ନବରଙ୍ଗପୁରରେ ସ୍ବଚ୍ଛତା ରଥର ଶୁଭାରମ୍ଭ

ନବରଙ୍ଗପୁର: ସମଗ୍ର ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ହେଉଥିବା ବେଳେ କେନ୍ଦ୍ର ସରକାର ସ୍ବଚ୍ଛ ଭାରତ ମିଶନ ସହରାଞ୍ଚଳ ୨.୦ର ଶୁଭାରମ୍ଭ କରାଯାଇଛି। ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଏହି ସ୍ଵଚ୍ଛତା ମିଶନ ଆରମ୍ଭ ହୋଇଛି। ନବରଙ୍ଗପୁର ଜିଲ୍ଲାର ୧୦ ଟି ବ୍ଲକ ଓ ଦୁଇଟି ପୌରାଞ୍ଚଳରେ ଏହି ମିଶନ ୨.୦ର ଶୁଭାରମ୍ଭ ହୋଇଛି। ଏହି ଅବସରରେ ନବରଙ୍ଗପୁର ପଞ୍ଚାଯତ ସମିତି ଠାରେ ଏକ ସ୍ବଚ୍ଛତା ସଚେତନତା ରଥ ବାହାର କରାଯାଇଥିଲା। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲାରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରଚାର ରଥ ବାହର କରାଯାଇଥିବା ନେଇ ସେ ସୂଚନା ଦେବା ସହ ସ୍ବଚ୍ଛତା ଭାରତ ମିଶନ ୨.୦ କାର୍ଯ୍ୟକ୍ରମ ଜିଲ୍ଲାରେ ସଫଳ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଡିଓ ସୁକାନ୍ତ କୁମାର ପଟ୍ଟନାୟକ, ସ୍ବଚ୍ଛ ଭାରତ ମିଶନ ସଂଯୋଜିକା ଶୁଭଶ୍ରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.