MEllora 950×100

ମହାରାଷ୍ଟ୍ରରେ ଓଡ଼ିଆ ଶ୍ରମିକଙ୍କୁ ନିର୍ମମ ହତ୍ୟା

ତିଗିରିଆ :  ମହାରାଷ୍ଟ୍ରରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ତିଗିରିଆ ଥାନା ଅନ୍ତର୍ଗତ ବିନ୍ଧାଣିମା ଗ୍ରାମର ଜଣେ ଯୁବ ଓଡ଼ିଆ ଶ୍ରମିକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଖବର ସ୍ଥାନୀୟ ଓଡ଼ିଆ ଶ୍ରମିକ ଏବଂ ନିଜ ଗ୍ରାମରେ ଆଲୋଡ଼ନ ସୃଷ୍ଟି କରିଛି। ଟଙ୍କା ଲୋଭରେ ତାଙ୍କୁ ହତ୍ୟା କରାଯାଇଥିବା ମୃତକ ପରିବାର ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି । ମୃତକ ପରିବାର ପକ୍ଷରୁ ମିଳିଥିବା ସୂଚନା ମୁତାବକ ବିନ୍ଧାଣିମା ଗ୍ରାମର ମାୟାଧର ସାହୁଙ୍କ ପୁଅ ପ୍ରଶାନ୍ତ ସାହୁ(୨୭) ଦୀର୍ଘ ୭ବର୍ଷ ହେଲା ପୁଣେ ଜିଲ୍ଲା ଅନ୍ତର୍ଗତ ସିକ୍ରାପୁର ତାଲୁକର ରଞ୍ଜନଗାଓଁରେ ରହି ସେଠାରେ ଥିବା ଏକ ଘରୋଇ କାରଖାନାରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରିଆସୁଥିଲେ। ଘରେ ଟଙ୍କାର ଆବଶ୍ୟକତା ଥିବାରୁ ଗତ କିଛିଦିନ ତଳେ ସେଠାରେ ଏକ ଘରୋଇ ଫାଇନାନ୍ସ କମ୍ପାନୀରୁ ୧ଲକ୍ଷ ୩୫ ହଜାର ଟଙ୍କାର ଏକ ଋଣ କରିଥିଲେ। ତେବେ ଏହି ଋଣ କରାଇଦେବାରେ ସେଠାରେ ସହଯୋଗ କରିଥିବା ଦୁଇଜଣ ମରାଠୀ ଯୁବକ ଋଣ ମିଳିବା ପରେ ତାଙ୍କ ଠାରୁ ଟଙ୍କା ନେବା ପାଇଁ ଚାହିଁଥିଲେ। ଗତ ବୁଧବାର ଅର୍ଥାତ ନଭେମ୍ବର ୩୦ ତାରିଖ ବିଳମ୍ବିତ ରାତିରେ ଋଣ କରାଇଦେଇଥିବା ଆଳରେ ଦୁଇଜଣ ମରାଠୀ ଯୁବକ ପ୍ରଶାନ୍ତ ରହୁଥିବା ଘରେ ମିଶି ଏକ ଭୋଜି ଆୟୋଜନ କରିଥିଲେ। ପରେ ଅଣଓଡ଼ିଆ ଯୁବକ ଦୁଇଜଣ ତାଙ୍କୁ ବାହାରକୁ ଡାକିନେଇ ଋଣର ଏକ ସିଂହଭାଗ ଟଙ୍କା ମାଗିଥିଲେ। ଏହାକୁ ପ୍ରଶାନ୍ତ ମନା କରିବା ପରେ ଭୀଷଣ ମାଡ଼ ମାରିବା ସହିତ ମୁହଁକୁ ପଥରରେ ଛେଚି ହତ୍ୟା କରିଥିଲେ। ନିକଟରେ ପୁଲିସ ଫାଣ୍ଡି ଥିବାରୁ ଏ ସମ୍ପର୍କରେ ସ୍ଥାନୀୟ ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରୁ ମୃତ ଦେହ ଜବତ କରିବା ସହିତ ହତ୍ୟାକାରୀ ଦୁଇଜଣଙ୍କୁ ଗିରଫ କରିଥିବା ମୃତ ପ୍ରଶାନ୍ତଙ୍କ ଭାଇ ଶ୍ରୀଧର ସାହୁଙ୍କ ଠାରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି। ହତ୍ୟାକାରୀ ଯୁବକ ଦୁଇଜଣ ପ୍ରଶାନ୍ତଙ୍କୁ ମାରିବା ପରେ ତାଙ୍କ ମୋବାଇଲ ନେଇଯିବା ସହିତ ମୋବାଇଲ ମାଧ୍ୟମରେ ଆକାଉଣ୍ଟରୁ ପ୍ରାୟ ୨୫ହଜାର ଟଙ୍କା କାଢି ନେଇଥିବା ସୂଚନା ମିଳିଛି। ତିଗିରିଆ ଥାନା ପୁଲିସ ଏବଂ ପାଖରେ ରହୁଥିବା ଅନ୍ୟ ଓଡ଼ିଆ ଯୁବକଙ୍କ ଠାରୁ ଭାଇର ହତ୍ୟା ଖବର ପାଇବା ପରେ ଶ୍ରୀଧର ପୁଣେ ଯାଇ ସେଠାରୁ ମୃତଦେହ ବ୍ୟବଛେଦ ପରେ ମରଶରୀର ନିଜ ଗାଁକୁ ଆଣିଥିଲେ । ରବିବାର ଗ୍ରାମ ଶ୍ମଶାନରେ ଅନ୍ତ୍ୟେଷ୍ଟିକ୍ରିୟା କରାଯାଇଛି।

Comments are closed.