ପାରିବାରିକ ଶତ୍ରୁତାରୁ ବଡ ବାପା ପୁଅକୁ ଟାଙ୍ଗିଆରେ ହାଣି ନୃଶଂସ ହତ୍ୟା, ଅଭିଯୁକ୍ତ ଫେରାର 

ବୌଦ୍ଧ/ଜହ୍ନାପଙ୍କ : ବୌଦ୍ଧ ଜିଲା ମୁଣ୍ଡାପଡା ପଞ୍ଚାୟତର ଖମାରିପଡା ଗ୍ରାମରେ ପାରିବାରିକ ଶତ୍ରୁତାରୁ ଏକ ନୃଶଂସ ହତ୍ୟାକାଣ୍ଡ ଘଟିଯାଇଛି। ପାରିବାରିକ ଶତୃତାରୁ କାକା ପୁଅର ଟାଙ୍ଗିଆ ଚୋଟରେ ବଡବାପା ପୁଅର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ, ଖମାରିପଡା ଗ୍ରାମର ନନ୍ଦିକିଶୋର ନାଏକ ଓ ନେତ୍ରାନନ୍ଦ ନାଏକ ଦୁଇ ଭାଇଙ୍କ ପରିବାର ପଡ଼ୋଶୀ ଭାବରେ ରହିଆସୁଥିଲେ। ନନ୍ଦିକିଶୋରଙ୍କ ସାନପୁଅ ନିରଞ୍ଜନ(୩୦) କାକା ନେତ୍ରାନନ୍ଦଙ୍କ ପରିବାରକୁ ନିୟମିତ ଭାବରେ ଧମକ ଚମକ ଓ ମାଡପିଡ କରିଆସୁଥିଲା। ଯାହାକୁ ନେଇ ନେତ୍ରାନନ୍ଦଙ୍କ ପରିବାର ଅତିଷ୍ଠ ହୋଇପଡିବା ସହ ଦୁଇ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ ପାରିବାରିକ ଶତୃତା ରହିଆସିଛି। ଏନେଇ ପୁର୍ବରୁ ବୌଦ୍ଧ ଥାନାରେ ମାମଲା ହୋଇ ଆପୋଷ ସମାଧାନ ହୋଇଥିଲା। କିନ୍ତୁ ନିରଞ୍ଜନର ବ୍ୟବହାରରେ କୌଣସି ପରିବର୍ତ୍ତନ ହୋଇନଥିଲା। କିନ୍ତୁ ଏହି ଶତ୍ରୁତା ଗୁରୁବାର ଦିନ ଉଗ୍ରରୁପ ଧାରଣ କରିଥିଲା। ନିରଞ୍ଜନ ବାରମ୍ବାର ଗଣ୍ଡୋଗୋଳ କରୁଥିବା ନେଇ ନେତ୍ରାନନ୍ଦଙ୍କ ପୁଅ ବିଦ୍ୟାଧର ନାଏକ(୨୪) ରାଗିଯାଇ କାକାପୁଅକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ନିଷ୍ପତି ନେଇଥିଲା। ବୁଧବାର ଦିନ ୧୦ଟା ସମୟରେ ନିରଞ୍ଜନ ଗାଧୋଇ ସାରି ଘର ସମ୍ମୁଖ ବାରଣ୍ଡାରେ ବସିଥିବାବେଳେ ବିଦ୍ୟାଧର ସେଠାରେ ପହଞ୍ଚି ଏକ ଠେଙ୍ଗାରେ ମାଡ ମାରିଥିଲା। ନିରଞ୍ଜନ ତଳେ ପଡିଯିବା ପରେ ଟାଙ୍ଗିଆରେ ହାଣି ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଦେଇ ଟାଙ୍ଗିଆ ଧରି ସାଇକେଲ ଯୋଗେ ଗ୍ରାମରୁ ଫେରାର ହୋଇଯାଇଥିଲା।

ଖବର ପାଇ ବୌଦ୍ଧ ଥାନା ଅଧିକାରୀ ତପସ୍ୱନୀ କହଁର, ବଘିଆପଡା ଫାଣ୍ଡି ଅଧିକାରୀ ତପନ କୁମାର ସ୍ୱାଇଁ, ଜହ୍ନାପଙ୍କ ଫାଣ୍ଡି ଅଧିକାରୀ ମମତା ହେମ୍ବ୍ରମ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ମେଡିକାଲକୁ ପଠାଇଥିଲେ। ଏନେଇ ବୌଦ୍ଧ ଥାନା କେସ ନଂ (୮/୨୧)ରେ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ବିଦ୍ୟାଧର ଫେରାର ଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

 

Comments are closed.