ଘରୋଇ ଝଗଡ଼ାରୁ ବାପାକୁ ହତ୍ୟା କଲେ ୨ପୁଅ

କେନ୍ଦୁଝରଗଡ଼ / କେନ୍ଦୁଝର ସଦର : ସଦର ଥାନା ଅଧୀନ ବୋଦାପଳସା ଗାଁ ମୁଣ୍ଡାସାହିରେ ଘରୋଇ ଝଗଡାକୁ କେନ୍ଦ୍ର କରି ବାପାକୁ ୨ପୁଅ ହତ୍ୟା କରିଥିବା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଲଙ୍କେଶ୍ୱର ମୁଣ୍ଡା ଓରଫ ଗଲ (୫୨) ଶନିବାର ସନ୍ଧ୍ୟା ପ୍ରାୟ ୭ଟାରେ ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚି ସ୍ତ୍ରୀ ସୁନି ସହ ଝଗଡା କରିବା ସହ ମାରପିଟ କରିଥିଲା। ମାରପିଟ ସହି ନପାରି ସୁନି ଘରେ ଥିବା ଦୁଇପୁଅ ମଧୁ (୧୮) ଓ ସୁଦନ (୧୬)କୁ କହିବାରୁ ଦୁଇପୁଅ ବାପା ଲଙ୍କେଶ୍ୱରକୁ ମିଳିତ ଭାବେ ପ୍ରଥମେ ମାରପିଟ କରିବା ସହ ପରବର୍ତ୍ତୀ ସମୟରେ ବାପା ବେକକୁ ଗାମୁଛାରେ ଚିପି ହତ୍ୟା କରିଥିବା ପ୍ରାଥମିକ ତଦନ୍ତ ସମୟରେ ବଡପୁଅ ମଧୁ ପୁଲିସ ଆଗରେ ପ୍ରକାଶ କରିଛି। ଖବରପାଇ ସଦରଥାନା ଅଧିକାରୀ ଜୟନାରାୟଣ ଖଣ୍ଡେଇ ରବିବାର ସକାଳେ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ହତ୍ୟା ଅଭିଯୁକ୍ତ ୨ପୁଅକୁ ଗିରଫ କରି ଅଧିକ ପଚରାଉଚୁରା ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀ ଖଣ୍ଡେଇ କହିଛନ୍ତିି।

Comments are closed.