ଛତିଶଗଡ଼ରେ ଶିକ୍ଷକ ନିଯୁକ୍ତି, ଆବେଦନକାରୀ ତାଲିକାରେ ଏମ୍‌.ଏସ୍. ଧୋନି

ରାୟପୁର: ସଚିନ ତେନ୍ଦୁଲକର ଓ ମହେନ୍ଦ୍ର ସିଂହ ଧୋନି ଭାରତୀୟ କ୍ରିକେଟ୍‌ର ଦୁଇ ବଡ଼ ନାମ। ତେବେ ଦୁହିଁଙ୍କ ନାମକୁ ଅପବ୍ୟବହାର କରିବା ଏହି ମହାନ୍‌ କ୍ରିକେଟରଙ୍କ ପ୍ରତି ଅପମାନ। ଛତିଶଗଡ଼ରେ ଇଂରାଜୀ ଶିକ୍ଷକ ପଦରେ ନିଯୁକ୍ତି ଲାଗି ବିଜ୍ଞାପନ ପ୍ରକାଶ ପାଇଥିବା ବେଳେ କେହିଜଣେ ଜାଣିଶୁଣି ଆବେଦନପତ୍ରରେ ସଚିନ ଓ ଧୋନିଙ୍କ ନାମ ବ୍ୟବହାର କରିବା କୌତୁହଳ ସୃଷ୍ଟିକରିଛି ଏବଂ ଏହି ଆବେଦନ ପତ୍ର ଏବେ ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି। ଆବେଦନକାରୀ ତାଙ୍କ ନାମ ମହେନ୍ଦ୍ର ସିଂହ ଧୋନି ଲେଖିଥିବା ବେଳେ ପିତାଙ୍କ ନାମ ସଚିନ ତେନ୍ଦୁଲକର ବୋଲି ଲେଖିଛନ୍ତି। ସେ ରାୟପୁରର ବାସିନ୍ଦା ବୋଲି ଦର୍ଶାଇଛନ୍ତି। ଏହାସହ ଦୁର୍ଗ ସହରର ସିଏସ୍‌ଭିଟିୟୁ ବିଶ୍ବବିଦ୍ୟାଳୟ ଅନ୍ତର୍ଗତ ଏକ ଇଞ୍ଜିନିୟରିଂ କଲେଜ୍‌ରୁ ସେ ଡିଗ୍ରୀ ପାଇଛନ୍ତି ବୋଲି ଦର୍ଶାଇଛନ୍ତି।

ସବୁଠାରୁ ହାସ୍ୟାସ୍ପଦ କଥା ହେଉଛି ମହେନ୍ଦ୍ର ସିଂହ ଧୋନି ନାମରେ ଆବେଦନକୁ ସଂକ୍ଷିପ୍ତ ତାଲିକାରେ ରଖାଯାଇ ଆବେଦନକାରୀଙ୍କୁ ସାକ୍ଷାତ୍‌କାର ପାଇଁ ମଧ୍ୟ ଡକା ଯାଇଥିଲା। କେହି ନ ଆସିବାରୁ ଏହା ଜାଲ୍‌ ଆବେଦନ ବୋଲି ଜଣା ପଡ଼ିଥିଲା। ତେବେ ଯାଞ୍ଚ୍ ବେଳେ ଧୋନି ଓ ସଚିନଙ୍କ ନାମ ଥିବା ଏହି ଆବେଦନ ପତ୍ର ଜାଲ୍‌ ବୋଲି କିପରି ଜଣା ପଡ଼ିନଥିଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି କର୍ତ୍ତୃପକ୍ଷ ଏପରି ଜାଲ୍‌ ଆବେଦନ ବିରୋଧରେ ଏତଲା ଦିଅନ୍ତି; ତେବେ ଏହାର ତଦନ୍ତ କରା ଯାଇପାରେ।

Comments are closed.