ବିକାଶର ବହୁ ଦୂରରେ ସର୍ଗିପାଣି ଗାଁ

ନବରଙ୍ଗପୁର : ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ବିକାଶର ଛାଇ ପଡି ନାହିଁ ଏହି ଗାଁ ଉପରେ । ଶିକ୍ଷ୍ୟା , ସ୍ୱାସ୍ଥ୍ୟ , ଗମନାଗମନ  ଓ ପାନୀୟ ଜଳ ଭଳି ସମସ୍ତ ମୌଳିକ ସୁବିଧା ଏଠି ବିପର୍ୟ୍ୟସ୍ତ । ଏହିଭଳି ଗାଁ ହେଉଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତର ସର୍ଗିପାଣି ଗାଁ । ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଏବେ ଅଭିଶପ୍ତ ଜୀବନ ବିତାଉଛନ୍ତି ଏହି ଗାଁର ଲୋକେ । ଯୋଜନ ଦୂରରେ ଯୋଜନା , ବିକାଶ ଏଠି ଅପହଞ୍ଚ । ସାମ୍ନା କୁ ଆସିଛି ଦୁର୍ଗମ ଇଲାକାର ଆଉ ଏକ ବିକଳ ଚିତ୍ର । ନବରଙ୍ଗପୁର ସହର ରୁ ପ୍ରାୟ ୮୫ କିଲୋମିଟର ଦୂରରେ ଅବସ୍ଥିତ ସର୍ଗିପାଣି ଗାଁ ।ଗାଁକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ ।
ଗାଁଟି ଝରିଗାଁ ସଦରମହକୁମା ରୁ ମାତ୍ର ୬ କିଲୋମିଟର ଦୂରରେ ରହିଥିବା ବେଳେ ଗାଁ କୁ ଯିବା ପାଇଁ ପକ୍କା ରାସ୍ତା ଟିଏ ନାହିଁ । କେଵଳ ପାଦ ଚଲା ରାସ୍ତାରେ ହିଁ ଯାତାୟତ କରନ୍ତି ଗ୍ରାମବାସୀ । ଦୁଇ ଚକିଆ କୁ ଛାଡି ଦେଲେ ଚାରି ଚକିଆ ଗାଡି ଏହି ରାସ୍ତା ରେ ଗଡିବା ସ୍ୱପ୍ନ । ବର୍ଷା ଦିନେତ ଯାତାୟତ କଥା ନକହିବା ଭଲ ଦୁଇ ଚକିଆ ଯାନ ମଧ୍ୟ ଗାଁ କୁ ଯାଏ ନାହିଁ । ଗାଁରେ ନା ଅଛି ବିଦ୍ୟାଳୟ , ନା ଅଛି ଅଙ୍ଗନବାଡି କେନ୍ଦ୍ର । ପ୍ରାୟ ୫୦ ବର୍ଷର ପୁରୁଣା ଏହି ଗାଁରେ ୩୦ ରୁ ଉର୍ଦ୍ଧ ପରିବାର୍ ଓ ୨୦୦ ରୁ ଅଧିକ ଲୋକେ ବସବାସ କରୁଥିବା ବେଳେ ଗ୍ରାମର ଅଧିକାଂଶ ପରିବାର ଆବାସ ଯୋଜନା ରୁ ବଞ୍ଚିତ ହୋଇପଡିଛନ୍ତି । ସର୍ଗିପାଣି ଗାଁ ରେ ଗୋଟିଏ ମାତ୍ର ନଳକୂପ ଥିବା ବେଳେ ଅନେକ ସମୟରେ ଖରାପ ହୋଇଥାଏ । ଯଦ୍ଵାରା ବାଧ୍ୟ ହୋଇ ମହିଳା ମାନେ ଗ୍ରାମର ପାଖରେ ଥିବା ନାଳ ପାଣି ଉପରେ ହିଁ ନିର୍ଭର କରିଥାନ୍ତି । ନାଳ ପାଣି ପିଇବା ଦ୍ୱାରା ଡେଙ୍ଗୁ , ମ୍ୟାଲେରିଆ , ଜ୍ୟଣ୍ଡିସ୍ ଆଦି ରୋଗ ବ୍ୟାପିବାର ଭୟ ରହିଥିବା ସତ୍ୟେ ସେଠାରୁ ପାଣି ଆଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ । ଗାଁରେ ରାସ୍ତା ଅଭାବରୁ ପହଞ୍ଚି ପାରୁନି ଆମ୍ବୁଲାନ୍ସ । ଖଟିଆ ଓ ଷ୍ଟ୍ରେଚେର ରେ ବୋହି ନେବାକୁ ପଡିଥାଏ ରୋଗୀଙ୍କୁ । ଯାହାଫଳରେ  , ଗର୍ଭବତୀ ଓ ବୟସ୍କ ଙ୍କ ପ୍ରାଣବାୟୁ ଅଧବାଟରେ ହିଁ ଚାଲିଯାଇଥାଏ ।

