ପ୍ରଥମ ପତ୍ନୀଙ୍କୁ ପଥରରେ ଛେଚି ହତ୍ୟା ଉଦ୍ୟମ, ଯୁବକ ଅଟକ

ବୁଗୁଡ଼ା: ପ୍ରଥମ ପତ୍ନୀ ଓ ଗୋଟିଏ ପିଲା ଥାଉଥାଉ ଆଉ ଜଣେ ଯୁବତୀଙ୍କୁ ବିବାହ । ଆଉ ଏହାର ପ୍ରତିବାଦ କରିବାରୁ ପ୍ରଥମ ପତ୍ନୀଙ୍କୁ ନିର୍ମମ ମାଡ଼ ସାଙ୍ଗକୁ ହତ୍ୟା ଉଦ୍ୟମ । ଏପରି ଅମାନୁଷିକ ଘଟଣା ଘଟିଛି ଗଞ୍ଜାମ ଜିଲାର ବୁଗୁଡ଼ା ଅଞ୍ଚଳରେ । ଏ ସଂକ୍ରାନ୍ତ ଭିଡ଼ିଓ ଭାଇରାଲ ହେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଛି ପୁଲିସ ।

ଗଂଜାମ ଜିଲ୍ଲା ବୁଗୁଡା ଥାନା ତାକରଡା ଗାଁର ରବି ନାୟକ ୨୦୧୨ରେ ବିବାହ କରିଥିଲେ । ସେମାନଙ୍କର ଏକ ପିଲା ମଧ୍ୟ ଅଛି । ମାତ୍ର କୌଣସି କାରଣରୁ ମାନ ଅଭିମାନରେ ତାଙ୍କ ପତ୍ନୀ ରାଗି ବାପଘରକୁ ଚାଲି ଯାଇଥିଲେ । ମାତ୍ର ରବି ତାଙ୍କୁ ଆଣିବାକୁ ଉଦ୍ୟମ କରି ନ ଥିଲେ । ଆଶା ଥିଲା ସ୍ବାମୀ ଦିନେ ନା ଦିନେ ତାଙ୍କୁ ଫେରାଇ ଆଣିବେ । କିନ୍ତୁ ଇତିମଧ୍ୟରେ ରବି ଦ୍ବିତୀୟ ବିବାହ କରିଥିବା ଖବର ତାଙ୍କ ପ୍ରଥମ ପତ୍ନୀଙ୍କ ନିକଟରେ ପହଞ୍ଚିଲା । ସେ ଘରକୁ ଆସିବା ବେଳକୁ ତାଙ୍କର ସ୍ବାମୀ ତାଙ୍କୁ ନିସ୍ତୁକ ପିଟିଲେ । ପଥରରେ ଛେଚି ମାରିବାକୁ ଉଦ୍ୟମ କଲେ । ଏହି ଘଟଣାର ଭିଡ଼ିଓ ଭାଇରାଲ ହେବା ପରେ ରବି ଏବେ ପୁଲିସ ହାଜତରେ ।

Comments are closed.