କ୍ଷେତ୍ର ଜନସମ୍ପର୍କ ବିଭାଗ ତରଫରୁ କ୍ଲିନଅପ ଇଣ୍ଡିଆ ଅଭିଯାନ

ନବରଙ୍ଗପୁର: ଜୟପୁର କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଅଜାଦି କା ଅମୃତ ମହୋତ୍ସବରେ କ୍ଲିନଅପ ଇଣ୍ଡିଆ ଅଭିଯାନ ଓ ବିଭିନ୍ନ ପ୍ରତିଯୋଗିତା ପାପଡାହାଣ୍ଡି ସ୍ଥିତ ଶହୀଦ ସ୍ତମ୍ଭ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ସ୍ଵାଧୀନତା ସଂଗ୍ରାମର ୭୫ ବର୍ଷ ପୂର୍ତ୍ତିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜାଦୀ କା ମହୋତ୍ସବରେ ପାଳନ କରଯାଉଛି। ସମଗ୍ର ଦେଶ ସହ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ପାଳନ କରାଯାଇଛି ଏହି ଉତ୍ସବ।

ନବରଙ୍ଗପୁର ଜିଲ୍ଲାରେ କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ଜୟପୁର ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଇଛି। ଏହି ଦୁଇଦିନିଆ ଉତ୍ସବର ପ୍ରଥମ ଦିବସରେ କ୍ଳିନଅପ ଇଣ୍ଡିଆ ଅଭିଯାନ ଅନୁଷ୍ଠିତ ହୋଇଛି। ଜିଲ୍ଲାର ପାପଡାହାଣ୍ଡି ବ୍ଲକର ଶହୀଦ ସ୍ମୃତି ସ୍ତମ୍ଭ ପରିସରରେ ସ୍ବଚ୍ଛ ଭାରତ ଅଭିଯାନ ୨.୦ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଜଳ ପରିମଳ ମିଶନ ସହଯୋଗରେ ଅନୁଷ୍ଠିତ ଏହି ଅଭିଯାନରେ ସ୍ଵେଚ୍ଛାସେବୀ ଓ ସ୍ଵୟଂ ସହାୟିକା ଦଳର ମହିଳାମାନେ ଅଂଶ ଗ୍ରହଣ କରିଥିଲେ। ଶହୀଦ ସ୍ମୃତି ସ୍ତମ୍ଭ ପରିସରକୁ ସଫା କରାଯାଇଥିଲା। ସ୍ବଚ୍ଛତା ବାର୍ତ୍ତା ପ୍ରଚାର କରାଯିବା ସହ ପ୍ଲାକାର୍ଡ ଜରିଆରେ ସଚେତନତା ସୃଷ୍ଟି କରାଯାଇଥିଲା।

ଏହି ଅବସରରେ ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କ ମଧ୍ୟରେ ବିଭିନ୍ନ ଖେଳ ଓ କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏଥି ସହ ପାପଡାହାଣ୍ଡିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ରଙ୍ଗୋଲି ଓ ସଙ୍ଗୀତ ଗାନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଭାରତୀୟ ସ୍ଵାଧୀନତା ସଂଗ୍ରାମର ଅମର ଶହୀଦମାନଙ୍କ ଗାଥାକୁ ଏହି ପ୍ରତିଯୋଗୀତା ମାଧ୍ୟମରେ ସ୍ମୃତିଚାରଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ, ଜୟପୁରର ସହକାରୀ ନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ଜଳ ପରିମଳ ମିଶନର ମିଶନ ସଂଯୋଜିକା ଶୁଭଶ୍ରୀ ଜେନା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଲଧର ନିଆଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.