ମୁମ୍ବାଇରେ ଆହୁରି ବର୍ଷିବ, ଏନ୍‍ଡିଆର୍‍ଏଫ୍‍ର ୧୫ଟି ଦଳ ମୁତୟନ

ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷା ସତର୍କତା ଜାରି କରାଯିବା ଫଳରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ-ଏନ୍‍ଡିଆର୍‍ଏଫ୍‍ ର ୧୫ଟି ଦଳକୁ ମୁତୟନ କରାଯାଇଛି। ଗତକାଲିଠାରୁ ମୁମ୍ବାଇ ସମେତ ମହାରାଷ୍ଟ୍ରର ଅନ୍ୟାନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଲଗାଣ ବର୍ଷା ଜାରି ରହିଥିବାରୁ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବା ଲାଗି ଏନ୍‍ଡିଆର୍‍ଏଫ୍‍ର ୫ଟି ବାଟାଲିୟନକୁ ବିପଦ ସଂକୁଳ ସ୍ଥାନରେ ସଜାଗ ରଖାଯାଇଛି।

ଏନ୍‍ଡିଆର୍‍ଏଫ୍‍ରୁ ମିଳିଥିବା ସୂଚନା ଅନୁଯାୟୀ ଏହାର ୧୫ଟି ଟିମ୍‍କୁ ଥାଣେ, ରାଇଗଡ଼, ପାଲଘର, ରତ୍ନଗିରି, ମୁମ୍ବାଇ ଏବଂ ସିନ୍ଧୁଦୁର୍ଗ ଜିଲ୍ଲାଗୁଡ଼ିକରେ ମୁତୟନ କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ନଭୀ ମୁମ୍ବାଇରେ ଗତ ୨୪ଘଣ୍ଟାରେ ୧୫୫ ଦଶମିକ ୪/୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଜି ସକାଳୁ ମଧ୍ୟ ନଭୀମୁମ୍ବାଇ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି।

ତେବେ ପ୍ରବଳରୁ ଅତି ପ୍ରବଳ ବର୍ଷା କାରଣରୁ ଅନେକ ସ୍ଥାନରେ ପାଣି ଜମି ରହିଥିବା ବେଳେ ମୁମ୍ବଇର ମଲାଡ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ୪ ମହଲା କୋଠା ଭୁଷୁଡି ପ୍ରାୟ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକ ଆହତ ହୋଇଛନ୍ତି। ଏହାସହ ଅନେକ ଲୋକ ଏବେ ମଧ୍ୟ କୋଠା ତଳେ ଦବି ରହିଛନ୍ତି ବୋଲି ଆଶଙ୍କା କରାଯାଉଛି। ଖବର ପାଇ ପୁଲିସ ଓ ଦମକଳ କର୍ମଚାରୀ,ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ୮ ଶିଶୁ ଓ ୩ ବୟସ୍କଙ୍କ ମୃତ୍ୟୁ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Comments are closed.