ଧାନ ମଣ୍ଡି ନେଇ ପ୍ରସ୍ତୁତି ବୈଠକ

ନବରଙ୍ଗପୁର: ଡିସେମ୍ବର ୧୦ ତାରିଖରୁ ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହେବ ଚଳିତ ବର୍ଷ ର ଖରିଫ ଧାନ କିଣା। ଧାନ ମଣ୍ଡି ସମ୍ୱନ୍ଧୀୟ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ରେ ଏନେଇ ନିଷ୍ପତ୍ତି ନିଆଯାଇଛି। ସ୍ଥାନୀୟ ମିଶନ ଶକ୍ତି ସଭା ଗୃହ ଠାରେ ଜିଲ୍ଲାପାଳ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗୋଣ୍ଡ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ନବରଙ୍ଗପୁର ବିଧାୟକଙ୍କ ପ୍ରତିନିଧି, ଡାବୁଗାଁ ବିଧାୟକଙ୍କ ପ୍ରତିନିଧି, ସାଂସଦଙ୍କ ଜିଲ୍ଲା ପ୍ରତିନିଧିଙ୍କ ସମେତ ଜିଲ୍ଲା ଖାଦ୍ୟ ଯୋଗାଣ ବିଭାଗର ବିଭାଗୀୟ ଅଧିକାରୀ, ଆରଏମସି ସମ୍ପାଦକ, ଜିଲ୍ଲା ମିଲର୍ଷ ସଂଘଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମଣ୍ଡି ସମସ୍ୟା, ମଣ୍ଡିରେ ଅବ୍ୟବସ୍ଥା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିବା ବେଳେ ଚଳିତ ବର୍ଷ ସେ ସବୁ ସମସ୍ୟାକୁ ଦୁରକରି ଚାଷୀ କିଭଳି ସୁରୁଖୁରୁରେ ଧାନ ବିକ୍ରି କରିପାରିବେ ସେ ନେଇ ନିଷ୍ପତ୍ତି ହୋଇଥିଲା।

ମଣ୍ଡି ଆରମ୍ଭ ପୂର୍ବରୁ ବିଧାୟକମାନେ କିଛି କିଛି ଆବଶ୍ୟକ ପରାମର୍ଶ ଦେବାକୁ ଚାହିଁଥିଲେ ଏଣୁ ଜିଲ୍ଲାପାଳ ଆସନ୍ତା ୧୮ ତାରିଖ ସୁଦ୍ଧା ନିଜ ନିଜ ସହାୟକ ପରାମର୍ଶ ଦେବାକୁ କହିଥିଲେ ଯାହା ଦ୍ୱାରା ଖୁବ ଶୀଘ୍ର ମଣ୍ଡିରେ ଧାନ କିଣିବା ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ବୋଲି ଜିଲ୍ଲାପାଳ କହିଥିଲେ। ଚଳିତ ବର୍ଷ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୩୦ ହଜାର ୨୩୨ ଜଣ ଚାଷୀ ପଞ୍ଜିକୃତ କରିଛନ୍ତି। ଜଳ ସେଚିତ ଓ ଅଣ ଜଳସେଚିତ ଜମି ନିମନ୍ତେ ସରକାରୀ ନିୟମ ଅନୁସାରେ ଚଳିତ ବର୍ଷ ଧାନ କ୍ରୟ କରିବା ପାଇଁ ନିଷ୍ପତ୍ତି ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଥିବା ବେଳେ ଗତ ବର୍ଷ ଯେତିକି ଟାର୍ଗେଟ ରହିଥିଲା ତାଠାରୁ ଚଳିତ ବର୍ଷ ୮୦ ପ୍ରତିଶତ ଟାର୍ଗେଟ ଆସିଥିବା ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି। ଗତ ବର୍ଷ ଲ୍ୟାମ୍ପମାନେ ଯେଭଳି ଧାନ କ୍ରୟ କରିଥିଲେ ଚଳିତ ବର୍ଷ ତାଠାରୁ ୮୦ ପ୍ରତିଶତ ଧାନ କ୍ରୟ କରିବା ପାଇଁ ନିଷ୍ପତ୍ତି ହୋଇଥିବା ସୂଚନା ଦିଆଯାଇଛି।

Comments are closed.