ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ଜିଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ନବରଙ୍ଗପୁର: ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପୁରୀର ଜିଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ତେନ୍ତୁଳିଖୁଣ୍ଟି ବ୍ଳକ ଅନ୍ତର୍ଗତ ଅଞ୍ଚଳଗୁମ୍ମାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଶ୍ରୀଜଗନ୍ନାଥଙ୍କର ପ୍ରତିକୃତିରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ୱୋଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏଥିରେ ଅତିଥୀ ଭାବେ ପ୍ରତିଷ୍ଠାନର ରାଜ୍ୟ ସମ୍ପାଦକ ରାଧେଶ୍ୟାମ ପଣ୍ଡା ଯୋଗଦେଇ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ଉଦ୍ଦେଶ୍ୟ କହିବା ସହ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ସଂଗଠନ ଗଠନ ସଂପର୍କରେ ଆଲୋକପାତ କରିଥିଲେ।

ଅନ୍ୟତମ ଅତିଥି ଭାବେ ଆଞ୍ଚଳିକ ସଭାପତି ଅବସରପ୍ରାପ୍ତ ପ୍ରଶାସକ ବୀର କିଶୋର ପଣ୍ଡା ଯୋଗଦେଇ ପୁରୀ ଶ୍ରୀମନ୍ଦିରର ପ୍ରଶାସନ ଦାୟିତ୍ୱରେ ଥିବାବେଳେ ପ୍ରଭୂ ଶ୍ରୀଜଗନ୍ନାଥଙ୍କର ମହିମା ସେ ତାଙ୍କର ନିଜ ଅନୁଭୂତିରୁ ବର୍ଣ୍ଣନା କରିଥିଲେ। ଏଥିରେ ସମାଜସେବୀ ଦାମୋଦର ବିଷୋୟୀ ସଭାପତିତ୍ୱ କରିଥିଲେ। ଆଞ୍ଚଳିକ ସଂଯୋଜକ ରବୀନ୍ଦ୍ରନାଥ ପରିଡା ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥୀମାନେ ସୁବିର ସାହୁଙ୍କୁ ଉପଢୈାକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ପରେ ନୂତନ ଆଜୀବନ ସଦସ୍ୟ ସୁବ୍ରତ ଚୈାଧୂରୀ, ସୁଶାନ୍ତ ସାହୁ ଓ ସରୋଜ କୁମାର ତ୍ରିପାଠୀଙ୍କୁ ସମ୍ମାନୀତ କରାଯାଇଥିଲା। ଜିଲା ସମ୍ପାଦକ ପ୍ରମୋଦ କୁମାର ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ। ପୂର୍ବତନ ତେନ୍ତୁଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷ ରମେଶ ଚନ୍ଦ୍ର ବିଷୋୟୀ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରର ଇତିହାସ ସଂପର୍କରେ ଅବଗତ କରାଇଥିଲେ। ଜ୍ୟୋତିର୍ବିଦ ରମାକାନ୍ତ ତ୍ରିପାଠୀ ସମସ୍ୟା ସଂପର୍କରେ କହିଥିଲେ। ସଭାପତିଙ୍କର ବକ୍ତବ୍ୟ ପରେ ପର୍ଶୁରାମ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.