ପାଠ୍ୟକ୍ରମରେ ସ୍ଥାନିତ ହେବ ଟୁରି ନଦୀ କୂଳରେ ଦେଶପାଇଁ ବଳିଦାନ ଦେଇଥିବା ସଂଗ୍ରାମୀଙ୍କ ବୀରତ୍ୱ ଗାଥା

ନବରଙ୍ଗପୁର: ଅଭିଵାକ୍ତ କୋରାପୁଟ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ଆଜି ଆମେ ସ୍ୱାଧୀନତାର ସ୍ୱାଦ ଚାଖିଛେ ତେଣୁ ସେମାନଂକୁ ଇତିହାସ ବହିରେ ପ୍ରାଞ୍ଜଳ ଓ ବିସ୍ତୃତ ଭାବରେ ସ୍ଥାନିତ କରିବାର ସମୟ ଆସିଛି ବୋଲି କହିଛନ୍ତି ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା। ସେ କହିଛନ୍ତି, ଆଗାମୀ ପିଢ଼ି ପାଇଁ ଏସବୁ ସ୍ମୃତିକୁ ମନେ ପକେଇବା ପାଇଁ ରାଜ୍ୟ ପାଠ୍ୟକ୍ରମରେ ସ୍ଥାନ ଦେବାପାଇଁ ମୁଁ ପ୍ରତିଶୃତି ଦେଉଛି ଏବଂ ଏ ସମ୍ବନ୍ଧରେ ଶିକ୍ଷା ବିଭାଗ ସହ ଆଲୋଚନା କରି କାର୍ଯ୍ୟକାରୀ କରିବି ବୋଲି କହିଛନ୍ତି।

୧୯୪୨ ଅଗଷ୍ଟ ମାସ ୨୪ ତାରିଖରେ ପାପଡାହାଣ୍ଡି ଟୁରି ନଦୀ ନିକଟରେ ଦେଶପାଇଁ ଇଂରେଜ ସହ ଲଢ଼ି ୧୯ ଜଣ ସହିଦ ହୋଇଥିଲେ। ସେମାନଙ୍କ ଉଦେଶ୍ୟରେ ଆଜି କରୋନା କଟକଣାକୁ ଦୃଷ୍ଟିରେ ରଖି ସହିଦଙ୍କ ସ୍ମୃତିଚାରଣ ଉଦେଶ୍ୟରେ ବ୍ଲକ ପ୍ରଶାସନ ତରଫରୁ ସହିଦ ଦିବସ ପାଳନ କରାଯାଇଛି। ଏହି ଅବସରରେ ନବରଙ୍ଗପୁର ଠାରୁ ଅଣାଯାଇଥିବା ସହିଦ ମଶାଲକୁ ପାପଡାହାଣ୍ଡି ଠାରେ ଅତିଥିଗଣ ସ୍ୱାଗତ ଜଣାଇବା ପରେ ବିରାଟ ପଟୁଆରରେ ମଶାଲଟିକୁ ସହିଦ ସ୍ତମ୍ଭ ପର୍ଯ୍ୟନ୍ତ ନିଆଯାଇଥିଲା। ଟୁରି ନଦୀକୂଳରେ ସହିଦମାନଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରିବା ପରେ ପୋଲିସ ବିଭାଗ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଏହାପରେ ଅତିଥିମାନଙ୍କ ଦ୍ୱାରା ସହିଦମାନଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସହିଦମାନଙ୍କ ଦାୟାଦମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।

ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ସ୍ମୃତି ସଭା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ସହିଦ ମାଟି ପବିତ୍ର ମାଟିରେ ପାଦ ଦେଇ ନିଜକୁ ଗର୍ବ ଅନୁଭବ କରୁଥିବା ପ୍ରକାଶ କରିଥିଲେ। ଯେଉଁମାନେ ଆମ ଦେଶପାଇଁ ନିଜ ରକ୍ତ ଦେଇ ସ୍ୱାଧୀନତା ଆଣିଛନ୍ତି ସେମାନଙ୍କ ଯୋଗୁଁ ଆଜି ଆମେ ଏହି ସ୍ୱାଧୀନତାର ଅପୂର୍ବ ସ୍ୱାଦ ଚାଖିପାରୁଛୁ, ସେହି ବୀର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ଏବଂ ବର୍ତମାନ ଇତିହାସକୁ ପରିବର୍ତନ କରିବାର ସମୟ ଆସିଛି ବୋଲି କହିଥିଲେ।

