ଗର୍ଭବତୀ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ, ଅଭିଯୁକ୍ତ ଗିରଫ

ବଲାଙ୍ଗିର: ବଲାଙ୍ଗିର ରାଧାରାଣୀପଡାରେ ଗର୍ଭବତୀ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ମଦ ପିଇ ପ୍ରତିଦିନ କଳହ କରୁଥିବା ସ୍ୱାମୀ ଶେଷରେ ନିଜ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଛି। କେବଳ ସ୍ତ୍ରୀ ନୁହଁ ପେଟରେ ଥିବା ଶିଶୁକୁ ମଧ୍ୟ ମାଆ ସହିତ ହତ୍ୟା କରିଛି ନିଜ ବାପା। ଏଭଳି ଏକ ବର୍ବର ହତ୍ୟାକାଣ୍ଡ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

ଆଉ ଦିନ କେଇଟା ପରେ ଘରକୁ ଆସିଥାନ୍ତା ନୂଆ ଅତିଥୀ। କିନ୍ତୁ ମଦୁଆ ସ୍ୱାମୀ ନେଇଗଲା ଗର୍ଭବତୀ ସ୍ତ୍ରୀର ଜୀବନ। ସୂଚନା ଅନୁସାରେ ବଲାଙ୍ଗିର ରାଧାରାଣୀପଡାର ଏକ ଘରେ ଭଡାରେ ରହୁଥିଲେ ମୋତିଲାଲ ବାରିକ ଓ ଆନନ୍ଦିନୀ ବାରିକ। ମୋତିଲାଲର ସ୍ତ୍ରୀ ଆନନ୍ଦିନୀ ବାରିକ ୯ ମାସର ଗର୍ଭବତୀ ଥିଲେ। ଆଉ ଦିନ କେତୋ ପରେ ତାଙ୍କର ପ୍ରସବ ହୋଇଥାନ୍ତା। ପୂର୍ବରୁ ୨ ଟି ଶିଶୁ ଥିବା ଆନନ୍ଦିନୀ ଆଉ ଏକ ଶିଶୁ ପାଇଁ ଖୁସିରେ ଥିଲେ। କିନ୍ତୁ ମଦୁଆ ସ୍ୱାମୀ ମୋତିଲାଲ ପ୍ରତିଦିନ ମଦ ପିଇ ଘରକୁ ଫେରି ଗଣ୍ଡଗୋଳ କରିଆସୁଥିଲେ। ମଙ୍ଗଳବାର ରାତ୍ରିରେ ମୋତିଲାଲ ମଦ ପିଇ ଘରକୁ ଫେରିଥିଲେ। ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହେବା ପରେ ଆନନ୍ଦିନୀଙ୍କୁ ସ୍ୱାମୀ ମାଡ ମାରିଥିଲେ। ପରେ ତାଙ୍କୁ ଘର ଭିତରକୁ ଘୋଷାଡି ନେଇ ତଣ୍ଟି ଚିପି ହତ୍ୟା କରିଥିଲେ। ହତ୍ୟା ବିଷୟରେ ଟାଉନ ପୁଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା। ହତ୍ୟାକାରୀ ସ୍ୱାମୀ ଫେରାର ହୋଇଥିଲା। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏନେଇ ଟାଉନ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ହତ୍ୟା କରିଥିବା ମୋତିଲାଲକୁ ପୁଲିସ ଗିରଫ କରିଥିବା ଟାଉନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ତେବେ ଗର୍ଭବତୀ ସ୍ତ୍ରୀକୁ ହତ୍ୟା କରିବା ସହିତ ଜୀବନ ପାଇବାକୁ ଥିବା ଶିଶୁକୁ ମଧ୍ୟ ମୋତିଲାଲ ହତ୍ୟା କରିଛି। ଏକାସାଙ୍ଗରେ ମା ଓ ଜନ୍ମ ଅପେକ୍ଷାରେ ଥିବା ଶିଶୁ ହତ୍ୟା ଅଭିଯୋଗରେ କଠୋର ଦଣ୍ଡରେ ଦଣ୍ଡିତ କରିବା ପାଇଁ ଅନନ୍ଦିନୀଙ୍କ ପରିବାର ଲୋକେ ଦାବି କରିଛନ୍ତି।

Comments are closed.