ଭୁଶୁଡ଼ିଲା ପୋଲ, ଇନ୍ଦ୍ରାବତୀ ପାୱାର ହାଉସରୁ ବିଦ୍ୟୁତ ଉତ୍ପାଦନ ବନ୍ଦ

ମୁଖୀଗୁଡା: ଲଘୁଚାପଜନିତ ବର୍ଷା ଯୋଗୁଁ ଜୟପାଟଣା ବ୍ଲକ ଅଞ୍ଚଳରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ଝିପିଝିପି ବର୍ଷାଯୋଗୁଁ ଲୋକେ ଘରୁ ବାହାରି ପାରୁ ନଥିବା ବେଳେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ତା ଯୋଗୁଁ ଜୟପାଟଣା ଏବଂ ମୁଖୀଗୁଡାର ବିଭିନ୍ନ ରାସ୍ତାରେ ପାଣି ରାସ୍ତା ଉପରେ ଚାଲୁଛି। ଜୟପାଟଣା ବ୍ଲକରେ ଗତ ୨୪ଘଣ୍ଟାରେ ୪୪ମିମି ବର୍ଷା ରେକର୍ଡ କରାଯାଇଛି।ଆଜି ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୬୩୪.୮୦ମିଟର ରହିଥିବା ବେଳେ ହାତୀ ବ୍ୟାରେଜର ଜଳସ୍ତର ୨୬୦.୫୦ମି ରହିଛି। ଗତ ରାତିରୁ ମଙ୍ଗଳପୁର ସ୍ଥିତ ହାତୀ ବ୍ୟାରେଜର ୨ଟି ଗେଟ ଖୋଲାଯାଇ ବ୍ୟାରେଜରୁ ହାତୀ ନଦୀକୁ ଜଳଛଡ଼ା ଯାଉଛି।

ଇନ୍ଦ୍ରାବତୀ ବାମ କେନାଲରେ ଜଳଯୋଗାଣ ବନ୍ଦ ରହିଥିବା ବେଳେ ଡାହାଣ କେନାଲରେ ୨ କୁମେକ୍ସ ପାଣି ଛଡା ଯାଉଛି।ସମ୍ବାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଇନ୍ଦ୍ରାବତୀ ପାୱାରହାଉସରୁ ଆଜି ସକାଳ ୧୦ଟା ୪୬ ମିନିଟରୁ ବିଦ୍ୟୁତ ଉତ୍ପାଦନ ବନ୍ଦ ରହିଛି। ଆଜି ସକାଳେ କୁକୁଡି-ପିପଲଗୁଡା ପ୍ରଧାନମନ୍ତ୍ରୀ ସଡକ ପୋଡଖୋଲ ଛକ ନିକଟରେ ପୋଲ ଭୁଶୁଡି ଯିବା ଯୋଗୁଁ ପିପଳଗୁଡାକୁ ଯାତାୟତ ବନ୍ଦ ରହିଛି। ଆଜିର ହାତୀନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁଁ ହାତୀ ନଦୀର ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି।

Comments are closed.