ଦମ୍ପତିଙ୍କ ଅତୁଳନୀୟ ସେବା ଆଗରେ ହାର ମାନିଛି କରୋନା

ନବରଙ୍ଗପୁର :  ମାନବ ସେବା ହିଁ ଈଶ୍ୱର ସେବା । ମହାମାରୀ କରୋନା ଭୂତାଣୁ ଭୟରେ ବିଶ୍ୱ ଭୟଭୀତ । ସମସ୍ତେ ନିଜର ଆଉ ନିଜ ପରିବାର କୁ ନେଇ ଚିନ୍ତିତ ଥିବା ବେଳେ ନିଜ ସେବା ଦାୟିତ୍ୱ କୁ ସୂଚାରୁ ରୂପେ ତୁଲେଇ ଆଜି ସମସ୍ତ ଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ସ୍ୱାସ୍ଥ୍ୟ ବିଭାଗରେ କାର୍ୟ୍ୟରତ ଦମ୍ପତି । ଏଇ ଦମ୍ପତି ହେଲେ ସ୍ୱାମୀ ଅଶୋକ ଦୀପ, ଜଣେ କମ୍ୟୁନିଟି ହେଲଥ ଅଧିକାରୀ ଆଉ ସ୍ତ୍ରୀ ଶ୍ରଦ୍ଧା ମହାନନ୍ଦ ଜଣେ ଷ୍ଟାଫ ନର୍ସ । ଏମାନଙ୍କ ନିଜ ଘର ପଡୋଶୀ କଳାହାଣ୍ଡି ଜିଲ୍ଲାରେ।
୨୦୧୩ ମସିହା ରେ ଅଶୋକ ଏବଂ ଶ୍ରଦ୍ଧା  ନବରଙ୍ଗପୁର ଜିଲ୍ଲାରେ କାର୍ୟ୍ୟ ରେ ଯୋଗ ଦେଇଥିଲେ।

ଉଭୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ୟ୍ୟରତ , ସ୍ୱାମୀ ସ୍ତ୍ରୀ ବ୍ୟତୀତ ପରିବାରରେ ଆଉ କେହି ନାହାନ୍ତି। ଶ୍ରଦ୍ଧା ଏବେ ଗର୍ଭବତୀ ଅଛନ୍ତି। ଡାକ୍ତର ଏବଂ ତାଙ୍କ ସହଯୋଗୀ ମାନେ ଘରେ ରହି ନିଜର ଏବଂ ଗର୍ଭରେ ଥିବା ଶିଶୁର ଯତ୍ନ ନେବା ପାଇଁ କହିଥିଲେ, ହେଲେ ଶ୍ରଦ୍ଧା ନବରଙ୍ଗପୁର ମୁଖ୍ୟଚିକିତ୍ସାଳୟରେ ନବଜନ୍ମିତ ଶିଶୁ ଗୃହର ଏସେନସ୍ୟିୁ (SNCU ) ୱାର୍ଡରେ କାର୍ୟ୍ୟରତ। ସେ ଛୁଟି ନ ନେଇ ପ୍ରତିଦିନ ନିଜ କର୍ମକ୍ଷେତ୍ର ରେ ଯୋଗ ଦେଇ ସେବା ଯୋଗେଇ ଆସୁଛନ୍ତି।
ଏପଟେ ସ୍ୱାମୀ ଅଶୋକ ମଧ୍ୟ ନବରଙ୍ଗପୁର କୋଭିଡ ମେଡିକାଲରେ ରହି  କରୋନା ଆକ୍ରାନ୍ତଙ୍କ ସେବା କରିବାରେ ବ୍ୟସ୍ତ ଅଛନ୍ତି । ଦମ୍ପତି ଦ୍ବୟ ଗୋଟିଏ ସହରର ଦୁଇଟି ମେଡିକାଲ ରେ ରହୁଥିବା ସ୍ଥଳେ କିଏ କାହାକୁ ଦେଖି ପାରୁନାହାନ୍ତି । ଆଜିକୁ ବହୁଦିନ ହେବ ସେ ଥରେ ଘରକୁ ମଧ୍ୟ ଯାଇ ନାହାନ୍ତି । ଉଭୟ କେବଳ ଫୋନ ଯୋଗେ କଥାବାର୍ତ୍ତା ହେଉଛନ୍ତି।
ଉଭୟ ଦମ୍ପତି ନିଜ କର୍ମ କୁ ହିଁ ଭଲ ପାଆନ୍ତି, ଏଭଳି ମହାମାରୀ ସମୟରେ ନିଜ ଦାୟିତ୍ୱ କୁ ସୂଚାରୁ ରୂପେ ପାଳନ କରି ଗର୍ବିତ ଅନୁଭବ କରୁଛନ୍ତି। ରୋଗୀ ସେବା ରେ ନିୟୋଜିତ ଥିବା ଏଇ ଦମ୍ପତିଙ୍କୁ  ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡ଼ଃ ଶୋଭାରାଣୀ ମିଶ୍ର ଧନ୍ୟବାଦ ଜଣେଇଛନ୍ତି  ଏବଂ ଏହି ଦମ୍ପତି ଅନ୍ୟ ମାନଙ୍କ ପାଇଁ ଉଦାହରଣ ବୋଲି ପ୍ରକାଶ କରିଛନ୍ତି ।

Comments are closed.