୨୫ ଭାରତ ବନ୍ଦରେ ଅଂଶଗ୍ରହଣ କରିବ ନବନିର୍ମାଣ କୃଷକ ସଂଗଠନ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ଦୁଇଟି କୃଷି ବିଲ୍ ଯାହା ରାଜ୍ୟସଭାରେ ପାରିତ ହୋଇଛି ଏହାକୁ ବିରୋଧ କରି ସାରା ଭାରତବର୍ଷର କୃଷକ ସଂଗଠନମାନେ ଯେଉଁ ଆନ୍ଦୋଳନ କରୁଛନ୍ତି ସେହି ବନ୍ଦରେ ରାଜ୍ୟର ଚାଷୀଙ୍କ ପାଇଁ ଲଢୁଥିବା ନବନିର୍ମାଣ କୃଷକ ସଂଗଠନ ଅଂଶଗ୍ରହଣ କରିବ। ସାମ୍ବାଦିକ ସମ୍ମିଳନୀରେ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଲେ ଯେ, କୃଷି ବିଧେୟକ ସମୃଦ୍ଧିର ପଥ ବାହାର କରିଛି ବୋଲି ସରକାର ଯେଉଁ ପ୍ରଚାର କରୁଛନ୍ତି, ଏହା ମିଥ୍ୟା। ବିଗତ ଦିନରେ ସରକାର ସ୍ୱାମୀନାଥନ କମିଶନ ସୁପାରିଶ ଲାଗୁ କରିବା ଏବଂ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପ୍ରସଙ୍ଗରେ ଚାଷୀମାନଙ୍କ ସହ ପ୍ରତାରଣା କରିଛନ୍ତି। ସରକାର ସବୁବେଳେ ମାତ୍ରାଧିକ କର୍ପୋରେଟ ପ୍ରୀତି ରହିଆସିଥିବା କାରଣରୁ ଏବେ ଏହି ନୂଆ ବିଧେୟକରେ କର୍ପୋରେଟଙ୍କ କୃଷିକ୍ଷେତ୍ରକୁ କବ୍ଜା କରିବାର ବାଟ ଫିଟିଯାଇଛି। ବିଗତ ବର୍ଷମାନଙ୍କରେ ଇନ୍ସୁରାନ୍ସ କମ୍ପାନୀମାନେ ଚାଷୀଙ୍କ ନାମରେ କେତେ ଅର୍ଥ ନେଇଛନ୍ତି ତାହା ରାଜ୍ୟବାସୀଙ୍କୁ ଜଣାଇବାକୁ ଦାବି କରାଯାଇଛି । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଉପରୁ ଯଦି ସରକାର ନିୟନ୍ତ୍ରଣ ଉଠାଇ ଦେବେ ତେବେ କମ୍ପାନୀମାନଙ୍କ ଚାଷୀ ଓ ଖାଉଟିଙ୍କୁ ଶୋଷଣ କରିବାର କୌଣସି ବାଧକ ରହିବ ନାହିଁ। ନୂଆ କୃଷିନୀତି ଦଲାଲରାଜକୁ ସମାପ୍ତ କରିବ ବୋଲି କୁହାଗଲା ବେଳେ ପ୍ରକୃତପକ୍ଷେ ପୁରା ଦଲାଲରାଜ ଆରମ୍ଭ ହେବ। ଆସନ୍ତା ୨୫ ତାରିଖ ବନ୍ଦରେ ସାରା ଓଡ଼ିଶାର ସମସ୍ତ ଜିଲାର ନେତୃମଣ୍ଡଳୀ ଓ କର୍ମକର୍ତ୍ତା ଏହି ବନ୍ଦ ହରତାଳରେ ଯୋଗ ଦେବେ ବୋଲି ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି।

Comments are closed.