୨୬/୧୧ ମୁମ୍ବଇ ଆକ୍ରମଣର ୧୨ବର୍ଷ ପୂର୍ତ୍ତି

ମୁମ୍ବଇ : ନଭେମ୍ବର ୨୬, ୨୦୦୮ ମୁମ୍ବଇ ଆତଙ୍କବାଦୀ ଆକ୍ରମଣକୁ ୧୨ବର୍ଷ ପୂରଣ ହୋଇଛି। ୧୨ବର୍ଷ ପୂର୍ବେ ଆଜିର ଦିନରେ ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ୧୦ଜଣ ଆତଙ୍କବାଦୀ ମୁମ୍ବଇ ସହରରେ ପଶି ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ପାକିସ୍ତାନ କରାଚି ବନ୍ଦରରୁ ସମୁଦ୍ର ପଥରେ ଆସି ମୁମ୍ବଇ ସହରରେ ଅନୁପ୍ରବେଶ କରିଥିଲେ। ପରେ ସେମାନେ ସହରର ବିଭିନ୍ନ ସ୍ଥାନ ଯଥା ଛତ୍ରପତି ଶିବାଜୀ ଟର୍ମିନସ, ଚବାଡ ହାଉସ, ହୋଟେଲ ଓବରାଇ ଟ୍ରାଇଡେଣ୍ଟ, ତାଜ ପ୍ୟାଲେସ, ନରିମାନ ହାଉସରେ ଆକ୍ରମଣ ଘଟାଇଥିଲେ। ୪ ଦିନ ଧରି ଏହି ଆକ୍ରମଣ ଚାଲିଥିଲା। ପରେ ଏନଏସଜି କମାଣ୍ଡୋଙ୍କ ସ୍ବତନ୍ତ୍ର ଅପରେସନ (ବ୍ଲାକ୍‌ ଟର୍ଣ୍ଣାଡୋ)ରେ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା। ଜଣେ ମାତ୍ର ଆତଙ୍କବାଦୀ ଅଜମଲ କସାବ ଜୀବନ୍ତ ରହିଥିଲା। ପରବର୍ତ୍ତୀ ସମୟରେ ଏହି ପାକିସ୍ତାନୀ ଆତଙ୍କବାଦୀକୁ ଫାଶୀ ଦିଆଯାଇଥିଲା। ଏହି ଆକ୍ରମଣରେ କେତେକ ବିଦେଶୀ ନାଗରିକଙ୍କ ସମେତ ୧୭୪ଜଣଙ୍କର ମୃତ୍ୟୁ ହୋଇଥିଲା ୩୦୦ରୁ ଅଧିକ ଆହତ ହୋଇଥିଲେ। ଏହି ଆକ୍ରମଣ ପଛରେ ପାକିସ୍ତାନ ସରକାର ଓ ସେନାର ପ୍ରଚ୍ଛନ୍ନ ହାତ ରହିଥିବା ନେଇ ଭାରତ ସମେତ ବିଶ୍ବ ସମୁଦାୟ ଅଭିଯୋଗ କରିଆସିଛନ୍ତି। ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ବିଷୟକୁ ନିଜ ଦେଶର ଜଣେ ସାଂସଦ ମଧ୍ୟ ସ୍ବୀକାର କରିଥିଲେ। ଆକ୍ରମଣରେ ୧୨ବର୍ଷ ପୂର୍ତ୍ତି ଅବସରରେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସହିଦ ଯବାନ ଓ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ବ୍ୟବସ୍ଥା କରାଯାଇଛି।

Comments are closed.