ଆଶୀର୍ବାଦ ଯୋଜନାରେ ୧୧୪ ପିଲାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ

ନବରଙ୍ଗପୁର: ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ଯରେ ହୋଇଥବା ମେଗା ଆଇନ ସେବା ଶିବିରରେ ଆଜି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି ତରଫରୁ ଗତ ୨୦୨୦ ଏପ୍ରିଲ ପହିଲାଠାରୁ ଉଭୟ ବାପାମା’ କିମ୍ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଶିକ୍ଷାଦୀକ୍ଷା ଭରଣପୋଷଣ ତଥା ଯତ୍ନ ପାଇଁ ଓଡିଶା ସରକାରଙ୍କ ଦ୍ଵାରା ଘୋଷିତ ହୋଇଥିବା ଆଶୀର୍ବାଦ ଯୋଜନାରେ ଆଜି ୧୧୪ ଜଣ ପିଲାଙ୍କୁ ଆର୍ଥିକ ସହାୟତା, ବିଜୁ ଶିଶୁ ସୁରକ୍ଷା ଯୋଜନାରେ ଉତ୍କଳ ବାଳାଶ୍ରମରେ ରହିଥିବା ଦୁଇ ଜଣ ଅନାଥ ପିଲାଙ୍କୁ ୫୦ ହଜାର ଟଙ୍କାର ସହାୟତା ପାଇଁ ସହଯୋଗ ଓ ପଣ୍ଡିତ ଦିନଦୟାଲ ଉପାଧ୍ୟୟ ବାଳାଶ୍ରମରେ ରହିଥିବା ଜଣେ ଅନାଥ ବାଳିକାଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ୪୦ ହଜାର ଟଙ୍କାର ସହାୟତା ରାଶିକୁ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଦ୍ଵାରା ଚେକ ମାଧ୍ୟମରେ ପ୍ରଦାନ କରାଯାଇଛି।

ଅନାଥ ଶିଶୁମାନଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କର ଏହି ଆଶୀର୍ବାଦ ଯୋଜନା ଏକ ଯୁଗାନ୍ତକାରି ପଦକ୍ଷପ ବୋଲି ବର୍ଣ୍ଣନା କରିବା ସହିତ ଜିଲ୍ଲାରେ ଜଣେ ବି ହିତାଧିକାରୀ ଏଥିରୁ ଯେପରି ବାଦ ନପଡନ୍ତି ସେଥିପ୍ରତି ଗ୍ରାମାଞ୍ଚଳଗୁଡିକରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟିକୁ ନିର୍ଦେଶ ଦେଇଛନ୍ତି। ବୈଠକରେ ଅଂଶଗ୍ରହଣ କରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ଆଶୀର୍ବାଦ ଯୋଜନା ବିଷୟରେ ସୂଚନା ପ୍ରଦାନ କରି କହିଲେ ଯେ ଗତ ୨୦୨୦ ଏପ୍ରିଲ ପହିଲାଠାରୁ ଉଭୟ ପିତାମାତାଙ୍କୁ ହରାଇଥିବା ଅନାଥ ଶିଶୁମାନଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ମାସକୁ ୨୫୦୦ ଟଙ୍କା ଏବଂ ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ମାସକୁ ୧୫୦୦ ଟଙ୍କା ଆର୍ଥିକ ସହାୟତା ହିସାବରେ ମିଳିପାରିବ। ସେହିପରି ଉଭୟ ପିତା ମାତାଙ୍କୁ ହରାଇଥିବା ଯେଉଁ ଶିଶୁମାନେ ଉଚ୍ଚଶିକ୍ଷା ଗ୍ରହଣ କରୁଛନ୍ତି ସେମାନଙ୍କୁ ଗ୍ରୀନ ପ୍ୟାସେଜ ସ୍କିମ ମାଧ୍ୟମରେ ମଧ୍ୟ ସହାୟତା ପ୍ରଦାନ କରାଯିବ। ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫୦୦ ଜଣ ହିତାଧିକାରୀଙ୍କୁ ଆଶୀର୍ବାଦ ଯୋଜନା କରଯାଇଛି।

Comments are closed.