକ୍ତ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନ ଥିବା ଯୋଗୁଁ ପୋଲିସ ହେପାଜତରେ ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତି କରାଯାଇଥିବା ପୋଲିସ ସୂଚନା ଦେଇଛି। ଏନେଇ ନବରଙ୍ଗପୁର ଉପଜିଲ୍ଲାପାଳ କହିଛନ୍ତି ଯେ ଏହାର ତଦନ୍ତ ଚାଲିଛି ଓ ବର୍ତମାନ ସୁଦ୍ଧା ଯାହା ଜଣାପଡିଛି ପ୍ରାୟ ଏକ କୋଟି ୨୨ ଲକ୍ଷ ଟଙ୍କା ଆତ୍ମସାତ ହୋଇଛି। ବର୍ତମାନ ପୋଲିସ ସେ ବିଷୟରେ ତଦନ୍ତ କରୁଛି। ଏପଟେ ଏହି ଘଟଣାକୁ ଗୁରୁତର ଭାବେ ନେଇ ନବରଙ୍ଗପୁର ଜିଲ୍ଲାପାଳ ସମ୍ପୃକ୍ତ କିରାଣୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ସହ ଡାବୁଗାଁ ତହସିଲରୁ ତେନ୍ତୁଳୀଖୁଣ୍ଟି ତହସିଲକୁ ସ୍ଥାନାନ୍ତର କରିବାକୁ ନିର୍ଦେଶ ଦେବାସହ ପରବର୍ତୀ ଆଦେଶ ନ ମିଳିବା ଯାଏଁ ହେଡ଼କ୍ଵାଟର ନ ଛାଡିବାକୁ ନିର୍ଦେଶ ଦେଇଛନ୍ତି।

ଏବେ ପ୍ରଶ୍ନ ଉଠୁଛି ଯେ ଏତେ ଟଙ୍କାର ଘୋଟଲା କେତେ ଦିନରୁ ହୋଇଥିବା ବେଳେ ବିଭଗୀୟ ଅଧିକାରୀମାନେ କେମିତି ଜାଣିପାରିଲେ ନାହିଁ ଏବଂ ଏଥିରେ ସେ ମହିଳାଙ୍କ ସହ ଅନ୍ୟ କେଉଁମାନେ ଅଛନ୍ତି ତାହା ଠିକରେ ତଦନ୍ତ କଲେ ଜଣାପଡିବ ବୋଲି ସାଧାରଣରେ ଦାବି ହେଉଛି।

Comments are closed.