ଭାରତ-ଚୀନ ସମ୍ବନ୍ଧକୁ ଯୋଡ଼ିଲା ‘ବାଉଲ୍’ ସଙ୍ଗୀତ

 ବେଜିଂ ଭାରତୀୟ ଦୂତାବାସରେ ଏକାଠି ହେଲେ ଚୀନ-ଭାରତ ସଂଗୀତପ୍ରେମୀ

ଲାଦାଖ ଓ ହିମାଚଳ ସୀମାରେ ଚୀନ ମୁତୟନ କରିଛି ସେନା । ଏହାକୁ ନେଇ ଦୁଇଦେଶ ମୁହାଁମୁହିଁ । ଏହା ସତ୍ବେ ବେଜିଂରେ ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉଭୟ ଦେଶର ବହୁ ବିଦ୍ବାନ ଓ ସଂଗୀତପ୍ରେମୀ ଏକାଠି ହେବା ଏକ ସକାରାତ୍ମକ ବାର୍ତା ଦେଇଛି । ଏହି କାର୍ଯ୍ୟକ୍ରମ ବାଉଲ ସଂଗୀତ ଓ ଦର୍ଶନ ଉପରେ ଆଧାରିତ ଥିଲା।

ପଶ୍ଚିମବଙ୍ଗ ଓ ବାଂଲାଦେଶରେ ପ୍ରଚଳିତ ବାଉଲ ଏକ ଆଧ୍ୟାତ୍ମିକ ଲୋକସଙ୍ଗୀତ ଏବଂ ଏହାର ପ୍ରାଚୀନତା ୟୁନେସ୍କୋ ଦ୍ବାରା ସ୍ବୀକୃତ । ସ୍ବାମୀ ବିବେକାନନ୍ଦ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ଏହି କାର୍ଯ୍ୟକ୍ରମ ଭାରତୀୟ ଦୂତାବାସରେ ଆୟୋଜିତ ହୋଇଥିଲା ଏବଂ ଉଭୟ ଅଫଲାଇନ ଓ ଅନଲାଇନରେ ଏହା ପ୍ରସାରିତ ହୋଇଥିଲା ।

ଭାରତୀୟ ଦୂତାବାସର ପ୍ରଥମ ସଚିବ (ସଂସ୍କୃତି) ରାଜଶ୍ରୀ ବେହେରାଙ୍କ ସୂଚନା ଅନୁସାରେ କାର୍ଯ୍ୟକ୍ରମ ତିନି ଭାଷାରେ ଅନୁଷ୍ଠିତ ହୋଇଥିଲା । ଚୀନୀ ଭାଷା ସହ ଇଂରାଜୀ ଓ ବଙ୍ଗଳା ଭାଷାରେ ଏହା ପ୍ରଦର୍ଶିତ ହୋଇଥିଲା । ସଙ୍ଗୀତ ଓ ଦର୍ଶନ ମିଶ୍ରଣ ଏହି ସଙ୍ଗୀତକୁ ଅଧିକ ରେଖାଙ୍କିତ କରିଥିଲା ।  ତନ୍ତ୍ର, ସୁଫିବାଦ, ବୈଷ୍ଣବବାଦ, ବୌଦ୍ଧ ଧର୍ମର ମିଶ୍ରଣ ବାଉଲ ସଙ୍ଗୀତକୁ ଅଧିକ ରସମୟ କରିଥାଏ ବୋଲି ରାଜଶ୍ରୀ କହିଛନ୍ତି । ଚୀନ ବିଦ୍ବାନ ୟାଙ୍ଗ ବିମିଙ୍ଗ ମଧ୍ୟ ବାଉଲ ସଙ୍ଗୀତର ବିଶେଷତା ଉପରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଚୀନୀ ଭାଷାରେ ବାଉଲ ସଙ୍ଗୀତ ଉପରେ ଅନେକ ଗବେଷଣା କରାଯାଇଛି ବୋଲି କହିଛନ୍ତି ।  ଗୌତମ ହାଜରାଙ୍କ ନେତୃତ୍ଵରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।

Comments are closed.