ନବରଙ୍ଗପୁରରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ନବରଙ୍ଗପୁର: ନବରଙ୍ଗପୁର ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଛତିଶଗଡର ମହିଳା ମାଓବାଦୀ। ମାଓ ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଓଡିଶା ସରକାରଙ୍କ ଯେଉଁ ପୁନର୍ବାସର (ଥଇଥାନ) ସୁବ୍ୟବସ୍ଥା ରହିଛି ଓ ସେଥିରେ ଅନୁପ୍ରାଣିତ ହୋଇଛନ୍ତି ଛତିଶଗଡର ମହିଳା ମାଓବାଦୀ କମଲେଶ୍ଵରୀ ମାରେଇ(୩୦) ଓରଫ ଅମିଲ।। ସେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ପି.ଏସ. ପରମାରଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ପରେ ସୁରକ୍ଷା ଦୃଷ୍ଟିରୁ ନବରଙ୍ଗପୁର ଜିଲାରେ ରହିବା ପାଇଁ ଇଛା ପ୍ରକାଶ କରିଛନ୍ତି । ଜିଲାସ୍ତରୀୟ କମିଟିରେ ଆଲୋଚନା ପରେ ଥଇଥାନ, ସରକାରୀ ସହାୟତା ଓ ନିଯୁକ୍ତି ସୁଯୋଗ ମଧ୍ୟ କମଲେଶ୍ବରୀଙ୍କୁ ଯୋଗାଇ ଦିଆଯିବ ବୋଲି ଜିଲ୍ଲା ପୁଲିସ ମୁଖ୍ୟାଳୟ ବୈଠକ ଗୃହରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ -ପଶ୍ଚିମାଂଚଳ ଡିଆଇଜି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି।

ଛତିଶଗଡ ରାଜ୍ୟ କୋଣ୍ଡାଗାଁ ଜିଲା ବିଶ୍ରାମପୁରି ଅଂଚଳର ହାନାମୁଣ୍ଡି ଗାଁର ବାପା ସ୍ବର୍ଗତ ମାନସାୟ ମାରେଇ ଓ ମାଆ ମଙ୍ଗଳିବାଇ ମାରେଇଙ୍କ ଝିଅ କମଲେଶ୍ଵରୀ ମାରେଇ ଓରଫ ଅମିଲା(୩୦) । ସେ ୨୦୧୪ ବର୍ଷରେ ଯୁକ୍ତ ଦୁଇ କଳା ପଢ଼ିଛନ୍ତି। ବିବାହ କରିବା ପରେ ସ୍ବାମୀ ସହ ବିଚ୍ଛେଦ ହୋଇଥିଲା।ପରେ ୨୦୧୯ ଛତିଶଗଡର ଗରିଆବନ୍ଦ ଜିଲା ମେନପୁର ଡିଭିଜନର ସିପିଆଇ(ମାଓବାଦୀ) ସଙ୍ଗଠନର ସତ୍ୟମ ଘାୱେଡେଙ୍କ ନେତୁତ୍ୱରେ କାମ କରୁଥିଲେ। ପରେ ମେନପୁର ଓ ନୂଆପଡା ଡିଭିଜନର ଲୋକାଲ ଗରିଲା ସ୍କାର୍ଡରେ କାମ କରୁଥିଲେ କମଲେଶ୍ଵରୀ। ଶିକ୍ଷିତ ମହିଳା ହୋଇଥିବାରୁ ଇଂଲିସ, ହିନ୍ଦୀ, ଛତିଶଗଡି ଓ ହଲବି ଭାଷା ଜାଣିଥିଲେ। ସେ ଲ୍ୟାପଟପ ପରିଚାଳନା, ଛୋଟ ଛୋଟ ମାଓ ଦଳକୁ ଶିକ୍ଷା ଦେବା ସହ ରୋଷେଇ କାର୍ୟ୍ୟରେ ମଧ୍ୟ ନିୟୋଜିତ ରହୁଥିଲେ। ଦେଶୀ ବନ୍ଧୁକ ସିଙ୍ଗେଲ ସଟ୍ ବନ୍ଧୁକ ବ୍ୟବହାର କରୁଥିଲେ।