ସେ କହିଥିଲେ, ଅବିଭକ୍ତ କୋରାପୁଟ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ଆଜି ଆମେ ସ୍ୱାଧୀନତାର ସ୍ୱାଦ ଚାଖିଛେ ତେଣୁ ସେମାନଂକୁ ଇତିହାସ ବହିରେ ପ୍ରାଞ୍ଜଳ ଓ ବିସ୍ତୃତ ଭାବରେ ସ୍ଥାନିତ କରିବାର ସମୟ ଆସିଛି ଓ ଆଗାମୀ ପିଢ଼ି ପାଇଁ ଏସବୁ ସ୍ମୃତିକୁ ମନେ ପକେଇବା ପାଇଁ ରାଜ୍ୟ ପାଠ୍ୟକ୍ରମରେ ସ୍ଥାନ ଦେବାପାଇଁ ମୁଁ ପ୍ରତିଶୃତି ଦେଉଛି ଏବଂ ଏ ସମ୍ବନ୍ଧରେ ଶିକ୍ଷା ବିଭାଗ ସହ ଆଲୋଚନା କରି କାର୍ଯ୍ୟକାରୀ କରିବି ବୋଲି ତାଙ୍କ ଅଭିଭାଷଣରେ ମନ୍ତବ୍ୟ ରଖିଥିଲେ।

ଅନ୍ୟତମ ଅତିଥି ହସ୍ତତନ୍ତ୍ର ଏବଂ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ସହିଦଙ୍କ ସ୍ମୃତି ଚାରଣ କରିଥିଲେ ଓ ସମ୍ମାନିତ ଅତିଥି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ସହିଦ ଦାୟାଦମାନଙ୍କ ପାଇଁ ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି କହିବା ସହ ପାପଡାହାଣ୍ଡି ସହିଦ ପିଠ ପରିସରକୁ ସୌନ୍ଦର୍ଯ୍ୟକରଣ କରିବା ସହ ଏକ ବିରାଟ ଜାତୀୟ ପତାକା ଲଗାଇବାକୁ ସାଂସଦ ପାଣ୍ଠିରୁ ଅର୍ଥ ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ।

ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସହିଦ ମାଟିର ଜନସାଧାରଣ ତାଙ୍କୁ ଏହି ଅଂଚଳର ନେତୃତ୍ୱ ନେବା ପାଇଁ ସ୍ଥାନ ଦେଇଥିବା ଯୋଗୁଁ ଏହି ଅଂଚଳର ଏବଂ ସ୍ଥାନୀୟ ଜନସାଧାରଣଙ୍କ ବିକାଶ ପାଇଁ ଆମେ ସଂକଳ୍ପବଦ୍ଧ ବୋଲି କହିବା ସହ ସହିଦ ପାର୍କର ଉନତି କରଣ ପାଇଁ ସେ ମଧ୍ୟ ଚେଷ୍ଟା କରିବେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଝରୀଗାଁ ବିଧାୟକ ପ୍ରକାଶ ମାଝୀ, ଜିଲାପରିଷଦ ଅଧକ୍ଷା ଭଗବତୀ ଭତରା, ନବରଙ୍ଗପୁର ଆରକ୍ଷୀ ଅଧିକାରୀ ପର୍ମାର ସ୍ମିତ ପୁରୁଷୋତ୍ତମ ଦାସ, ମୁନା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ସହିଦମାନଙ୍କ ସ୍ମୃତିଚାରଣ କରିବା ସହ ଦାୟାଦ ପରିବାରମାନଙ୍କୁ ସମ୍ମାନିତ କରିଥିଲେ।

ଶେଷରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଏହି କାର୍ଯ୍ୟକ୍ରମରେ ୨ ଜଣ ମନ୍ତ୍ରୀ ଉପସ୍ଥିତ ରହିଥିବା ନେଇ ସେମାନଂକୁ ଧନ୍ୟବାଦ ଜଣାଇଥିଲେ। ମହାପୁରୁଷମାନେ ଯେଉଁ ଆହ୍ୱାନ ଦେଇଥିଲେ ସେଇ ଆହ୍ୱାନ ସହିତ କାର୍ଯ୍ୟ କରିବା ତା ହେଲେ ନବରଙ୍ଗପୁର ଜିଲ୍ଲା ସାରା ଓଡିଶା ରାଜ୍ୟ ଓ ଭାରତ ବର୍ଷକୁ ଏକ ଆଦର୍ଶ ଦେଶ ରାଜ୍ୟ ଓ ଜିଲ୍ଲା ଭାବେ ଗଢ଼ିପାରିବ ଏବଂ ୩୩ ବର୍ଷ ଧରି ଏଠାରେ ମଶାଲ ଯାତ୍ରା କରାଯାଇଛି ସେହି ମଶାଲକୁ ହାତରେ ଧରିବା ବେଳେ ନିଜକୁ ଧନ୍ୟ ମନେ କରିହେଉଛି ବୋଲି କହିବା ସହ ଏହି ପବିତ୍ର ସହିଦ ପିଠର ଉନ୍ନତି କରିବା ପାଇଁ ସେ ସମସ୍ତ ଲୋକ ପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ।ଶେଷରେ ଦାୟାଦ ପରିବାରଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ପାପଡାହାଣ୍ଡି ବିଡ଼ିଓ ରଂଜିତା ମଲିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ତ୍ରିନାଥ ପ୍ରଧାନ ଧନ୍ୟବାଦ ଜଣାଇଥିଲେ।

Comments are closed.