ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମିଥ୍ୟା ଦେହାନ୍ତ ଖବର ପ୍ରସାରଣ ନେଇ ବେସରକାରୀ ଟିଭି ଚ୍ୟାନେଲ ବିରୁଦ୍ଧରେ ଥାନାରେ ଏତଲା

ନବରଙ୍ଗପୁର: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ମିଥ୍ୟା ଦେହାନ୍ତ ଖବର ପ୍ରସାରଣକୁ ବିରୋଧ କରି ନବରଙ୍ଗପୁର ଥାନାରେ ଏମବିସି ଟିଭି ନିଉଜ ଚ୍ୟାନେଲ ବିରୁଦ୍ଧରେ ଏତଲା ଦେଲା ନବରଙ୍ଗପୁର ଜିଲ୍ଲା କଂଗ୍ରେସ। ନବରଙ୍ଗପୁର କଂଗ୍ରେସ ତରଫରୁ ଏମଡି ତାଜ ଏମ୍ରାନ୍ ଶରିଫ୍ ଆଜି ନବରଙ୍ଗପୁର ଥାନାରେ ସେହି ଟିଭି ଚାନେଲ ବିରୁଦ୍ଧରେ ଏତଲା ଦେଇଛନ୍ତି।

ଏତଲା ଅନୁଯାଇ ଗତ ଅକ୍ଟାବର ୧୫ରେ ଏମବିସି ନ୍ୟୁଜ୍ ଚ୍ୟାନେଲରେ ଏକ ଖବର ଦେଖିବା ସମୟରେ ଦିନ ୧୧ଟା ବୁଲେଟିନରେ ଖବର ପ୍ରସାରଣରେ ଭାରତର ମାନ୍ୟବର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଦେହାନ୍ତ ହୋଇଯାଇଥିବା ପ୍ରସାରଣ ହୋଇଥିଲା। ଏମବିସି ନ୍ୟୁଜ୍ ଚ୍ୟାନେଲରୁ ଏହିପରି ତଥ୍ୟ ଜାଣିବା ପରେ ତଦନ୍ତ କରିବାରେ ଜଣାପଡିଲା ଯେ ଏମବିସି ଚ୍ୟାନେଲ ଦ୍ୱାରା ପ୍ରସାରିତ ଖବର ଠିକ୍ ନୁହେଁ ଏବଂ ଏହା ଏକ ମିଥ୍ୟା ଖବର ବୋଲି। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଦେହାନ୍ତ ଭଳି ଖବର ପ୍ରସାରଣ କରି ତାଙ୍କ ପ୍ରଶଂସକ ମନରେ ଆଘାତ ସୃଷ୍ଟି କରିଅଛି। ତେଣୁ ଏହାର ତଦନ୍ତ କରି ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏତଲା ଦେବା ସମୟରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ଫିରୋଜ, ଦିଲୀପ ବେହେରାଙ୍କ ସହ ବହୁ କର୍ମୀ ଉପସ୍ଥିତ ଥିଲେ।

Comments are closed.