ଲୋକାଲ ଗରିଲା ସ୍ମାର୍ଡରେ ଥିବା ସଦସ୍ୟଙ୍କୁ ବନ୍ଧୁକ ପରିଚାଳନାର ତାଲିମ ମଧ୍ୟ ଦେଉଥିଲେ। ସ୍ଥାନୀୟ ଆଦିବାସୀ କ୍ୟାଡେର ଉପରେ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ କ୍ୟାଡରପ୍ରତି ଆଂଶିକତା ମାଧ୍ୟମରେ ଆଂଚଳିକ ଧାଡିର ବରିଷ୍ଠ ମାଓବାଦୀଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ଥିଲେ। ସ୍ଥାନୀୟ ଆଦିବାସୀ କ୍ୟାଡେରଙ୍କୁ କ୍ରମାଗତ ଭାବେ ମାତୃତ୍ୱ ଚିକିତ୍ସା, କ୍ୟାଡରମାନେ ଗୁଳିବିନିମୟ ସମୟରେ ଘଟଣା ସ୍ଥଳରୁ ପଳାୟନ କରିବା ବେଳେ ପୁଲିସ ସହିତ ଗୁଳିବିନିମୟ ସମୟରେ ଆଗଧାଡିରେ ରଖା ଯାଉଥିଲା। ମାଓ ନେତା ମାନେ ନିଜ ଅଂଚଳର ଲୋକ ମାନଙ୍କୁ ନିଜର ବ୍ୟକ୍ତିଗତ ସ୍ବାର୍ଥରେ ବ୍ୟବହାର କରୁଛନ୍ତି। ଥରେ ସେମାନଙ୍କୁ ବ୍ୟବହାର କରିବା ପରେ ସେମାନଙ୍କୁ ପୁଲିସ ସୂଚନାଦାତା ଭାବେ ନିର୍ଦ୍ଦୟ ଭାବେ ହତ୍ୟା କରାଯାଉଛି। ଏନେଇ କମଲେଶ୍ବରୀ ଓଡିଶା ସରକାରଙ୍କ ଆତ୍ମସମର୍ପଣ ଓ ପୁନର୍ବାସ ଯୋଜନାକୁ ହୃଦୟଙ୍ଗମ କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏନେଇ ଗଣମାଧ୍ୟମ ଜରିଆରେ ଡିଆଇଜି ଶ୍ରୀପଣ୍ଡିତ କହିଛନ୍ତି ଯେ, ଓଡିଶା ସରକାରଙ୍କ ଆତ୍ମସମର୍ପଣ ଓ ପୁନର୍ବାସ ଯୋଜନା ଅନୁଯଇ ଆର୍ଥିକ ସହାୟତା, ନିଯୁକ୍ତି ସୁଯୋଗ ଓ ବୃତିରେ ତାଲିମ, ନିଜ ଇଛା ଅନୁଯାଇ ବ୍ୟବସାୟ, ଘର ନିର୍ମାଣ, ଅଧ୍ୟୟନକରିବା ସୁଯୋଗ ମଧ୍ୟ ପାଇବେ। ଏନେଇ ମାଓବାଦୀମାନେ ହିଂସା ଛାଡି ଆତ୍ମ ସମର୍ପଣକରି ମୂଖ୍ୟ ସ୍ରୋତରେ ଆସନ୍ତୁ ବୋଲି ଡିଆଇଜି ଅପିଲ କରି କହିଛନ୍ତି। ତେବେ କମଲେଶ୍ବରୀଙ୍କ ଗରିଆବନ୍ଦ ଜିଲାରେ ରହିଥିବା ଥାନାମାନଙ୍କରେ କେତୋଟି ମାମଲା ରହିଛି ବୋଲି ପ୍ରଶ୍ନ କରାଯିବାକୁ ତାହାର ତଦନ୍ତ ଚାଲିଛି ବୋଲି କହିଥିଲେ। ଏହି ସାମ୍ବାଦିକ ସମ୍ମାଳନୀରେ ଏସପି ପି.ଏସ. ପରମାର, ଓ ସିଆରପିଏଫ ସେକେଣ୍ଡ କମାଣ୍ଡେଟ ଏନ. ରତନ କୁମାର ସିଂ ଉପସ୍ଥିତ ଥିଲେ।

Comments are closed.