ଏହି ଗ୍ରାମରେ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ନଥିବାରୁ ୩୦ ରୁ ଉର୍ଦ୍ଧ କୁନି କୁନି ଛାତ୍ରଛାତ୍ରୀ ନିଜ ଜୀବନକୁ ବାଜି ଲଗାଇ ଗ୍ରାମ ନିକଟସ୍ଥ ଚିକିଲି ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ଉପରେ ନିର୍ଭର କରନ୍ତି । ତେବେ ବର୍ଷା ଦିନେ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରକୁ ଯିବା ଅସମ୍ଭବ ହୋଇପଡେ । ଯାହାଦ୍ୱାରା ପିଲାଙ୍କ ଭବିଷ୍ୟତ ଅନ୍ଧକାର ରେ ଠେଲି ହେଇଯାଉଥିବା ବେଳେ ଦିନକୁ ଦିନ ବହୁମାତ୍ରାରେ ଅପପୃଷ୍ଟି ର ଶିକାର ହେଉଛନ୍ତି କୁନି କୁନି କୋମଳମୋତି ନିଷ୍ପାପ ଶିଶୁ । ଲୋକପ୍ରତିନିଧି ଏବଂ ପ୍ରଶାସନ ପାଖରେ ଦଉଡି ଦଉଡି ନୟାନ୍ତ ହେଲାପରେ ମଧ୍ୟ ବାଧ୍ୟ ହୋଇ ଅଭିଶପ୍ତ ଜୀବନ ବିତାଉ ଛନ୍ତି ଏହି ସର୍ଗିପାଣି ଗ୍ରାମର ଗ୍ରାମବାସୀ । ତେବେ ଏହି ବର୍ଷ ଯଦି ରାସ୍ତା କାମ ଆରମ୍ଭ ନକଲେ ଭୋଟ ବର୍ଜନ କରିବୁ ବୋଲି କହିଛନ୍ତି ଗ୍ରାମବାସୀ । ଅନ୍ୟପଟେ କୁଟ୍ରିଛାପର ସରପଞ୍ଚ ବଳନାଥ ସାନ୍ତା ଖୁବ ଶୀଘ୍ର ରାସ୍ତା କରାଯିବ ବୋଲି କହିଥିବା ବେଳେ ଲୋକଙ୍କ ଜଙ୍ଗଲ ଜମି ପଟା ଥିବାରୁ ରାସ୍ତା ନିର୍ମାଣ କରିବାରେ ସମସ୍ୟା ରହିଥିବା କହିଛନ୍ତି ।
ସ୍ୱାଧୀନତା ର ଦୀର୍ଘ ବର୍ଷ ପରେ ମଧ୍ୟ ଅନେକ ଗାଁରେ ବିକାଶ ଅପହଞ୍ଚ ଏହାର ସ୍ଥାୟୀ ସମାଧାନ କରିବାକୁ ସ୍ଥାନୀୟ ସରପଞ୍ଚ ବଳନାଥ ସାନ୍ତାଙ୍କ ସହ ସବିତା ଗୌଡ଼,ପୂର୍ଣ୍ଣି ଗୌଡ଼, ଚମ୍ପା ଗୌଡ଼ ଏବଂ କମଳଚନ ଗୌଡ଼ ପ୍ରମୁଖ ଦାବି କରିଛନ୍ତି ।

Comments are closed.