ଦୀପାବଳିରେ ମାଟି ଦୀପର ଚାହିଦା

ଦ୍ୱାରଶୁଣି : ଶ୍ରଦ୍ଧାର ପ୍ରତୀକ ହେଉଛି ଦୀପ। ଅନ୍ଧାରରେ ଆଲୋକର କିରଣ ବିଞ୍ଝି ବିଜୟର ସଂଦେଶ ହେଉଛି ଦୀପ। କେତେବେଳେ ଦେବା-ଦେବୀଙ୍କୁ ଆରୋଧନା କରିବାର ମୁଖ୍ୟ ବାହାକ ସାଜିଥାଏ ତ ଆଉ କେତେବେଳେ ସାମାଜିକ ପରମ୍ପରାରେ ଅଂଶ ବିଶେଷ ପାଲଟିଯାଏ ଦୀପ। ହିନ୍ଦୁ ଧର୍ମ ଏବଂ ଭାବନାରେ ଦୀପର ଭୁମିକା ଅତୁଳନୀୟ। ଭାରତର ସଂସ୍କୃତି ଏବଂ ସାଧାରଣ ଜୀବନ ସହ ଅଙ୍ଗା ଅଙ୍ଗି ଭାବେ ଜଡିତ ହୋଇଥିବାରୁ ସମସ୍ତ ମାଙ୍ଗଳିକ କାର୍ଯ୍ୟରେ ଦୀପର ସ୍ଥାନ ବହୁ ଉର୍ଦ୍ଧରେ। ବଜାରରେ ମାଟି ଠାରୁ ଆରମ୍ଭ କରି ପ୍ଲାଷ୍ଟିକ ସହିତ ବିଭିନ୍ନ ଧାତୁ ନିର୍ମିତ ଦୀପ ଉପଲବ୍ଧ ହେଉଥିବା ବେଳେ ମାଟି ନିର୍ମିତ ଦୀପର ଚାହିଦା ଟିକେ ଅଧିକ। ଦୀପର ବ୍ୟବହାର କେବେ ଆରମ୍ଭ ହୋଇଛି ତାହାତ ପ୍ରାୟ ଅଜଣା କିନ୍ତୁ ନିଶ୍ଚିତ ଭାବେ ଆଦିମ ସମୟରୁ ଆରମ୍ଭ ହୋଇଥିବାର ପଥର ଗୁମ୍ଫା ମାନଙ୍କରେ ଅଙ୍କିତ ଚିତ୍ରରୁ ଜଣାଯାଏ ।

 

ତେବେ ମାଟି ଦୀପ ନିର୍ମାଣ କରୁଥିବା କୁମ୍ଭାର ସଂପ୍ରଦାୟକୁ ହିଁ ଆମେ ଦୀପର ବିଶ୍ୱକର୍ମା ଭାବେ ଜାଣିଥାଉ। ଅଲୋଡା କଞ୍ଝା ମାଟିକୁ ଆଣି ନିଜ ହାତରେ ବିଭିନ୍ନ ଆକାର ଦେଇ ଲୋକଙ୍କ ପାଖରେ ପହଞ୍ଚାଏ କୁମ୍ଭାର। ମାଟି ଆଣିବା ଠାରୁ ଆରମ୍ଭ କରି ବଜାର ପହଞ୍ଚାଇବା ପର୍ଯ୍ୟନ୍ତ କେତେ ଯେ, ପରିଶ୍ରମ କରେ ତାହାର ହିସାବ ନାହିଁ। ଏବେ ମାଟି ଦୀପର ବଜାର ମୁଲ୍ୟ ମାତ୍ର ୧ଟଙ୍କାରୁ ଆରମ୍ଭ କରି ୧୦ ଟଙ୍କା ପର୍ଯନ୍ତ ରହିଥାଏ । ବିଭିନ୍ନ ପର୍ବପର୍ବାଣି ହେଉ କିମ୍ବା ମାଙ୍ଗଳିକ କାର୍ଯ୍ୟରେ ଦୀପର ମାଟି ଦୀପର ଆବଶ୍ୟକତା ରହିଥିବାବେଳେ ଦୀପାବଳୀରେ ଏହାର ଚାହିଦା ଢେର ରହିଛି।

Comments are closed.